କିଛି ସହିବାକୁ ହେବ, ଆଉ କିଛି ତ୍ୟାଗ କରିବାକୁ...

କୋରୋନା ମହାମାରୀରୁ ଜୀବନ ବଞ୍ଚାଇବା ପାଇଁ ଜନ ସାଧାରଣଙ୍କୁ କିଛି ସହ୍ୟ କରିବା ସହ କିଛି ତ୍ୟାଗ କରିବାକୁ ପଡ଼ିବ । ଏଭଳି ମନୋଭାବ ରଖି କୋରୋନା ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ପ୍ରଶାସନକୁ ଜିଲ୍ଲାବାସୀ ସହାୟତା କରନ୍ତୁ ବୋଲି କହିଛନ୍ତି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ । 

କିଛି ସହିବାକୁ ହେବ, ଆଉ କିଛି ତ୍ୟାଗ କରିବାକୁ...
ଫାଇଲ ଫଟୋ

ମୁକେଶ ପ୍ରଧାନ, ଝାରସୁଗୁଡ଼ା: ଦୁଇଦିନିଆ ଝାରସୁଗୁଡା ସଟଡାଉନର ଆଜି ଦ୍ଵିତୀୟ ଦିନ । ନିୟମ ଉଲଂଘନ କଲେ କୋଭିଡ ନିୟମ ଆଧାରରେ ମାମଲା ମଧ୍ୟ ରୁଜୁ କରାଯାଉଛି । ୩୩ ଜଣଙ୍କୁ ଅଟକ ରଖା ଯାଇଥିବା ବେଳେ ୪୦ ହଜାର ଟଙ୍କା ଫାଇନ ଆଦାୟ ହୋଇଛି । ତେବେ କୋରୋନା ମହାମାରୀରୁ ଜୀବନ ବଞ୍ଚାଇବା ପାଇଁ ଜନ ସାଧାରଣଙ୍କୁ କିଛି ସହ୍ୟ କରିବା ସହ କିଛି ତ୍ୟାଗ କରିବାକୁ ପଡ଼ିବ । ଏଭଳି ମନୋଭାବ ରଖି କୋରୋନା ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ପ୍ରଶାସନକୁ ଜିଲ୍ଲାବାସୀ ସହାୟତା କରନ୍ତୁ ବୋଲି କହିଛନ୍ତି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ । 

ସଟଡାଉନ ଫଳରେ ସାଧାରଣ ପରିବହନ ସମ୍ପୂର୍ଣ୍ଣ ବନ୍ଦ ଯୋଗୁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି । ଯେଉଁ ଅଫିସ ଜିଲ୍ଲାପାଳଙ୍କ ଅଫିସ ସହ ସମ୍ପୃକ୍ତ, ସେସବୁ ଖୋଲା ରହିଛି । ଅନ୍ୟ ପକ୍ଷରେ ପୋଲିସ ସହ ସମ୍ପର୍କିତ କାର୍ଯ୍ୟାଳୟ, ଅଗ୍ନିଶମ ବିଭାଗ, ଚିକିତ୍ସା ସେବା ଯୋଗାଇବା ପ୍ରତିଷ୍ଠାନ, ଔଷଧ ଦୋକାନ ଆଦି ଖୋଲା ରହିଛି । ବିମାନବନ୍ଦର ଏବଂ ରେଳଷ୍ଟେସନକୁ ଯାତାୟତ କରି ଯାତ୍ରୀ ପରିବହନ କରୁଥିବା ଯାନବାହନ ସବୁକୁ ଅନୁମତି ମିଳିଛି । କୃଷି, ଗୋପାଳନ ନିମନ୍ତେ ଆବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ ସଟଡାଉନରୁ ବାଦ ଦିଆଯାଇଛି । 
ଦୁଗ୍ଧ ଯୋଗାଣ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା, ପେଟ୍ରୋଲ ପମ୍ପ ଆଦିକୁ ମଧ୍ୟ ସଟଡାଉନରୁ ବାଦ ଦିଆଯାଇଛି । ଶିଳ୍ପାଞ୍ଚଳ କ୍ଷେତ୍ରରେ ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ ତାହାକୁ ବନ୍ଦ କରିଦେବାକୁ ବା ଶ୍ରମିକ ହ୍ରାସ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଶିଳ୍ପ ସଂସ୍ଥାରେ  ଅଧିକରୁ ଅଧିକ ସଂଖ୍ୟକ ଶ୍ରମିକଙ୍କୁ ନିଜ କ୍ୟାମ୍ପସ ଭିତରେ ରଖିବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଜାଣି ଜାଣି ସଟଡାଉନକୁ ଉଲଂଘନ କରିବା ବ୍ୟକ୍ତିଙ୍କ ବିରୋଧରେ କୋଭିଡ ନିୟମ ସମେତ IPC ଧାରାରେ ମଧ୍ୟ ମାମଲା ରୁଜୁ କରାଯାଇଛି । ୩୩ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ୪୦ ହଜାରରୁ ଉର୍ଦ୍ଧ୍ୱ ଫାଇନ ଆଦାୟ କରାଯାଇଛି ।