ସମସ୍ୟାର ହୋଇପାରୁନାହିଁ ସମାଧାନ; ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚଲେ ଅସନ୍ତୁଷ୍ଟ ଛାତ୍ରାବାସ ଅନ୍ତେବାସୀ
ବିଦ୍ୟାଳୟ ଛାତ୍ରାବାସରେ ପାନୀୟ ଜଳ ଏବଂ ଖାଦ୍ୟ ଆବଶ୍ୟକ ପରିମାଣ ଅନୁସାରେ ମିଳୁନଥିବା ବେଳେ ଦୁଇ ଶିକ୍ଷକଙ୍କ ମନମାନି ଏବଂ ପୁସ୍ତକ ବିକ୍ରି ଭଳି ଅଭିଯୋଗ ଆଣିଛନ୍ତି ଏହି ଛାତ୍ର।
ମୋହନା/ଗଜପତି: ଛାତ୍ରାବାସରେ ଲାଗିରହିଥିବା ଅବ୍ୟବସ୍ଥାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ। ବାରମ୍ବାର ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଛାତ୍ରାବାସ ସମସ୍ୟା ବାଦରେ ଜଣାଇ ନୟାନ୍ତ ହେବା ପରେ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ରାତିଅଧିଆ ଛାତ୍ରାବାସ ଛାଡି ଲୁଚିଲୁଚି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛନ୍ତି ଛାତ୍ରାବାସ ଅନ୍ତେବାସୀ। ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ଅନ୍ତର୍ଗତ ମହେନ୍ଦ୍ରଗଡ ସ୍ଥିତ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଘଟିଯାଇଛି ଏଭଳି ଘଟଣା।
ଏହି ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କୁ ବର୍ଷ ବର୍ଷ ଧରି ସଠିକ ଭାବେ ଖାଦ୍ୟପେୟ ଦିଆଯାଉନଥିବା ଏବଂ ପାଣିର ସୁବିଧା ନଥିବା ହେତୁ ବାରମ୍ବାର ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରାଯାଇ ଆସୁଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ କରିବା ବଦଳରେ ଡରାଇ ଧମକାଇ ଚୁପ କରିଦେଉଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ। ଯାହା ଫଳରେ ମଧ୍ୟ ରାତି ଅଧରେ ଛାତ୍ରାବାସର ୪୬ ଜଣ ଦଶମ ପଡୁଥିବା ଛାତ୍ର ପାଦରେ ଚାଲିଚାଲି ୭୦ କିମି ଦୂର ଅତିକ୍ରମ କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ହେଲେ ସେଠାରେ ଜିଲ୍ଲା ମଙ୍ଗଳ ଅଧିକାରୀ ପିଲାଙ୍କୁ ବୁଝାଶୁଝା କରି ପୁଣି ବିଦ୍ୟାଳୟକୁ ଫେରାଇ ଦେଇଥିଲେ।
Also Read: ଶିକ୍ଷକ ଅଭାବକୁ ମାନିଲେ ଶିକ୍ଷା ମନ୍ତ୍ରୀ; ଖୁବଶୀଘ୍ର ପୂରଣ ଖାଲିପଡିଥିବା ପଦବୀ
ଏ ଘଟଣା ବାବଦରେ ଖବର ପାଇବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ, ଆର.ଉଦୟଗିରି ବିଡିଓ, ଆର.ଉଦୟଗିରି ଥାନା ଅଧିକାରୀଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ କାର୍ତ୍ତିକା ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ପିଲାଙ୍କ ସୁବିଧା ଅସୁବିଧା ବାବଦରେ ପଚାରି ବୁଝିଛନ୍ତି। ମଙ୍ଗଳ ବିଭାଗ ଦ୍ବାରା ଚାଲୁଥିବା ଅନୁଷ୍ଠାନରେ ଅଧିକାରୀ ସଠିକ ଯାଞ୍ଚ କରିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ କିଭଳି ଏବଂ କିଏ ଅବହେଳା ପ୍ରଦର୍ଶନ କରିଛନ୍ତି ସେ ନେଇ ତଦନ୍ତ କରାଯିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଜପତି ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ।
ଛାତ୍ରବାସରେ ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ମହେନ୍ଦ୍ରଗଡରୁ ଲୁଚି ଚାଲି ଆସିଥିଲେ ଦଶମ ଶ୍ରେଣୀର ପ୍ରାୟ ୪୦ ଜଣ ଛାତ୍ର। ବିଳମ୍ବିତ ରାତିରେ ଜଙ୍ଗଲ ଭିତରେ କିଛି ଦୂର ଚାଲିବା ପରେ ସକାଳ ହେବାରୁ ବସ ଯୋଗେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ସେମାନେ। ବିଦ୍ୟାଳୟରେ ଚାଲୁଥିବା ଶିକ୍ଷକଙ୍କ ମନମାନି ସହ ଛାତ୍ରାବାସର ଅବ୍ୟବସ୍ଥା ନେଇ ଅଭିଯୋଗ କରିଥିଲେ ମହେନ୍ଦ୍ରଗଡ କାର୍ତ୍ତିକ ଗମାଙ୍ଗ ବିଦ୍ୟାଳୟ ଛାତ୍ର।
ବିଦ୍ୟାଳୟ ଛାତ୍ରାବାସରେ ପାନୀୟ ଜଳ ଏବଂ ଖାଦ୍ୟ ଆବଶ୍ୟକ ପରିମାଣ ଅନୁସାରେ ମିଳୁନଥିବା ବେଳେ ଦୁଇ ଶିକ୍ଷକଙ୍କ ମନମାନି ଏବଂ ପୁସ୍ତକ ବିକ୍ରି ଭଳି ଅଭିଯୋଗ ଆଣିଛନ୍ତି ଏହି ଛାତ୍ର। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉନଥିବା ବେଳେ ଛାତ୍ରାବାସରୁ ବାହାରକୁ ଯିବାକୁ ବାରଣ ରହିଥିବା ସତ୍ତ୍ୱେ ନିଜେ ସାମ୍ନା କରୁଥିବା ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିବାକୁ ଲୁଚି ଲୁଚି ଆସିଥିବା କହିଛନ୍ତି ଛାତ୍ର।
Also Read: ଛାତ୍ରୀ ଚିହ୍ନଟ ହେଲେ କୋରୋନା ସଂକ୍ରମିତ; ସପ୍ତାହେ ପାଇଁ ବନ୍ଦ ହେଲା ପାଠପଢ଼ା
ଛାତ୍ରବାସରୁ ଲୁଚି ଆସିବା କୌଣସି ନୂଆଁ କଥା ନୁହେଁ। ଏନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ଛାତ୍ରବାସ ପରିସରକୁ ପ୍ରବେଶ ପାଇଁ ଗଣ ମାଧ୍ୟମକୁ ଅନୁମତି ନଥିବା କାରଣରୁ ଏଭଲି ଘଟଣାକୁ ଚାପି ଦିଆଯାଉଛି। କେତେକ ନ୍ୟସ୍ତ ସ୍ୱାର୍ଥ ଅଧିକାରୀ ଦୀର୍ଘ ବର୍ଷ ହେବ ଜିଲ୍ଲାରେ ରହି ଏପରି ଦୁର୍ନୀତିରେ ଲିପ୍ତ ରହିଛନ୍ତି। ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାକୁ ସରକାର ଯୋଗାଇ ଦେଉଥିବା ଅର୍ଥକୁ ଆତ୍ମସାତ କରିବାର ଅଭିଯୋଗ ରହିଛି।