ରଜ ଝିଅଙ୍କର ଏକ ମୁଖ୍ୟ ପର୍ବ, ପ୍ରତ୍ୟେକ ଓଡ଼ିଆ ଝିଅମାନେ ପାରମ୍ପରିକ ରୀତିନୀତି ଅନୁସାରେ ରଜ ପର୍ବ ପାଳନ କରିଥାଆନ୍ତି । ଏଥର କିନ୍ତୁ ରଜକୁ ଫିକା କରିଦେଇଛି କୋରୋନା । ରଙ୍ଗବେରଙ୍ଗର ଚୁଡି ଓ ମେହେନ୍ଦିରେ ସଜେଇ ହେଉଥିବା ହାତରେ ଦେଖିବାକୁ ମିଳୁଛି ଗ୍ଲୋବସ୍ ଓ ସାନିଟାଇଜର୍ ।
Trending Photos
)
ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ରଜ ଝିଅଙ୍କର ଏକ ମୁଖ୍ୟ ପର୍ବ, ପ୍ରତ୍ୟେକ ଓଡ଼ିଆ ଝିଅମାନେ ପାରମ୍ପରିକ ରୀତିନୀତି ଅନୁସାରେ ରଜ ପର୍ବ ପାଳନ କରିଥାଆନ୍ତି । ଏଥର କିନ୍ତୁ ରଜକୁ ଫିକା କରିଦେଇଛି କୋରୋନା । ରଙ୍ଗବେରଙ୍ଗର ଚୁଡି ଓ ମେହେନ୍ଦିରେ ସଜେଇ ହେଉଥିବା ହାତରେ ଦେଖିବାକୁ ମିଳୁଛି ଗ୍ଲୋବସ୍ ଓ ସାନିଟାଇଜର୍ । ଏଥର ପାନ ନୁହେଁ, ସମସ୍ତଙ୍କ ମୁହଁରେ ମାସ୍କ । ଲୁଡୁ କି ତାସ୍ ନୁହେଁ, ସାମାଜିକ ଦୂରତ୍ୱ ମଧ୍ୟରେ ପାଳନ ହେଉଛି ଗଣପର୍ବ ରଜ । ଆଉ ଏଥିରୁ ବାଦ୍ ପଡ଼ିନାହାନ୍ତି ଓଡ଼ିଆ ଅଭିନେତ୍ରୀମାନେ । ରଜ ପର୍ବ ପାଳନ ସମ୍ପର୍କରେ ଆମେ କିଛି ଅଭିନେତ୍ରୀଙ୍କ ମତାମତ ଲୋଡିଥିଲୁ । ସେମାନଙ୍କ କଥା ଶୁଣି ଲାଗିଲା ଏଥର ରଜର ନାମ ବଦଳି ସତେ ଯେପରି ହୋଇଯାଇଛି 'ଲକଡାଉନ୍ ରଜ' ।
ଅନୁଭା: ଖୁସି ମନାଇବା ସମୟ ନୂହେଁ ଜୀବନ ବଞ୍ଚାଇବାର ସମୟ

ରଜ ମୁଁ ପାଳୁନି । କାରଣ ମୁଁ ଭଲପାଉଥିବା ପିଙ୍କୁ (ପୋଷା କୁକୁର) ମତେ ଛାଡି ଚାଲିଯାଇଛି । ତା'ଦେହ ଖରାପ ଥିଲା, ଡାକ୍ତରଙ୍କୁ ଦେଖାଇଥିଲି କିନ୍ତୁ ବୟସାଧିକ କାରଣରୁ ବଞ୍ଚାଇବା ସମ୍ଭବ ହେଲାନି । କିନ୍ତୁ ଯେଉଁମାନେ ରଜ ସେଲିବ୍ରେସନ୍ କରୁଛନ୍ତି ସେମାନଙ୍କୁ ଏତିକି କହିବି ଏହା ଖୁସି ମନାଇବା ସମୟ ନୂହେଁ । ଜୀବନ ବଞ୍ଚାଇବାର ସମୟ ବରଂ ଏଥର ରଜକୁ ନିଆରା ଢଙ୍ଗରେ ଭିଡିଓ କଲ୍ , ଅନଲାଇନ୍ ଗେମ୍ , ଡିଜିଟାଲ୍ ମିଡିଆର ସାହାରା ନେଇ ମନାନ୍ତୁ । ମୁଁ ନିଜେ ମଧ୍ୟ କୋରୋନା ପାଇଁ ଖବ୍ ସଚେତନ ଅଛି କାରଣ ମୁଁ ମୋ ପରିବାରକୁ ଖବ୍ ଭଲପାଏ । ଏଥର ରଜକୁ ନିଜେ ଘରେ ରହି ସେଲିବ୍ରେସନ୍ କରିବାକୁ ସମସ୍ତଙ୍କୁ ଅନୁରୋଧ କରିବି । ଏ ସମୟରେ ମୁଁ ଘରେ ରହି ୟୁଟ୍ୟୁବ ଦେଖି ନୂଆନୂଆ ରୋଷେଇ ଶିଖୁଛି । ମତେ ପୋଡ଼ ପିଠା ତିଆରି କରି ଆସେନି କିନ୍ତୁ ମୁଁ ଚକୁଳି ପିଠା ଖୁବ୍ ଭଲଭାବରେ ତିଆରି କରିପାରେ । ଚକୁଳି ସହ ଚିନି କିମ୍ୱା ଗୁଡ଼ ଖାଇବାକୁ ମତେ ଖୁବ୍ ଭଲଲାଗେ । ସିନେମା କଥା କହିବାକୁ ଗଲେ ଏଥର ରଜରେ ଦର୍ଶକ ହଲରେ ସିନେମା ଦେଖିବାକୁ ଇଛୁକ ନୁହଁନ୍ତି ବରଂ ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ନୂଆନୂଆ ସିନେମା ଘରେ ରହି ଦେଖୁଛନ୍ତି କିନ୍ତୁ ଏହି ସମୟ ଆମ ସିନେ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ କ୍ଷତି, ବିଶେଷ କରି ଟେକନିସିଆନମାନଙ୍କ ପ୍ରତି ସରକାର ଦୃଷ୍ଟି ଦେଇ ସହଯୋଗର ହାତ ବଢାଇବା ଆବଶ୍ୟକ । ରଜ ପାଇଁ ନୂଆ ଡ୍ରେସ୍ କଥା କହିବାକୁ ଗଲେ ଛଅ ମାସ ପୂର୍ବରୁ ମୁଁ ଯାହା ଡ୍ରେସ୍ କିଣିଥିଲି କିନ୍ତୁ ନିକଟରେ ମାର୍କେଟ ବିଲ୍ଡିଂରେ ଘଟିଥିବା ଘଟଣା ଜୀ ଓଡ଼ିଶାରେ ଦେଖିବା ପରେ ଏତିକି ଅନୁରୋଧ କରିବି ଏଥର ନହେଲେ ଆରବର୍ଷ ରଜକୁ ଖୁବ୍ ଭଲଭାବରେ ପାଳନ କରିହେବ କିନ୍ତୁ ଏମିତି ଭିଡ଼ କରି କୋରୋନାକୁ ନିମନ୍ତ୍ରଣ କରନ୍ତୁନି ।
ଲିପ୍ସା: ମାଗଣା ମିଳିଲେ ରଜ ପାନ ଖାଇବି

