)
ନୂଆଦିଲ୍ଲୀ: ମହାସାଗରୀୟ ବାତ୍ୟା ଅମ୍ଫାନ ବୁଧବାର ଅପରାହ୍ଣ ପ୍ରାୟ ୪ଟାରେ ସ୍ଥଳଭାଗ ଛୁଇଁଛି। ଏନେଇ ଓଡ଼ିଶା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟା ଅମ୍ଫାନର ପବନର ବେଗ ୧୬୦ରୁ ୧୭୦ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛି।
ପୂର୍ବ ଅକଳନ ଅନୁଯାୟୀ ବାତ୍ୟା ଆମ୍ଫନ ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଛୁଇଁଛି। ବାତ୍ୟାର ବାହ୍ୟଅଂଶ ଧୀରେଧୀରେ ସୁନ୍ଦରବନ ଅଞ୍ଚଳରେ ପ୍ରବେଶ କରୁଛି। ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ସମୟ ଲାଗିବ। ଏହି ସମୟରେ ସୁନ୍ଦରବନ ଅଞ୍ଚଳରେ ଉଗ୍ରରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ନିର୍ଦେଶକ ଏଚଆର ବିଶ୍ୱାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ପବନର ବେଗ ୧୬୦ରୁ ଊର୍ଦ୍ଧ୍ୱ ରହିଛି। ଏହାର ପ୍ରଭାବରେ ବର୍ଷା ମଧ୍ୟ ଲାଗି ରହିଛି। ଓଡିଶାର ବାଲେଶ୍ୱର ଅଞ୍ଚଳରେ ମଧ୍ୟ ପ୍ରଚୁର ବର୍ଷା ଲାଗି ରହିଛି। ତେବେ ବତ୍ୟା ଯିବାର ୨୪ ଘଣ୍ଟା ମଧ୍ୟରେ ପାଗରେ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି।
ସ୍ଥଳଭାଗରେ ଏହି ବାତ୍ୟା ପାଖାପାଖି ୪ ଘଣ୍ଟା ଧରି ତାଣ୍ଡବ ରଚିବ। ତେବେ ସ୍ଥଳଭାଗରେ ଏହି ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦେଇ ଗତିକରିବାର ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଆଜି ସକାଳୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ଯାଇଥିଲା। ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଯାଜପୁର, ପାରାଦୀପ, ଜଗତସିଂହପୁର ଅଞ୍ଚଳରେ ପ୍ରଚୁର ପରିମାଣର ବର୍ଷା ହୋଇଥିବା ଜଣାପଡ଼ିଛି।
ସେପଟେ ଏହି ବାତ୍ୟା ପ୍ରଭାବରେ ରାଜ୍ୟରେ ଉପକୂଳ ବର୍ତ୍ତୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଅନ୍ତର୍ଗତ ତଳସାରୀ ଅଞ୍ଚଳରେ ସମୁଦ୍ର ଅଶାନ୍ତ ହୋଇ ପଡ଼ିଥିବା ସୂଚନା ରହିଛି। ସେହିପରି ପାରାଦୀପରେ ବିରାଟକାୟ ଗଛ ଗୁଡ଼ିକ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। କେନ୍ଦ୍ରପଡ଼ାରେ ମଧ୍ୟ ତାଣ୍ଡବ ରଚିଥିବା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ାରେ ପେଣ୍ଠ ଭିତରକୁ ଜୁଆର ମାଡ଼ିଆସିଥିବା ବେଳେ ଧାମରାରେ ପବନର ବେଗ ତୀବ୍ର ରହିଥିବା ସୂଚନା ରହିଛି।