ଦାରିଙ୍ଗବାଡିରେ ଏବେ ଘଡିକେ ଘୋଡ଼ା ଛୁଟୁଛି। ୧୨ ଘଣ୍ଟା ନ ପୁରୁଣୁ ଚାପରେ ଜିଲ୍ଲାପାଳ କ୍ଷମତା ପ୍ରତ୍ୟାହାର କଲେ ସରପଞ୍ଚ, ୪୮ ଘଣ୍ଟିଆ ସଟ୍ଡାଉନ୍ ଘୋଷଣାକୁ ପ୍ରତ୍ୟାହାର କଲେ।ଆଉ ଏବେ ରାତି ନପାଉଣୁ ସଂକ୍ରମଣ ଆଶଙ୍କା ଏରିଆ ଘୋଷଣା କରି ଦାରିଙ୍ଗବାଡି ବଜାରର ସମସ୍ତ ଦୋକାନ ବଜାରକୁ ବନ୍ଦ କରିଦିଆଯାଇଛି।
Trending Photos
)
ପ୍ରିୟବ୍ରତ ସାହୁ, କନ୍ଧମାଳ: କୋରୋନା ମୁକାବିଲା ପାଇଁ ତୃଣମୂଳସ୍ତରରେ ଥିବା ସରପଞ୍ଚମାନଙ୍କୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରଶାସନର ଅନୁମତି ନେଇ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଦାରିଙ୍ଗବାଡ଼ିକୁ ୪୮ ଘଣ୍ଟା ସଟ୍ଡାଉନ୍ ଘୋଷଣା କରିଥିଲେ ସରପଞ୍ଚ। ହେଲେ ୧୨ ଘଣ୍ଟା ନ ପୁରୁଣୁ ଚାପରେ ସଟ୍ଡାଉନ ଘୋଷଣାକୁ ସରପଞ୍ଚ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି। ଏନେଇ ଲିଖିତ ଭାବେ ୪୮ଘଣ୍ଟିଆ ସଟ୍ଡାଉନ୍ ଘୋଷଣା ପ୍ରତ୍ୟାହାର କରାଗଲା ବୋଲି ସମସ୍ତ ବିଭାଗକୁ ଚିଠି ପ୍ରେରଣ କରିଥିଲେ।ଏହି ଘଟଣାକୁ ନେଇ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କେବଳ କାଗଜ କଲମରେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ରାତି ନପାଉଣୁ ଦାରିଙ୍ଗବାଡି ଅଞ୍ଚଳକୁ ସଂକ୍ରମଣ ଏରିଆ ଘୋଷଣା କରାଯାଇ ଦାରିଙ୍ଗବାଡି ବଜାରର ସମସ୍ତ ଦୋକାନ ବଜାରକୁ ବନ୍ଦ କରି ଦିଆଯାଇଛି। ଯେଉଁଥିପାଇଁ ଦାରିଙ୍ଗବାଡି ପଞ୍ଚାୟତ ଅଞ୍ଚଳରେ ଘଡିକେ ଘୋଡ଼ା ଛୁଟୁଛି ବୋଲି କୁହାଯାଉଛି।
ଦାରିଙ୍ଗବାଡ଼ି ସରପଞ୍ଚ ରାଧାକାନ୍ତ ପ୍ରଧାନ ପଞ୍ଚାୟତକୁ ଗତ ୨୧ ତାରିଖ ସନ୍ଧ୍ୟାରେ ୪୮ଘଣ୍ଟା ସଟଡାଉନ ଘୋଷଣା କରିଥିଲେ। ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ କାର୍ଯ୍ୟରତ ଜଣେ ଶିକ୍ଷା ବିଭାଗର ସିଆର୍ସିସି କୋରୋନା ଭୂତାଣୁ ସଂକ୍ରମଣ ହୋଇଥିବା ରିପୋର୍ଟ ଆସିବା ପରେ ୨୧ ତାରିଖରେ ଏହି ସଂକ୍ରାନ୍ତରେ ପଞ୍ଚାୟତବାସୀ ସମେତ ବଣିକସଂଘ, ବୁଦ୍ଧିଜୀବୀ ଓ ବ୍ଳକ ପ୍ରଶାସନ ସହ ଆଲୋଚନା କରି ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ସଟ୍ଡାଉନ୍ ଘୋଷଣା କରିଥିଲେ।ଏନେଇ ଡାକବାଜି ଯନ୍ତ୍ର ଯୋଗେ ପ୍ରତି ସାହି ବୁଲି ସନ୍ଧ୍ୟା ୫ଘଣ୍ଟା ଠାରୁ ୨୩ତାରିଖ ସନ୍ଧ୍ୟା ୫ଘଣ୍ଟା ଯାଏ ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତକୁ ସଟ୍ଡାଉନ କରିଥିଲେ।
![]()
ହେଲେ ସରପଞ୍ଚ ସଟ୍ଡାଉନ ଘୋଷଣା କରିବାର କିଛି ଘଣ୍ଟା ପରେ ପ୍ରଶାସନ ପକ୍ଷରୁ ଏହି କ୍ଷମତା ସରପଞ୍ଚଙ୍କ ପାଖରେ ନ ଥିବା ଦର୍ଶାଇ ପ୍ରତ୍ୟାହାର କରିବାକୁ ଚାପ ପଡ଼ିଥିଲା । ଏଥିରେ ସରପଞ୍ଚ ବାଧ୍ୟ ହୋଇ ୧୨ ଘଣ୍ଟା ନପୁରୁଣୁ ସଟ୍ଡାଉନ ଘୋଷଣାକୁ ପ୍ରତ୍ୟାହାର କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରକାରେ ପ୍ରଶାସନ ସହ ଆଲୋଚନା କରି ସରପଞ୍ଚ ନିଜ ପଞ୍ଚାୟତରେ ଏହି ସଟ୍ଡାଉନ ଘୋଷଣା କରିଥିଲେ ବୋଲି କହିଛନ୍ତି ସରପଞ୍ଚ ରାଧାକାନ୍ତ ପ୍ରଧାନ। ହେଲେ ପୁଣି ଚାପ ପଡ଼ିବା ଯୋଗୁ ଏହାକୁ ପ୍ରତ୍ୟାହାର କରିବା ପରେ ନିଜେ ଗ୍ରାମବାସୀଙ୍କ ଆଗରେ ଲଜ୍ଜିତ ହୋଇଛନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି ।
ପ୍ରକାଶ ଥାଉକି, କନ୍ଧମାଳର ଅଧିକାଂଶ ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟର ଜଗିବା ଓ ଖର୍ଚ୍ଚ କାଗଜରେ ଦସ୍ତଖସ୍ତ ମାରିବା ଛଡା ସରପଞ୍ଚମାନେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିପାରୁ ନାହାଁନ୍ତି। କନ୍ଧମାଳ ଜିଲ୍ଲାର ସମୁଦାୟ ୧୭୧ ପଞ୍ଚାୟତର ସରପଞ୍ଚଙ୍କ ମଧ୍ୟରୁ କେହି ବି ଜଣେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିନଥିବା ବେଳେ ଦାରିଙ୍ଗବାଡ଼ି ସରପଞ୍ଚ ନିଜ ଦମ୍ ଦେଖାଇ ନିଜ ପଞ୍ଚାୟତ ଅଞ୍ଚଳକୁ ୪୮ ଘଣ୍ଟା ପାଇଁ ସଟ୍ଡାଉନ କରିଥିଲେ। ହେଲେ ପୁଣି ଚାପରେ ସଟ୍ଡାଉନ ଘୋଷଣାକୁ ପ୍ରତ୍ୟାହାର କରିବା ପରେ ଏକ୍ଷେତ୍ରରେ କରୋନା ଯୋଦ୍ଧା ସରପଞ୍ଚଙ୍କ କିଛି ଭୂମିକା ରହୁନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।
ତେବେ ଆଜି ପୁଣି ରାତି ନପାଉଣୁ ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡି ଅଞ୍ଚଳକୁ ସଂକ୍ରମଣ ଆଶଙ୍କା ଏରିଆ ଘୋଷଣା କରାଯାଇ ଦାରିଙ୍ଗବାଡି ବଜାରର ସମସ୍ତ ଦୋକାନ ବଜାରକୁ ବନ୍ଦ କରିଦିଆଯାଇଛି।ଆଉ ମିଳିଥିବା ସୂଚନା ଅନୁଯାଇ ଦାରିଙ୍ଗବାଡି ପଞ୍ଚାୟତ ଅଞ୍ଚଳର କିଛି ୱାର୍ଡ ଓ ସାହିକୁ କଣ୍ଟେନମେଣ୍ଟ ଜୁନ ଭାବେ ଘୋଷଣା କରାଯାଇପାରେ ବୋଲି ପ୍ରଶାସନିକ ସ୍ତରରେ ଆଲୋଚନା ମଧ୍ୟ ହେଉଛି ତେଣୁ ଏବେ ଦାରିଙ୍ଗବାଡି ପଞ୍ଚାୟତ ଅଞ୍ଚଳରେ ଘଡିକେ ଘୋଡ଼ା ଛୁଟୁଛି ବୋଲି ଜନ ସାଧାରଣଙ୍କ ମଧ୍ୟରେ ପ୍ରକାଶ ପାଇଛି।