କୋରୋନା ସମୟରେ ମୁଁ ରଜ କେମିତି ପାଳିବି ? କେବଳ ମୁଁ ନୂହେଁ ଏଥର ରଜକୁ କେହି ବି ପୂର୍ବପରି ସେଲିବ୍ରେସନ୍ କରିବା ଉଚିତ୍ ନୂହେଁ , କାରଣ ଲୋକମାନେ ଖୁସିରେ ନାହାନ୍ତି ତେଣୁ ଆମେ ରଜ ପାଳିବା କେଉଁ ଖୁସିରେ ? ବରଂ ସ୍ଥିତି ସୁଧୁରିଲେ ଆମେ ଆସନ୍ତା ବର୍ଷକୁ ଖୁବ୍ ଧୁମଧାମରେ ସବୁପର୍ବକୁ ପାଳନ କରିପାରିବା । କିନ୍ତୁ ହଁ ଯେଉଁମାନେ ଘରେ ବୋର ହେଉଛନ୍ତି ସେମାନେ ଅନଲାଇନ୍ ରେ ନିଜ ବନ୍ଧୁଙ୍କ ସହ ଲୁଡୁ, ତାସ୍ , ଚେସ୍ ଏସବୁ ଖେଳନ୍ତୁ । କିନ୍ତୁ କୌଣସି ସ୍ଥାନରେ ଏକଜୁଟ୍ ହୋଇ ଇନଡୋର୍ ଗେମ୍ ଖେଳିବା ସପକ୍ଷରେ ମୁଁ ନାହିଁ । ମୁଁ ନିଜେ ମଧ୍ୟ ଦୂରରେ ଥିବା ସାଙ୍ଗ ଓ ଭାଇ ଭଉଣୀଙ୍କ ସହ ଅନଲାଇନ୍ ଗେମ୍ ଖେଳେ ଓ ଘରେ ମାମାଙ୍କ ସହ ଲୁଡୁ ଖେଳେ । ଅନୁଭାଙ୍କ ପରି ଲିପ୍ସା ମଧ୍ୟ ଚକୁଳୀ ପିଠା ବ୍ୟତିତ ଅନ୍ୟ କୌଣସି ପିଠା ତିଆରି ଜାଣିନାହାନ୍ତି କିନ୍ତୁ ସମୟ ମିଳିଲେ ସେ ଖୁବ୍ ଶିଘ୍ର ଶିଖିନେବେ ବୋଲି କହିଛନ୍ତି , କିନ୍ତୁ ଆମ ପାରମ୍ପାରିକ ପିଠାପଣା ଖାଇବାକୁ ଖୁବ୍ ଭଲ ପାଆନ୍ତି ଲିପ୍ସା । ଏହାସହ ଲିପ୍ସା ମଜାରେ ହସି ହସି ଏପରି ମଧ୍ୟ କହିଥିଲେ ରଜରେ ମିଠା ପାନ ମୁଁ ଖାଏ, କିନ୍ତୁ ଏଥର ରଜରେ ଯଦି କୌଣସି ଫ୍ୟାନ୍ ମତେ ମିଠା ପାନ ଅଫର୍ କରନ୍ତି ତେବେ ମୁଁ ପାନ ସହ କୋରୋନାକୁ ପଛେ ଖାଇଦେବି କିନ୍ତୁ ଫ୍ୟାନଙ୍କ ମନ ଭାଙ୍ଗିବିନି, ଏହାସହ ଲିପ୍ସା ଏକଥା ମଧ୍ୟ କହିଛନ୍ତି ପାନ ଛେପ ବାହାରେ ପକାଇବା ମନା ତେଣୁ ନପକାଇ ଢୋକିଦେବି । ଶେଷ ରଜ ଦିନ ଜୀ ସାର୍ଥକର ରଜ କୁଇନ୍ ସୁଟିଂ ଅଛି ତେଣୁ ସୁଟିଂ ସେଟ୍ ରେ ମୋ ସହକର୍ମୀଙ୍କ ସହ ସମୟ ବିତିବ ତେଣୁ ବ୍ୟକ୍ତିଗତ ଜୀବନରେ ମୋ ପାଇଁ ରଜ ଫିକା ବୋଲି ଲିପ୍ସା କହିଛନ୍ତି ।
ଏଲିନା: ପୁରୁଣା ସ୍ମୃତି ମନେପକାଇବା ସହ ପୁରୁଣା ଡ୍ରେସ୍ ପିନ୍ଧି ରଜ ପାଳିବି

ରଜ ଏଥର ମୁଁ ଘରେ ପାଳିବି , କାରଣ ଗୋଟେ ଘଣ୍ଟାର ମଜା ଆମ ପାଇଁ ହୁଏତ ସଜା ହୋଇପାରେ , ସଚେତନ ନହୋଇ ରଜ ପାଳନ କଲେ କୋରୋନାକୁ ହୁଏତ ଆମେ ଘରକୁ ଆଣିପାରନ୍ତି , ରଜ ନିଜ ଘରେ ନିଜ ପରିବାର ସଦସ୍ୟଙ୍କ ସହ ପାଳନ କରିବା ଉଚିତ୍ , କାରଣ ବାହାରେ କୋରୋନା । ସମସ୍ତେ ଘରେ ରୁହନ୍ତୁ ପିଠାପଣା, ମିଠା ପାନ ଖାଆନ୍ତୁ । ମୁଁ ମଧ୍ୟ ମୋ ପରିବାର ସଦସ୍ୟଙ୍କ ସହ ଏଥର ରଜକୁ ପାଳନ କରିବି , ନିଜେ ପୋଡ଼ପିଠା ତିଆରି କରି ପରିବାର ସଦସ୍ୟଙ୍କୁ ଖୁଆଇବି , ଏବଂ ମୁଁ ଏଥର ଘରେ ରହି ପୁରୁଣା ଡ୍ରେସ୍ ଯାହା କିଛି ବର୍ଷ ତଳେ ରଜ ସମୟରେ ପିନ୍ଧିଥିଲି ସେହି ସମାନ୍ ଡ୍ରେସ୍ କୁ ମୁଁ ଏଥର ମଧ୍ୟ ପିନ୍ଧିବି ଏବଂ ଖୁସିରେ ରଜ ପାଳନ କରିବି । ରଜ ସମୟରେ ଗାଁ ଅଞ୍ଚଳରେ ଲୋକମାନେ ଏକଜୁଟ୍ ହୋଇ ତାସ୍ ଖେଳୁଥିବା ଦେଖିବାକୁ ମିଳିଥାଏ , କିନ୍ତୁ ଏଥର ସେଥିରୁ ନିବୃତ ରହି ଘର ଲୋକଙ୍କ ସହ ସମୟ ବିତାନ୍ତୁ । କାରଣ ମତେ ନିଜେ ଇନଡୋର ଗେମ୍ ଅପେକ୍ଷା ଆଉଟଡୋର ଗେମ୍ ବେଶି ଭଲ ଲାଗେ କିନ୍ତୁ କୋରୋନା ପାଇଁ ମୁଁ ଆଉଟଡୋର ଗେମ୍ ଖେଳ ଛାଡ଼ିଦେଇଛି । 'ବନସ୍ତେ ଡ଼ାକିଲା ଗଜ ବରଷକେ ଥରେ ଆସିଛି ରଜ' କିନ୍ତୁ ଗଜ ମାନେ ଏବେ ସୁରକ୍ଷିତ ନାହାନ୍ତି ଯାହା କିଛିଦିନ ତଳେ ଆମେ ଖବର ପାଇଥିଲେ କିପରି ଏକ ଗର୍ଭବତୀ ହାତୀକୁ ହତ୍ୟା କରାଯାଇଥିଲା , ଆଉ ସେ ବନସ୍ତ ମଧ୍ୟ ନାହିଁ ଯେଉଁଥିପାଇଁ ପ୍ରକୃତିର ତାଣ୍ଡବ ଳିଳା ଆମେ ଦେଖୁଛନ୍ତି , ତେଣୁ ଆମ ଗଣପର୍ବ ରଜକୁ ବଞ୍ଚାଇବାକୁ ହେଲେ ଆମକୁ ପ୍ରଥମେ ପ୍ରକୃତିକୁ ବଞ୍ଚାଇବାକୁ ପଡ଼ିବ ।
ଶିତଲ: ସେଲିବ୍ରେସନ୍ ନୂହେଁ, ଏକ ଇମୋସନ୍

କୋରୋନା ପାଇଁ ଆଗପରି ଆମେ ରଜ ପାଳିପାରିବା ନାହିଁଁ ସତ କିନ୍ତୁ ଏଥର ରଜକୁ ଏକ ନିଆରା ଢଙ୍ଗରେ ଆମେ ପାଳିବା, ମନରେ ଡ଼ର ଅଛି କିନ୍ତୁ ରଜ ଏକ ସେଲିବ୍ରେସନ୍ ନୂହେଁ ଏହା ଆମ ପାଇଁ ଏକ ଇମୋସନ୍ , ସେଥିପାଇଁ ଆମେ ରଜ ନିଶ୍ଚିତ ପାଳିବା କିନ୍ତୁ ନିଜ ଘରେ ରହିକି ନିଜ ପରିବାର ଓ ପ୍ରିୟଜନଙ୍କ ସହ । ସରକାରଙ୍କ ଗାଇଡଲାଇନକୁ ମାନି ଆମେ ରଜ ପାଳିବା ଘରେ ରହି ଇନଡୋର ଗେମ୍ ଖେଳିବା , ମେହେନ୍ଦି, ଅଳତା ଲଗେଇ ଘରେ ସଜବାଜ ହେବା ଓ ପିଠାପଣା ତିଆରି କରି ଖାଇବା । କିନ୍ତୁ ପ୍ରତିବର୍ଷ ମୁଁ ମୋ ଫ୍ୟାନ୍ ମାନଙ୍କ ସହ ରଜ ପାଳନ କରେ ଏବଂ ମୋର ସିନେମା ମଧ୍ୟ ରଜ ସମୟରେ ରିଲିଜ୍ ହୁଏ ଯାହାକୁ ମୁଁ ଏଥର ଖୁବ୍ ମିସ୍ କରିବି । ରଜ ମଉଜକୁ କେବଳ ମୁଁ ନୁହେଁ ସମସ୍ତେ ମିସ୍ କରିବେ କାରଣ ସମସ୍ତଙ୍କ ପାଇଁ ରଜର ସ୍ୱତନ୍ତ୍ରତା ନିଆରା , ସିନେମା ଦେଖିବା, ବନ୍ଧୁଙ୍କ ଘରକୁ ଯିବା, ବିଦେଶରୁ ଘରକୁ ଆସିବା ଏସବୁ ଏବେ ନିରାଡମ୍ୱର ହୋଇଯାଇଛି । ଏଥର ମୁଁ ମୋ ମାଙ୍କୁ ପୋଡ଼ପିଠା ତିଆରି କରିବାରେ ସାହାର୍ଯ୍ୟ କରିବା ସହ ଏଥର ଶିଖିଯିବାକୁ ଚେଷ୍ଟା କରିବି , ଏବଂ ମଣ୍ଡା , ଆରିସା, ଏଣ୍ଡୁରୀ ଏ ସମସ୍ତ ପିଠା ମୋର ଖୁବ୍ ପ୍ରିୟ ଏବଂ ଏସବୁ ମୁଁ ତିଆରି କରିବା ଶିଖିଛି । କୋରୋନା ଆମକୁ ଅନେକ କିଛି ଶିଖେଇଲା , ପ୍ରଦୂଷଣ ହ୍ରାସ, ନିଜ ପରିବାର ପ୍ରତି ଥିବା କର୍ତ୍ତବ୍ୟ ଏବଂ ପ୍ରକୃତିକୁ ଭଲ ପାଇବା ତେଣୁ ଏହାକୁ ମାନି ଚଳିଲେ ଆମେ କୋରୋନା ଯୁଦ୍ଧରେ ବିଜୟ ହାସଲ୍ କରିପାରିବା ।
ତମନ୍ନା: ପାନ ଖାଇବି, ଶାଢ଼ୀ ପିନ୍ଧି ରଜ ପାଳିବି

