)
ସମ୍ବଲପୁର: ବହୁଦିନ ଧରି ଜିଲ୍ଲାରେ ଚାଲିଛି ଗୋସୁରକ୍ଷା ଆନ୍ଦୋଳନ। ଗୋହତ୍ୟା ଓ ବେଆଇନ ଗୋଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଗୋଶାଳା ନିର୍ମାଣ ପାଇଁ ବିଭିନ୍ନ ସମୟରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ବିଜେପି ଏବଂ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଭଳି ଅନେକ ସଙ୍ଗଠନ ପକ୍ଷରୁ ଭିନ୍ନ ଭିନ୍ନ ସମୟରେ କରାଯାଉଛି ଆନ୍ଦୋଳନ।
ଯଦି ଏହି ଆନ୍ଦୋଳନ ଦ୍ୱାରା କିଛି ସମୟ ପାଇଁ ଗୋହତ୍ୟା କିମ୍ବା ବେଆଇନ ଗୋରୁଚାଲାଣ କିଛି ମାତ୍ରାରେ ହ୍ରାସ ପାଉଛି ହେଲେ ଏହା ପୁଣି ପୂର୍ବବତ ଜାରି ରହୁଛି। ବିଗତ କିଛିଦିନ ପୂର୍ବେ ବକ୍ରିଇଦ ପୂର୍ବରୁ ଗୋହତ୍ୟାକୁ ନେଇ ତୀବ୍ର ଆନ୍ଦୋଳନ ହୋଇଥିଲା। ଏହାକୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଉଠିବା ଆନ୍ଦୋଳନକାରୀଙ୍କ ଆଲୋଚନା କରିଥିଲା ଜିଲ୍ଲା ପ୍ରଶାସନ। ଗୋହତ୍ୟା ଅଥବା ଗୋଚାଲାଣ ବନ୍ଦ କରିବା ନେଇ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯିବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ହେଲେ ବର୍ତ୍ତମାନ ସ୍ଥିତି ପୁନର୍ବାର 'ଯଥା ପୂର୍ବଂ ତଥା ପରଂ' ଭଳି ହୋଇଯାଇଛି। ବିଗତ କିଛିଦିନ ହେଲା ପୁଣି ସକ୍ରିୟ ହୋଇଉଠିଛନ୍ତି ବେଆଇନ ଗୋଚାଲାଣକାରୀ। ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଲୋକଙ୍କ ଦ୍ୱାରା ଚୋରାଚାଲାଣ କରାଯାଉଥିବା ବେଳେ ଅନେକ ଗାଇଗୋରୁଙ୍କୁ ଉଦ୍ଧାର କରାଯାଉଛି। ଗୋଟିଏ ରାତିରେ ଏକ କଣ୍ଟେନର ମଧ୍ୟରେ ରହିଥିବା ସତୁରୀରୁ ଉର୍ଦ୍ଧ୍ବ ଗାଇଗୋରୁଙ୍କୁ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ସମସ୍ୟା ହେଉଛି ଉଦ୍ଧାର ହୋଇଥିବା ଏହି ଗାଇଗୋରୁଙ୍କୁ କେଉଁଠି ରଖାଯିବ।
ଗୋଶାଳା ନଥିବାରୁ ଉଦ୍ଧାର କରାଯାଉଥୁବା ଗାଇଗୋରଙ୍କୁ ଜଙ୍ଗଲରେ କିମ୍ବା ଖୋଲା ମେଲାରେ ଛାଡି ଦିଆଯାଉଛି। ଯାହା ଫଳରେ ରାସ୍ତା ଦୁର୍ଘଟଣା ଘଟିବା ଫଳରେ ଉଭୟ ଗାଈଗୋରୁ ଆଉ ମଣିଷଙ୍କ କ୍ଷତି ଘଟୁଛି। ଏହି ସମସ୍ୟାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗଦଳ, ବିଜେପି, ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଏକ ମିଳିତ ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲାପାଳ ସୁଭମ ସକ୍ସେନାଙ୍କୁ ସାକ୍ଷାତ କରି ଏ ବାବଦରେ ଆଲୋଚନା କରିଥିଲେ।
ଯଥାଶୀଘ୍ର ଜିଲ୍ଲାରେ ବେଆଇନ ଗୋଚାଲାଣ ଆଉ ଗୋହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ଏଭଳି କାର୍ଯ୍ୟରେ ସାମିଲ ରହୁଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସହର ଉପକଣ୍ଠସ୍ଥ କୌଣସି ସ୍ଥାନରେ ଗୋଶାଳା ନିର୍ମାଣ ପାଇଁ ଜମି ଚିହ୍ନଟ କରିବା, କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ସହାୟତାରେ ଗୋଶାଳା ନିର୍ମାଣ କରାଯାଉ ବୋଲି ଦାବି କରିଛି ମିଳିତ ପ୍ରତିନିଧି ଦଳ।