ଘରେ ପଶି ଶିକ୍ଷୟିତ୍ରୀଙ୍କୁ ମାରିଲେ ଦୁର୍ବୃତ୍ତ, ସ୍ୱାମୀ ଓ ଝିଅ ଗୁରୁତର

ମୀର୍ଜାପୁରରେ ବୀଭତ୍ସ ହତ୍ୟାକାଣ୍ଡ, କାରଣ ଖୋଜୁଛି ପୋଲିସ

ଘରେ ପଶି ଶିକ୍ଷୟିତ୍ରୀଙ୍କୁ ମାରିଲେ ଦୁର୍ବୃତ୍ତ, ସ୍ୱାମୀ ଓ ଝିଅ ଗୁରୁତର

ସନ୍ଦିପ୍ତ ରାୟ​, ଯାଜପୁର: ଧର୍ମଶାଳା ଥାନା ମୀର୍ଜାପୁର ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ତରୁଲତା ବିଶ୍ୱାଳ । ସେ ଜଣେ ଶିକ୍ଷୟିତ୍ରୀ ବୋଲି ଜଣାପଡ଼ିଛି । ସେହିପରି ଏହି ଆକ୍ରମଣରେ ମୃତ ମହିଳାଙ୍କ ସ୍ୱାମୀ ଓ ଝିଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କିଏ ଏବଂ କେଉଁ କାରଣରୁ ଏହି ଆକ୍ରମଣ କରିଛି, ତାହା ସ୍ପଷ୍ଟ ହୋଇପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

6

ସୂଚନା ମୁତାବକ, ମୃତ ମହିଳା ତରୁଲତା ବିଶ୍ୱାଳ ମିର୍ଜାପୁର ଅନନ୍ତ କୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଥିଲେ । ଆଜି ସକାଳୁ ତାଙ୍କ ମୃତ ଦେହ ଘର ସାମ୍ନାରେ ପଡ଼ିଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ । ପରେ ମୃତ ମହିଳାଙ୍କ ସ୍ୱାମୀ ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ଏଭଳି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଘରେ ସମସ୍ତେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଅତର୍କିତ ଆକ୍ରମଣ କରିଥିବା ପୋଲିସ ଆଶଙ୍କା କରୁଛି । 

ଯାହା ଜଣାପଡ଼ିଛି, ମୃତ ମହିଳାଙ୍କ ସ୍ୱାମୀ ଜଣେ ଇଞ୍ଜିନିୟର । ସେହିପରି ଝିଅର ବୟସ ୧୬ ବର୍ଷ । ସେ ଯୁକ୍ତ ଦୁଇରେ ପଢ଼ୁଛନ୍ତି । କେଉଁ କାରଣରୁ ପୁରା ପରିବାର ଉପରେ ଏହି ଆକ୍ରମଣ ହୋଇଛି, ସେକଥା ଜଣାପଡ଼ିନାହିଁ । ବିଭିନ୍ନ ଦିଗକୁ ଆଖି ଆଗରେ ରଖି ପୋଲିସ ତଦନ୍ତ କରୁଛି ।  ପୂର୍ବ ଶତ୍ରୁତା ନା ହତ୍ୟାକାଣ୍ଡ ପଛରେ ଅନ୍ୟ କୌଣସି କାରଣ ଅଛି, ସେନେଇ ତଦନ୍ତ କରୁଛି ପୋଲିସ ।