ଓଡ଼ିଆ ପରମ୍ପରା ସହ ମୁଁ ଆଗରୁ ଜଡ଼ିତ ହୋଇସାରିଛି, ସବୁ ପର୍ବପର୍ବାଣି ଖୁବ୍ ଧୁମଧାମରେ ମୁଁ ପାଳିଥାଏ କିନ୍ତୁ ଏଥର ଜୀବନ ପାଇଁ କିଛି ତ୍ୟାଗ କରିବାକୁ ପଡ଼ିବ , କାରଣ ଖୁସି ଠାରୁ ଜୀବନ ମୂଲ୍ୟବାନ୍ । ଏକଜୁଟ୍ ନହୋଇ ଆମେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ନିଜ ପରିବାର ସୁରକ୍ଷା ବିଷୟରେ ଚିନ୍ତା କରିବାର ସମୟ ଆସିଛି । ରଜର ମାନେ ନୂହେଁ ନିଜେ ନୂଆ ଡ୍ରେସ୍ ପିନ୍ଧିବା, ବିଭିନ୍ନ ପ୍ରକାରର ଖାଦ୍ୟ ନିଜେ ବନେଇ ଖାଇବା କିମ୍ୱା ବାହାରେ ବୁଲିବା ବରଂ ଏଥର ରଜରେ କିପରି ଅସୁବିଧାରେ ଥିବା ଲୋକଙ୍କ ଓଠରେ ହସଟିକେ ଭରିପାରିବା ସେ ଦିଗରେ ସମସ୍ତେ ଚେଷ୍ଟା କରିବା ଦରକାର । ମୁଁ ନିଜେ ମଧ୍ୟ ନୂଆ ଡ୍ରେସ୍ କିଣିନାହିଁ କିନ୍ତୁ ଘରେ ରହି ରଜ ପାଳିବି ମୋ ମାଆଙ୍କ ନୂଆ ଶାଢ଼ି ପିନ୍ଧି କାରଣ ଭିଡ ଭିତରେ ପଶି ନୂଆ ଡ୍ରେସ୍ କିଣିବାକୁ ମୁଁ ଆଦୌ ଉଚିତ୍ ମନେକରେନାହିଁ କାରଣ ଏହାଦ୍ୱାରା କୋରୋନା ଗୋଷ୍ଠି ସଂକ୍ରମଣ ରୂପ ଧାରଣ କରିପାରେ । ମୁଁ ମଧ୍ୟ ଅନ୍ୟମାନଙ୍କ ପରି ଘରେ ପରିବାର ସଦସ୍ୟଙ୍କ ସହ ତାସ୍ ଖେଳିଥାଏ ଏବଂ ପାନ ଖାଇବାକୁ ମତେ ଖୁବ୍ ଭଲ ଲାଗେ , କେବଳ ରଜରେ ନୁହେଁ ମୁଁ ଅନ୍ୟ ଦିନ ମାନଙ୍କରେ ମଧ୍ୟ ମିଠା ପାନ ଖାଇଥାଏ , ଏଥର ରଜରେ ମୁଁ ପୋଡ଼ ପିଠା ତିଆରି କରିବା ଶିଖିବି କାରଣ ନଶିଖିଲେ ଆମ ପରବର୍ତ୍ତୀ ପିଢ଼ି ଶିଖିବ କେମିତି ? , ସବୁ ଝିଅଙ୍କ ପରି ମୁଁ ରଜ ପାଳନ କରୁଛି ସତ କିନ୍ତୁ ମୋ ରଜରେ ବେଶି ନାହିଁ ମୋଉଜ । ଗତଥର ରଜରେ ମୋର ସିନେମା ଆସିଥିଲା ଗୋଲମାଲ୍ ଲଭ୍ , ଏଥର ମଧ୍ୟ ମୋର ସିନେମା ଆସିବାର ପ୍ଲାନିଂ ଥିଲା କିନ୍ତୁ କୋରୋନା ସବୁକିଛି ସାରିଦେଲା ।
ପୁନମ: ଲକଡାଉନ୍ କୋହୋଳ ମାନେ ନୂହେଁ ରଜ ପାଇଁ ଭିଡ଼ ଜମାଇବା

ରଜ ପାଳନ୍ତୁ ମନା ନାହିଁ କିନ୍ତୁ ଅଜଥା ଭିଡ଼ ଜମାଇ ଅନ୍ୟକୁ ସଂକ୍ରମିତ କରିବା ଠାରୁ ସମ୍ପୁର୍ଣ୍ଣ ନିବୃତ୍ତ ରୁହନ୍ତୁ କାରଣ କୋରୋନା ସଂକ୍ରମଣରେ ଦେଶ ଏବେ ଚାରି ନମ୍ୱରକୁ ଯିବା ସହ ଆହୁରୀ ନୂଆ ପଜେଟିଭ୍ କେସ୍ ବଢିବାରେ ଲାଗିଛି । କୋରୋନା ନିୟମକୁ ଫୁ ନକରି ନିୟମକୁ ମାନି ରଜ ପାଳନ୍ତୁ ଅନଲାଇନରେ କିଣାକିଣି କରନ୍ତୁ କିନ୍ତୁ କିଣିବା ସମୟରେ ସାନିଟାଇଜ୍
ତଥା ସ୍ୱଛତା ଉପରେ ଧ୍ୟାନ ଦିଅନ୍ତୁ । ମୋ ସହ ମୋ ପରିବାର ସ୍ୱଛତା ଦିଗରେ ଖୁବ୍ ଧ୍ୟାନ ଦେଉଛନ୍ତି ଏପରିକି କୌଣସି ଜିନିଷ କିଣିଲେ ଦୀର୍ଘ ସମୟ ଖରାରେ ରଖି ପରେ ସାନିଟାଇଜ୍ କରି ଆମେ ବ୍ୟବହାର କରୁଛୁ । କୌଣସି ବାହାର ଜିନିଷ ଖାଇବା ଅପେକ୍ଷା ନିଜେ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ବନାଇ ଖାଆନ୍ତୁ । ମୁଁ ମିଠାପାନ ପ୍ରଚୁର ପରିମାଣରେ ଖାଏ ସତ କିନ୍ତୁ ଏଥର ପାନ ବାହାରୁ ନକିଣି ଘରେ ଭାଙ୍ଗି ଖାଇବି । ରଜରେ ଘରେ ଇନଡୋର ଗେମ୍ ଖେଳିବି କିନ୍ତୁ ଚେସ୍ ବ୍ୟତିତ ଲୁଡୁ, କ୍ୟାରମ୍ ଇତ୍ୟାଦି ଖେଳିବାକୁ ମୁଁ ଖୁବ୍ ଖୁବ୍ ଭଲପାଏ । ମୋର ଏକ ସିନେମା ରିଲିଜ୍ ହେବାରେ ଥିଲା କିନ୍ତୁ ଲକଡାଉନ୍ ପାଇଁ ତାହା ଆଗକୁ ଘୁଞ୍ଚିଯାଇଛି କିନ୍ତୁ ସ୍ଥିତି ସ୍ୱଭାବିକ୍ ହେଲେ ତାହା ଦର୍ଶକଙ୍କ ନିକଟରେ ପହଞ୍ଚିପାରିବ । ଏହାସହ ମୁଁ ଅନ୍ୟଙ୍କୁ ସାହାର୍ଯ୍ୟ କରିବାକୁ ଭଲପାଏ କିନ୍ତୁ ତାହାର ଫଟୋ କିମ୍ୱା ଭିଡିଓ କରି ସୋସିଆଲ୍ ମିଡିଆରେ ପ୍ରଚାର ପ୍ରସାର କରିବା ମୋର ପସନ୍ଦ ନୂହେଁ । ତେଣୁ ଏ ଅସମୟରେ ଯେଉଁମାନେ ଅସୁବିଧାରେ ଅଛନ୍ତି ସେମାନଙ୍କୁ ସହଯୋଗର ହାତ ବଢାଇବା ଉଚିତ ବୋଲି ମୁଁ କହିବି ।