ଭବ୍ୟ ତାରାତାରିଣୀ ପୀଠର ପ୍ରତିଷ୍ଠା ମହୋତ୍ସବ; ଆଜି ଘଣ୍ଟାକ ପାଇଁ ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ
Advertisement

ଭବ୍ୟ ତାରାତାରିଣୀ ପୀଠର ପ୍ରତିଷ୍ଠା ମହୋତ୍ସବ; ଆଜି ଘଣ୍ଟାକ ପାଇଁ ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ

ମେ ୧୫ ତାରିଖରୁ ଆରମ୍ଭ ହୋଇଥିବା ମା' ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ବୁଧବାର ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ଘଣ୍ଟାକର ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ସୌ- ସୋସିଆଲ ମିଡିଆ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ମନ୍ଦିରର ଛଅ ଦିନିଆ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି। ମେ ୧୫ ତାରିଖରୁ ଆରମ୍ଭ ହୋଇଥିବା ମହୋତ୍ସବ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ବୁଧବାର ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ଘଣ୍ଟାକର ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଆଦି ଶକ୍ତିକ୍ଷେତ୍ର ମା' ତାରାତାରିଣୀ ପୀଠର ରୂପାନ୍ତରଣ ହୋଇଛି। ରାଜ୍ୟ ସରକାର ପ୍ରାୟ ୧୧୭ କୋଟି ଟଙ୍କ ଖର୍ଚ୍ଚ କରି ଏହି ପୀଠର ବିକାଶ କରିଛନ୍ତି। ନୂଆ ତାରାତାରିଣୀ ମନ୍ଦିରରେ ଓଡିଶାର ସ୍ଥାପତ୍ୟ, କଳା ଓ ଭସ୍କର୍ଯ୍ୟର ଏକ ଅନୁପମ ନିଦର୍ଶନ ଦେଖିବାକୁ ମିଳୁଛି। ଗତ ୧୫ ତାରିଖରୁ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ ଓ ଏସଭି କ୍ରିଷ୍ଣା ତାରାତାରିଣୀ ପୀଠ ପରିଦର୍ଶନ କରିଛନ୍ତି। ବୁଧବାର ଏହି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

Also Read: ନୂଆ ରୂପରେ ତାରାତାରିଣୀ ପୀଠ; ଶୁଭ ଦେଇଥିଲେ ଭି.କେ. ପାଣ୍ଡିଆନ, ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନବୀନ

 

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ବୁଧବାର ସକାଳ ୯ଟା ୫୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକ୍ୟାପଟର ପୁରୁଷତ୍ତୋମପୁର ପହଞ୍ଚିବ। ହେଲିକ୍ୟାପଟର ଓହ୍ଲାଇବା ପାଇଁ ତାରାତାରିଣୀ ପାହାଡରେ ଏକ ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରାଯାଇଛି। ମଙ୍ଗଳବାର ସେହି ଅସ୍ଥାୟୀ ହେଲିପ୍ୟାଡରେ ତିନି ସଚିବଙ୍କ ହେଲିକ୍ୟାପଟର ଓହ୍ଲାଇଥିଲା। ହେଲିକ୍ୟାପଟରରୁ ଓହ୍ଲାଇ ମୁଖ୍ୟମନ୍ତ୍ରୀ ସକାଳ ୧୦ଟାରେ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ଯୋଗ ଦେବେ। ଏହାପରେ ସେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ। ଏହି ଅବସରରେ ଯଜ୍ଞ ମଣ୍ତପ, ପ୍ରାଶାସନିକ ଗୃହ, ଭ୍ୟୁ-ପଏଣ୍ଟ ମାକେର୍ଟ କମ୍ପ୍ଲେକ୍ସ୍, ଭୋଗ ବଣ୍ଟନ ଗୃହ ଓ ଦୀପ ଘର ଆଦିର ଉଦଘାଟନ କରିବେ। ଏହାପରେ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ। 

ବୁଧବାର ମା' ତାରାତାରିଣୀ ପୀଠର ସୂର୍ଯ୍ୟପୂଜା ସହ ମଣ୍ତଳଦେବତା ପୂଜା, ହୋମ, ଦଶମହାବିଦ୍ୟା ଓ ଯଜ୍ଞ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମନ୍ଦିର ପରିସରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଗତ ୨୦ ବର୍ଷ ମଧ୍ୟରେ ତାରାତାରିଣୀ ପୀଠର ବିକାଶ ପାଇଁ ସରକାର ପ୍ରାୟ ୧୧୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବର୍ତ୍ତମାନର ୫ଟି ସଚିବ, ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ମନ୍ଦିରର ବିକାଶ କାର୍ଯ୍ୟର ଶୁଭ ଦେଇଥିଲେ।

Also Read: କ୍ୟାନସର ପାଇଁ ମଶାଣିରେ ଅସହାୟ ପରିବାର, ସଢି ଗଲାଣି ଉଣ୍ଟୁଙ୍କ ଅଧା ମୁହଁ

ସୂଚନାଯୋଗ୍ୟ, ତାରାତାରିଣୀ ମନ୍ଦିର ହିନ୍ଦୁ ଧର୍ମର ଶକ୍ତି-ସ୍ୱରୂପିଣୀ ଦେବୀ ତାରାତାରିଣୀଙ୍କ ଶକ୍ତିପୀଠ। ଆମ ଦେଶରେ ଥିବା ବିଭିନ୍ନ ୫୧ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ। ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି। ଓଡ଼ିଶାରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ମା ତାରାତାରିଣୀଙ୍କ ପୀଠର ସ୍ୱାତନ୍ତ୍ର୍ୟତା ରହିଛି। ଏହି ପୀଠ ବୌଦ୍ଧ, ବୈଷ୍ଣବୀ, ତନ୍ତ୍ର ଓ ଶକ୍ତିପୀଠ ଭାବରେ ପ୍ରସିଦ୍ଧି ଲାଭ କରିଛି। ନିଃସନ୍ତାନ ଥିବା ବ୍ୟକ୍ତି ସନ୍ତାନ ଆଶା କରି ଏଠାରେ ମାନସିକ କରନ୍ତି। ମାନସିକ ପୂରଣ ହେବାପରେ ବିଶେଷତଃ ଚୈତ୍ର ମଙ୍ଗଳବାରରେ ପୀଠରେ ପ୍ରବଳ ଭିଡ଼ ହୋଇଥାଏ।