Trending Photos
)
ଝାରସୁଗୁଡ଼ା: ଗୋଟିଏ ଜୁଇରେ ଜଳିବ ୪ ସଦସ୍ୟଙ୍କ ଚିତା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ାରେ। ବଡ଼ ପୁଅର ମୃତ୍ୟୁରେ ପରିବାରର ୫ ସଦସ୍ୟ ବିଷ ପିଇବା ପରେ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ବୁର୍ଲା ବଡ଼ ମେଡ଼ିକାଲରେ ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ ଝାରସୁଗୁଡ଼ାରେ ଜଣକର ମୃତ୍ୟୁ ହୋଇଛି। ବୁର୍ଲାରୁ ମା ଓ ଝିଅଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଜଳିବ ଚିତା। ସେପଟେ ଏହି ଘଟଣାରେ କେବଳ ଗାଁ କି ପଞ୍ଚାୟତ ନୁହେଁ, ସମଗ୍ର ଜିଲ୍ଲା ସ୍ତବ୍ଧ ହୋଇଯାଇଛି।
ସୂଚନା ଯୋଗ୍ୟ ଝାରସୁଗୁଡା ଜିଲ୍ଲା BTM ଫାଣ୍ଡି ଅନ୍ତର୍ଗତ ଲହଣ୍ଡାବୁଡ଼ଠାରେ କିଛି ଦିନ ଆଗରୁ ଠିକଠାକ ଚାଲିଥିଲା ପୁଷ୍ପାବତୀଙ୍କର ପରିବାର। ପୁଷ୍ପାବତୀଙ୍କର ସ୍ୱାମୀଙ୍କର ଚାରି ବର୍ଷ ଆଗରୁ ମୃତ୍ୟୁ ଘଟିବା ପରେ ସୁରୁଖୁରୁରେ ଚାଲିଥିଲା ପରିବାର। ତିନି ଝିଅ ଦୁଇ ପୁଅଙ୍କୁ ନେଇ ପୁଷ୍ପାବତୀ ପରିବାର ଚଳାଉଥିଲେ। ତେବେ ୨୦୧୮ ବର୍ଷରେ ତାଙ୍କର ସାନ ପୁଅ ଅର୍ଥାତ ଦୀପକ ଏକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ. ସେବେଠାରୁ ହିଁ ପୁଷ୍ପାବତୀଙ୍କ ଘର କବାଟ ବାଡେଇଥିଲା ବିପଦ। ପୁଅ ଦୀପକଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠୁ ଆରମ୍ଭ କରି ଭୁବନେଶ୍ୱରର ଘରୋଇ ହସ୍ପିଟାଲ ପର୍ଯ୍ୟନ୍ତ ସବୁଠି ଚିକିତ୍ସା କରାଇଥିଲେ। ହେଲେ ଯାହା ଦ୍ୱାରା ବହୁତ ଆର୍ଥିକ ଖର୍ଚ ମଧ୍ୟ ହୋଇଥିଲା।
କିନ୍ତୁ ଗତ ୧ ତାରିଖରେ ଦୀପକ ବିଶ୍ୱାଳ (୨୨) ଙ୍କର ଚିକିତ୍ସାଧୀନ ସମୟରେ ମୃତ୍ୟୁ ଘଟିଥିଲା। ଏଥିରେ ପରିବାର ବର୍ଗ ଏତେ ଭାଙ୍ଗି ପଡ଼ିଥିଲେ ଯେ ସେହି ଦିନ ସନ୍ଧ୍ୟାରେ ପରିବାରର ସମସ୍ତ ସଦସ୍ୟ ଅର୍ଥାତ ମା ପୁଷ୍ପାବତୀ ବିଶ୍ୱାଳ (୫୭), ତିନି ଝିଅ ଏବଂ ଗୋଟିଏ ପୁଅ ଶ୍ରୀକାନ୍ତ ବିଶ୍ୱାଳ ଏକା ସାଙ୍ଗରେ ଫିନାଇଲ ଏବଂ ଅନ୍ୟ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ଏବଂ ସେଠାରେ ଶ୍ରୀକାନ୍ତ ବିଶ୍ୱାଳ ଓ ତାଙ୍କର ଜଣେ ଭଉଣୀଙ୍କର ଅବସ୍ଥା ଗୁରୁତର ହେବାରୁ ଦୁଇଜଣଙ୍କୁ ପ୍ରାରମ୍ଭିକ ସମୟରେ ବୁର୍ଲା କୁ ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟଙ୍କୁ ମଧ୍ୟ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଗତକାଲି ସକାଳେ ପୁଅ ଶ୍ରୀକାନ୍ତ ବିଶ୍ୱାଳଙ୍କର ବୁର୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତେବେ ଗତରାତିରେ ଝିଅ ପିଙ୍କି ବିଶ୍ୱାଳ ଏବଂ ଆଜି ଭୋର ସକାଳୁ ମାଁ ପୁଷ୍ପାବତୀ ଙ୍କର ମୃତ୍ୟୁ ଘଟିଛି। ଗୋଟିଏ ପଟେ ଦୁଇ ପୁଅ ଦୀପକ ଏବଂ ଶ୍ରୀକାନ୍ତଙ୍କର ଶବ ଝାରସୁଗୁଡା ଶବଗୃହ ଠାରେ ରହିଛି। ଏବେ ମା ଓ ଝିଅର ଶବ ବ୍ୟବଛେଦ ପରେ ପୁଣି ତାହା ଝାରସୁଗୁଡା ଆସିଲା ପରେ ଏକା ସାଙ୍ଗରେ ଜଳିବ ଚାରି ଜଣ ପରିବାର ସଦସ୍ୟଙ୍କର ଚିତା ।
ତେବେ ଆତ୍ମହତ୍ୟା ଉଦ୍ୟମ କରିଥିବା ଝିଅ ଯିଏ ଏବେ ବୁର୍ଲା ହସ୍ପିଟାଲ ରେ ଜୀବନ ଏବଂ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ସିଏ ଜିଲ୍ଲା ହସ୍ପିଟାଲରେ ଗଣମାଧ୍ୟମକୁ ଦେଇଥିବା ବୟାନରେ କହିଥିଲେ ଯେ ସେମାନେ ସମସ୍ତେ ମିଶିକି ଫିନାଇଲ ଏବଂ ଗୋଟିଏ ସବୁଜ ମେଡ଼ିସିନ ଖାଇଥିଲେ କାରଣ ସେମାନେ ତାଙ୍କର ଭାଇଙ୍କୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କ ଭାଇ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ଅନ୍ୟ ପକ୍ଷରେ ମୃତକ ମାନଙ୍କର ପଡ଼ୋଶୀ ମାନେ କହିଛନ୍ତି ଯେ ସେମାନେ ଆଖପାଖ ପଡିଶା ସାଙ୍ଗରେ ମିଳାମିଶା କରୁ ନ ଥିଲେ। ତେଣୁ ଏଭଳି ଚରମ ନିଷ୍ପତି ନେବେ ବୋଲି କେବେ ଭାବି ମଧ୍ୟ ନଥିଲେ। କିନ୍ତୁ ଏହି ଘଟଣା ର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉ ବୋଲି ପଡ଼ୋଶୀମାନେ କହିଛନ୍ତି।