ଜାତୀୟ ହସ୍ତତନ୍ତ ଦିବସ: ପେଟ ପାଇଁ ଛାଡ଼ୁଛନ୍ତି କୌଳିକ ବୃତ୍ତି
Advertisement

ଜାତୀୟ ହସ୍ତତନ୍ତ ଦିବସ: ପେଟ ପାଇଁ ଛାଡ଼ୁଛନ୍ତି କୌଳିକ ବୃତ୍ତି

କୋରୋନା ମହାମାରୀର ଲକଡ଼ାଉନ ଏବେ ଅନେକଙ୍କ କୌଳିକ ବୃତ୍ତିକୁ ଛଡ଼ାଇ ନେଇ ସାରିଲାଣି।

ଜାତୀୟ ହସ୍ତତନ୍ତ ଦିବସ: ପେଟ ପାଇଁ ଛାଡ଼ୁଛନ୍ତି କୌଳିକ ବୃତ୍ତି

ସୂର୍ଯ୍ୟ ନାରାୟଣ ମହାନ୍ତି, ଖୋର୍ଦ୍ଧା: ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଏହି ଦିନ ଆସିଲେ ବୁଣାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପ୍ରଚଳନ କରିଥିବା ବିଭିନ୍ନ ଯୋଜନାର ଡ଼ିଣ୍ଡିମ ପିଟୁଛନ୍ତି ଓ ସଫଳତାର ଲମ୍ବା କାହାଣୀ ବଖାଣୁଛନ୍ତି । କିନ୍ତୁ ବାସ୍ତବ ସ୍ଥିତି କିଛି ଭିନ୍ନ କାହାଣୀ ବଖାଣୁଛି । ରାଜ୍ୟରେ ଏବେ ଅନେକ ବୁଣାକାର ନିଜର କୌଳିକ ବୃତ୍ତି ଛାଡ଼ି କାମଧନ୍ଦା କରିବାକୁ ବାହାରକୁ ଯାଉଛନ୍ତି । ତେବେ କୋରୋନା ମହାମାରୀ ଲକଡ଼ାଉନ ଯୋଗୁଁ ଖୋର୍ଦ୍ଧା ଜିଲ୍ଳାର ଅନେକ ବୁଣାକାର ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚଳୁଛନ୍ତି । ଏପରକି ଅନେକ ତନ୍ତ ମଧ୍ୟ ବନ୍ଦ କରିଦେଲେଣି । 

କୋରୋନା ମହାମାରୀର ଲକଡ଼ାଉନ ଏବେ ଅନେକଙ୍କ କୌଳିକ ବୃତ୍ତିକୁ ଛଡ଼ାଇ ନେଇ ସାରିଲାଣି। ଆହୁରି ମଧ୍ୟ ଅନେକଙ୍କ କୌଳିକ ବୃତ୍ତିକୁ ଛଡ଼ାଇ ନେବାକୁ ବସିଛି । ବୁଣାବୁଣି କରି ନିଜର ଓ ନିଜ ପରିବାରର ପେଟପାଟଣା ସମ୍ଭାଳୁଥିବା ଲୋକମାନେ ଏବେ ହାତବାନ୍ଧି ବସିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଥିବା ହଜାର ହଜାର ବୁଣାକାର ରୋଜଗାର ଶୂନ୍ୟ । ଲକଡ଼ାଉନ ଯୋଗୁ ନାଁ ଠିକ୍ ଭାବେ ପାଇପାରିଲେ କଞ୍ଚାମାଲ, ନାଁ ତିଆରି କରିଥିବା ସାମଗ୍ରୀକୁ ବିକ୍ରିବଟା କରିପାରିଲେ। ପୂର୍ବରୁ ଏହି ବୁଣାକାରମାନେ ସ୍ୱଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ମହୋତ୍ସବ, ପଲ୍ଲିଶ୍ରୀମେଳା, ପ୍ରଦର୍ଶନୀ ଆଦିରେ ବିକ୍ରିବଟା କରି ପେଟ ପୋଷୁଥିଲେ। ଏବେ ତାହା ବନ୍ଦ ହୋଇଯାଇଛି । ସେହିପରି ବସ୍ତ୍ର ଦୋକାନ ଗୁଡ଼ିକ ବାରମ୍ବାର ବନ୍ଦ ଯୋଗୁ ଦୋକନ ମାଲିକମାନେ ଏମାନଙ୍କ ତିଆରି ସାମଗ୍ରୀ ନେଉନଥିବା କହିଛନ୍ତି ବୁଣାକାର।

ଏବେ ହାତଗଣତି କେତୋଟି ପରିବାରକୁ ଛାଡ଼ିଦେଲେ ଅଧିକାଂଶ ବୁଣାକାର କାମ ନପାଇ ଘରେ ବସିଛନ୍ତି । ତରାବୋଇ ଗ୍ରାମରେ ୪୨ରୁ ଊର୍ଦ୍ଧ୍ୱ ପରିବାର ବୁଣାବୁଣି କରି ନିଜର ପେଟପାଟଣା ଚଲାଉଥିବା ବେଳେ ଏବେ ୧୦ଟି ମେସିନ ସମ୍ପୁର୍ଣ୍ଣ ବନ୍ଦ ହୋଇଗଲାଣି । ପୂର୍ବରୁ ଯେତିକି କଞ୍ଚାମାଲ ଥିଲା ସେଥିରେ ଶାଢୀ ଠାରୁ ଆରମ୍ଭ କରି ଧୋତି, ଗାମୁଛା, ମାକ୍ସ ଆଦି ତିଆରି କରିଥିଲେ ମଧ୍ୟ ବଜାର ଅଭାବ ଯୋଗୁ ତାହା ବିକ୍ରିବଟା ହୋଇପାରୁନାହିଁ । ଫଳରେ ଘର ଭିତରେ ଗଦାଗଦା ହୋଇ ପଡ଼ି ରହିଛି ଏସବୁ ସାମଗ୍ରୀ । ସରକାରଙ୍କ ଏପରି ସମୟରେ ସହଯୋଗର ହାତ ନ ବଢାଇଲେ, ବାଧ୍ୟ ହୋଇ ନିଜ କୌଳିକ ବୃତ୍ତି ଛାଡ଼ି ମୂଲ ଲାଗିବାକୁ ଯିବେ ବୋଲି କହିଛନ୍ତି ବୁଣାକାର ପରିବାର ।