)
କନ୍ଧମାଳ: ବେଙ୍ଗାଲୁରରେ ଅଘଟଣ। ବେଙ୍ଗାଲୁରୁରେ ଗ୍ୟାସ ଟାଙ୍କି ବିସ୍ଫୋରଣ ହେବାରୁ କନ୍ଧମାଳର ଜଣେ ଯୁବତୀଙ୍କର ଗତ ୧୪ ତାରିଖ ଦିନ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ଥିବା ଆଜି ଭୋର ସମୟରେ ଚିକିତ୍ସାଧିନ ଥିବା ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଦୁଇଜଣଙ୍କୁ ମିଶାଇ ଗ୍ୟାସ ବିସ୍ଫୋରଣ ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଯୁବତୀ ଓ ଜଣେ ଯୁବକ ରହିଛନ୍ତି।
ଏହା ସହ ଗୁରୁତର ଅବସ୍ଥାରେ ଅନ୍ୟ ଦୁଇ ଜଣ ଯୁବତୀଙ୍କ ଚିକିତ୍ସା ବେଙ୍ଗଲୋର ସ୍ଥିତ ଭିକ୍ଟୋରିଆ ମେମୋରିଆଲ ସରକାରୀ ମେଡ଼ିକାଲରେ ଜାରି ରହିଛି । ସେମାନଙ୍କ ସ୍ଥିତି ମଧ୍ୟ ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ମୃତକ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ସୋନପୁର ପଞ୍ଚାୟତ ଗାହାକିଆ ଗ୍ରାମର ଦୁଇ ଜଣ ଯୁବତୀ। କୋଟଗଡ଼ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଶ୍ରାମ୍ବୀ ଗ୍ରାମର ଜଣେ ଯୁବକ ।
ଗାହାକିଆ ଗ୍ରାମର କାଡିଙ୍ଗା ପ୍ରଧାନଙ୍କ ଝିଅ ବରଣୀ ପ୍ରଧାନ(୨୫)ଙ୍କର ମୃତ୍ୟୁ ଗତ ୧୪ ତାରିଖରେ ହୋଇଥିବା ବେଳେ ଆଜି ଭୋର ସମୟରେ ସେହି ଗ୍ରାମର ପୀତବାସ ପ୍ରଧାନଙ୍କ ଝିଅ ମମତା ପ୍ରଧାନ (୨୨)ର ମୃତ୍ୟୁ ହୋଇଛି। ଆଉ ଜଣେ ଯୁବକ ହେଲେ କୋଟଗଡ଼ ଥାନା ଶ୍ରୀରାମପୁର ପଞ୍ଚାୟତ ଶ୍ରାମ୍ବୀ ଗ୍ରାମର ଦପକା ସୁନାମାଝୀଙ୍କ ପୁଅ ଉଦାମ ସୁନାମାଝୀ(୩୦)। ତେବେ ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି ରହିଥିବା ଅନ୍ୟ ଦୁଇଜଣ ଯୁବତୀ ହେଲେ ଗାହାକିଆ ଗ୍ରାମର ବିଷପତି ପ୍ରଧାନଙ୍କ ଝିଅ ଅଞ୍ଜଳି ପ୍ରଧାନ(୨୨) ଓ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳର ରବି ସାକ୍ରିଙ୍କ ଝିଅ ରୀନା ସାକ୍ରି (୨୨) ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ବେଙ୍ଗାଲୁରରେ ଗୋଟିଏ ଘର ଭଡ଼ାନେଇ ୪ ଜଣ ଯୁବତୀ ଓ ଜଣେ ଯୁବକ ରହୁଥିଲେ। ହେଲେ ଗତ ୧୪ ତାରିଖ (ମଙ୍ଗଳବାର) ଦିନ ସକାଳ ପ୍ରାୟ ୬ଟା ସମୟରେ ରୋଷେଇ କରିବା ସମୟରେ ଗ୍ୟାସ ସିଲିଣ୍ଡରଟି ଫାଟି ଯାଇ ଏଭଳି ଅଘଟଣ ଘଟିଛି।ତେବେ ଏ ଖବର ପାଇଁ ଗାହାକିଆ ଓ ଶ୍ରାମ୍ବୀ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖାଦେଇଛି। ଅନ୍ୟପଟେ ପରିବାର ଲୋକେ ମୃତ ବରଣୀ,ମମତା ଓ ଉଦାମଙ୍କ ଶରୀରକୁ ଗାଁରେ କିଭଳି ପହଞ୍ଚିବ ସେନେଇ ସ୍ଥାନୀୟ ପ୍ରଶାସନକୁ ଭେଟି ନିବେଦନ କରିଛନ୍ତି। ଦୀର୍ଘ ୬ ମାସ ତଳେ ସଭିଏଁ ବେଙ୍ଗାଲୁରୁ ଯାଇଥିଲେ ଆଉ ସେଠାରେ ରହିଥିବା ଆଡ଼କୋକ ଇଂଗ୍ରାମ ନାମକ ଫାର୍ମା ମେଡ଼ିସିନ କମ୍ପାନୀରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି।