ଗଜପତି ପାଲଟିଛି ଗଞ୍ଜେଇ ବ୍ୟବସାୟୀଙ୍କ ଆଡ୍ଡାସ୍ଥଳୀ

୨୦୧୯ ଜୁଲାଇ ଓ ଅଗଷ୍ଟ ମାସରେ ଏ ସଂକ୍ରାନ୍ତରେ କେବଳ ୬ଟି ମାମଲା ରୁଜୁ ହୋଇଥିବା ବେଳେ ୧୦ ଜଣ ଗିରଫ ସହ ମାତ୍ର ୮୭୩ କିଲୋ ୪୩୦ ଗ୍ରାମସହ ୨ଟି ଚାରି ଚକିଆ ଯାନ ଜବତ କରାଯାଇଥିଲା । 

ଗଜପତି ପାଲଟିଛି ଗଞ୍ଜେଇ ବ୍ୟବସାୟୀଙ୍କ ଆଡ୍ଡାସ୍ଥଳୀ

ସୁଜିତ୍ ବିଷୋୟୀ, ଗଜପତି : ନୀଳ ଜହରର ଭୂସ୍ୱର୍ଗ ପାଲଟିଥିବା ଗଜପତି ଜିଲ୍ଲାରୁ ଗଞ୍ଜେଇ ମାଫିଆଙ୍କ ମୂଳପୋଛ କରିବା ପାଇଁ ପଣ କରିଛି ଜିଲ୍ଲା ପୋଲିସ। ଯାହାର ନେତୃତ୍ୱ ନେଇଛନ୍ତି ନୂତନ ଭାବେ ଦାୟିତ୍ଵ ନେଇଥିବା ଏସପି ତପନ କୁମାର ପଟ୍ଟନାୟକ । ଆକ୍ସନ ମୁଡରେ ଥିବା ପୋଲିସ ମାଫିଆଙ୍କ ସମସ୍ତ ଯୋଜନା କରୁଛି ପଣ୍ଡ । ଜବତ ହେଉଛି ରେକର୍ଡ ସଂଖ୍ୟକ ଗଞ୍ଜେଇ, ମାତ୍ର କିଛି ଦିନ ମଧ୍ୟରେ ମିଳିଛି ଅଭୁତପୁର୍ବ ସଫଳତା।

ଆକ୍ସନ ମୁଡରେ ପୋଲିସ, ଟାର୍ଗେଟରେ ଗଞ୍ଜେଇ ଚୋରା ଚାଲାଣ କାରି ଓ ମାଫିଆ,  ଆଉ ଖସି ପଳାଇବା ହେଉନି ସମ୍ଭବ, କାମ ଦେଉନି ପୁରୁଣା ଚାଲାକି।  ଯେ କୌଣସି ଉପାୟରେ ଚାଲାଣ କଲେବି ଧରା ପଡୁଛନ୍ତି ପୋଲିସ ହାତରେ। ଫେଲ ମାରୁଛି ସମସ୍ତ ଉପାୟ। ସବୁଆଡେ ଜାଲ ବିଛେଇ ସାରିଛି ପୋଲିସ।   

ଗଜପତି ଜିଲ୍ଲାର ମୋହନା, ଅଡବା, ରାୟଗଡ, ଉଦୟଗିରି, ରାମଗିରି, ଛେଳିଗଡ, ଆଦି ପାହାଡିଆ ଅଞ୍ଚଳରେ ବର୍ଷ ବର୍ଷ ଧରି ହଜାର ହଜାର ଏକର ଜମିରେ ଚାଷ କରିଥାନ୍ତି ଗଞ୍ଜେଇ। ବେଆଇନ ଭାବରେ ଚାଷ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ।  ବର୍ତ୍ତମାନ ଅତି କମ୍ ସମୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା। ଏତେ ସଂଖ୍ୟକ ମାମଲା ରୁଜୁ ହେବା ପୁର୍ବରୁ ମାଫିଆ ସକ୍ରିୟ ହୋଇ ରହିଥିବା ସ୍ପଷ୍ଟ ହେଉଛି । କିନ୍ତୁ ପ୍ରତ୍ୟେକ ସିଜନରେ ପ୍ରଶାସନ ପକ୍ଷରୁ ରାଜସ୍ୱ, ଜଙ୍ଗଲ, ଅବକାରୀ ଓ ପୋଲିସର ମିଳିତ ଟିମ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ କରିଥାନ୍ତି। ସେଥିପାଇଁ ବହୁ ଅର୍ଥ ବ୍ୟୟ କରାଯାଉଛି। 

ତଥାପି ବର୍ଷ ତମାମ ଵିଭିନ୍ନ ଉପାୟରେ ଚୋରାଚାଲାଣ ହେଉଛି କୋଟି କୋଟି ଟଙ୍କାର ଗଞ୍ଜେଇ, ତାକୁ ରୋକ ଲଗାଇବାରେ ବିଫଳ ହେଉଥିଲା ପୋଲିସ ଓ ଅବକାରୀ ବିଭାଗ । ତାହା ହେଲେ ଏତେ ପରିମାଣର ଗଞ୍ଜେଇ ମାଫିଆ ପାଉଛନ୍ତି କେଉଁଠି, ତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଅବକାରୀ ବିଭାଗର ସ୍ଥାଣୁତାକୁ ଦାୟୀ କରିଛନ୍ତି। ବର୍ତ୍ତମାନ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ। ସେପଟେ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବା ସମ୍ଭବ ନୁହେଁ ଦର୍ଶାଇ ବହୁ ଗଛ କଟା ଯାଉନଥିବାରୁ ବର୍ଷ ତମାମ କୋଟି କୋଟି ଟଙ୍କାର ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ କରି ମାଲାମାଲ ହେଉଛନ୍ତି ମାଫିଆ। ଯାହାକୁ ଦୃଷ୍ଟିରେ ରଖି ମାଫିଆଙ୍କ ପ୍ରାଦୁର୍ଭାବ ଦୂର କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ପୋଲିସ। 

ମିଳିଥିବା ତଥ୍ୟ ଅନୁସାରେ ୨୦୧୯ ଜୁଲାଇ ଓ ଅଗଷ୍ଟ ମାସରେ ଏ ସଂକ୍ରାନ୍ତରେ କେବଳ ୬ଟି ମାମଲା ରୁଜୁ ହୋଇଥିବା ବେଳେ ୧୦ ଜଣ ଗିରଫ ସହ ମାତ୍ର ୮୭୩ କିଲୋ ୪୩୦ ଗ୍ରାମସହ ୨ଟି ଚାରି ଚକିଆ ଯାନ ଜବତ କରାଯାଇଥିଲା । ୨୦୨୦ ମସିହାରେ ସମାନ ସମୟରେ ନୁତନ ଏସପିଙ୍କ ଦାୟିତ୍ୱ ଗ୍ରହଣ ପରେ ମାତ୍ର ୨୦ ଦିନ ମଧ୍ୟରେ ୧୯ଟି ମାମଲାରେ ୩୯ଜଣ ଗିରଫ କରିବା ସହ ୮କ୍ୟୁଣ୍ଟାଲ ୮୭୩ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଏବଂ ଗୋଟିଏ କଣ୍ଟେଇନର ୪ଟି ଟ୍ରକ ୧୪ଟି କାର ସହ ଏକ ଲକ୍ଷ ୨୪ ହଜାର ୭ଶହ ଟଙ୍କା ଜବତ କରିପାରିଛି ପୋଲିସ। 

ଯାହାକି ଗତ ସିଜନର ଦଶଗୁଣା ଅଧିକ, ଆଗାମୀ ଦିନରେ ଏହି ଅଭିଯାନକୁ ଜୋରଦାର କରାଯିବ ବୋଲି କହିଛନ୍ତି ଗଜପତି ଏସପି ତପନ କୁମାର ପଟ୍ଟନାୟକ। ଆଦିବାସୀଙ୍କ ଆର୍ଥିକ ଦୁର୍ବଳତା ଓ ସରଳତାର ସୁଯୋଗ ନେଇ ସେମାନଙ୍କୁ ବ୍ୟବହାର କରୁଛନ୍ତି ବାହାର ରାଜ୍ୟର ମାଫିଆ। ଏହାର ମୂଳ ଉତ୍ପାଟନ ପାଇଁ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଭାବେ ସଫଳ ହେବା ନେଇ ଆଶା କରାଯାଉଛି । ସେଥିପାଇଁ ସମସ୍ତ ବିଭାଗର ସମନ୍ୱୟ ସାଙ୍ଗକୁ ସହଯୋଗର ଆବଶ୍ୟକତା ରହିଛି । ତାହା ହେଲେ ଯାଇ ମୂଳ ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ହେବ ।