)
ନୂଆଦିଲ୍ଲୀ: ପ୍ରାୟ ୨ ମାସ ପରେ ଦେଶରେ ଆରମ୍ଭ ହେବାକୁ ଯାଉଛି ଘରୋଇ ବିମାନ ସେବା। ଆସନ୍ତା ୨୫ ତାରିଖ ପରଠାରୁ ଦେଶରେ ଘରୋଇ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଯାଉଛି। ପୂର୍ବରୁ ଘରୋଇ ବିମାନ ଉଡ଼ାଣକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଲାଗି ରହିଥିଲା, ସେଥିରେ ପୂର୍ଣ୍ଣଛେଦ ଟାଣି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ପୂର୍ବରୁ ମେ ୧୫ ଓ ଦ୍ୱିତୀୟ ଥର ପାଇଁ ମେ ୧୯ରୁ ବିମାନ ଉଡ଼ାଣ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଥିଲେ।
ହରଦୀପ ସିଂ ପୁରୀ କହିଛନ୍ତି କି, ଆସନ୍ତା ୨୫ ତାରିଖରୁ ଏହି ଘରୋଇ ବିମାନ ସେବାକୁ ଆରମ୍ଭ କରାଯିବ। ପର୍ଯ୍ୟାୟ କ୍ରମେ ଏହି ଉଡ଼ାଣକୁ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏନେଇ ଉଡ଼ାଣ ପାଇଁ ଉପଯୁକ୍ତ ବ୍ୟବସ୍ଥା ଆରମ୍ଭ କରିବା ନେଇ ବିଭିନ୍ନ କମ୍ପାନୀ ଓ ବିମାନବନ୍ଦର ଅଧିକାରୀଙ୍କୁ ସୂଚନା ଦିଆଯାଇଛି ବୋଲି ସେ ଟ୍ୱିଟର ମାଧ୍ୟମରେ କହିଛନ୍ତି। ଏହି ଉଡ଼ାଣ ସମୟରେ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଏସଓପି ପାଳନ କରାଯିବା ନେଇ ସୂଚନା ରହିଛି। ଏ ସମ୍ପର୍କରେ ବିମାନସେବା ମନ୍ତ୍ରଣାଳୟ ପକ୍ଷରୁ ଗାଇଡ଼ଲାଇନକୁ ଜାରି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ୟ ଗତ ମାର୍ଚ୍ଚ ମାସ ୨୪ ତାରିଖ ପରଠାରୁ ଘରୋଇ ଉଡ଼ାଣ ବନ୍ଦ ରହିଛି। ପ୍ରାୟ ଦୁଇ ମାସ ରହିବା ପରେ ବିମାନସେବା ଆରମ୍ଭ ହେବାକୁ ଯାଉଛି। ତେବେ ଆସନ୍ତା ୧ ତାରିଖ ଠାରୁ ରେଳସେବା ଆରମ୍ଭ ହେବାକୁ ଯାଉଥିବା ନେଇ ଗତକାଲି ସରକାର ସୂଚନା ଦେଇଥିବା ବେଳେ ଆସନ୍ତା ୨୫ ତାରିଖ ପରଠାରୁ ଦେଶରେ ବିମାନ ସେବା ଆରମ୍ଭ ହେବ ବୋଲି ଆଜି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ବର୍ତ୍ତମାନ ଯାଏ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୬,୭୫୦ ଛୁଇଁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାର ୬୧୧ଟି ନୂଆ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହାସହ ୧୪୦ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏପର୍ଯ୍ୟନ୍ତ ଏହା ସର୍ବାଧିକ ସଂଖ୍ୟକ କୋରୋନା ମାମଲା ରିପୋର୍ଟ ହୋଇଛି । ତେବେ ଗୋଟିଏ ଆଶ୍ୱସ୍ତିକର ଖବର ଏହା ଯେ ୪୧, ୨୯୮ ଜଣ କୋରୋନା ଆକ୍ରାନ୍ତ ଏହି ମହାମାରୀ ଭାଇରସକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସୁସ୍ଥ ହେବା ହାର ୩୯,୬୨ ପ୍ରତିଶତକୁ ବୃଦ୍ଧି ପାଇଛି ।