ଅଜୟ ନାଥ, ସମ୍ବଲପୁର: ମାଛ ମାରିବା ପାଇଁ ମହାନଦୀରେ ବ୍ଲାଷ୍ଟିଂ କରାଯାଉଛି। ଫଳରେ ଶହ ଶହ ସଂଖ୍ୟାରେ ମାଛଙ୍କ ମୃତ୍ୟୁ ହେଉଛି। ଯାହାର ପ୍ରମାଣ ପ୍ରସିଦ୍ଧ ହୁମା ବକ୍ର ମନ୍ଦିରର ମଛିନ୍ଦ୍ର ଘାଟରେ ଦେଖିବାକୁ ମିଳିଛି। ଏଠାରେ ବିପୁଳ ସଂଖ୍ୟକ ମୃତ କୁଡୋ ମାଛ ଭାସୁଥିବା ସ୍ଥାନୀୟ ବାସୀନ୍ଦା ଅଭିଯୋଗ କରିଛନ୍ତି।
ଗତ ୧୬ ତାରିଖରେ ହୁମା ବକ୍ର ମନ୍ଦିର (Huma Temple) ର ମଛିନ୍ଦ୍ର ଘାଟରେ ଅନେକ ମୃତ କୁଡୋ ମାଛ ଭାସୁଥିବା ଦେଖାଯାଇଥିଲା। କିଛି ଅସାମାଜିକ ବ୍ୟକ୍ତି ମହାନଦୀ (Mahanadi) ରେ ବ୍ଳାଷ୍ଟିଂ କରୁଥିବାରୁ ଏହି ମାଛ ମରି ଭାସୁଥିବା ଅଭିଯୋଗ ହୋଇଛି। ମଲାମାଛର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁ ଥିବା ବେଳେ ସଚେତନ ନାଗରିକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
Also Read: ଭୂତ ଖାତାରେ ମୁଦ୍ରା ଋଣର ୨ କୋଟି ୩୪ ଲକ୍ଷ ଟଙ୍କା !
ବର୍ଷା ଋତୁରେ ପ୍ରବଳ ଜଳସ୍ରୋତ ସତ୍ୱେ ଏହି ମାଛ ପଥର ସନ୍ଧିରେ ରହିଯାନ୍ତି। ମାନ୍ୟତା ଅନୁଯାଇ କାର୍ତ୍ତିକ ଚତୁର୍ଦ୍ଦଶୀ ସମୟରେ ବେହେରା ପୂଜକମାନେ ଏହି କୁଡୋ ମାଛ (Kuda Fish) ଙ୍କୁ ପୂଜା ଭୋଗ ଦେଇ ଆବାହନ କରିଥାନ୍ତି। ସେହି ଦିନଠାରୁ ଭକ୍ତମାନେ ଏହି ବିରଳ ପ୍ରଜାତିର ମାଛଙ୍କୁ ଦେଖିବାର ସୁଯୋଗ ପାଆନ୍ତି। ଏଠାରେ ୧୨ ପ୍ରଜାତିର କୁଡୋ ମାଛ ମିଳନ୍ତି। କିନ୍ତୁ ଏଭଳି ବେଆଇନ ଭାବେ ବ୍ଲାଷ୍ଟିଂ (Blasting) କରିବା ଦ୍ୱାରା କୁଡୋ ମାଛ ଦିନେ ବିଲୁପ୍ତ ହୋଇଯିବେ ବୋଲି ସନ୍ଦେହ କରାଯାଉଛି।
ଅସାମାଜିକ ତତ୍ଵଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି। ଏହି ମାଛଙ୍କୁ ସୁରକ୍ଷା ପ୍ରଦାନ କରାଯିବା ପାଇଁ ସାଧାରଣରେ ଦାବି ହେଉଛି। ଯଦି ମାଛଙ୍କୁ ସୁରକ୍ଷା ପ୍ରଦାନ କରା ନଗଲେ, ପରବର୍ତ୍ତୀ ସମୟରେ ଲୋକେ ଦେଖିବାରୁ ବଂଚିତ ହେବେ ଏଥିରେ ସନ୍ଦେହ ନାହିଁ। ଏହା ବ୍ୟତୀତ ପ୍ରସିଦ୍ଧ ହୁମା ମନ୍ଦିର ମଧ୍ୟ ତାର ଏକ ଆକର୍ଷଣୀୟ ଜୀବ ହରାଇବ।