Trending Photos
ସଞ୍ଜୟ ମହାପାତ୍ର, ପୁରୀ: ଆଜି ହେଉଛି ଜ୍ୟେଷ୍ଠମାସ ଅମାବାସ୍ୟା ତିଥି। କୋଭିଡ-୧୯କୁ ନେଇ ସାରା ଦେଶ ଏବେ ଲକ୍ ଡାଉନରେ ରହିଛି। ଏହି ସମୟରେ ପଡିଛି ସାବିତ୍ରୀ ବ୍ରତ। ବିଧି ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ସାବିତ୍ରୀ ବ୍ରତ ନିତି ଅନୁଷ୍ଠିତ ହେଉଥିବା ବେଳେ ଘରେ ଘରେ ସଧବା ମହିଳାମାନେ ବ୍ରତ ପାଳନ କରୁଥିବା ଦେଖିବାକୁ ମିଳିଛି। ସେପଟେ ପ୍ରଖ୍ୟାତ ମାହାରୀ ନୃତ୍ୟାଙ୍ଗନା ତଥା ସେବାୟତ ପରିବାରର ଝିଅ ରୁପଶ୍ରୀ ମହାପାତ୍ର ନିଜ ଘରେ ବ୍ରତ ପାଳନ କରୁଥିବା ବେଳେ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ରୋଜାଲିନ ମହାନ୍ତି ମଧ୍ୟ ଏଥିରୁ ବାଦ ପଡିନାହାଁନ୍ତି।
ଘର ଠାକୁର ଆସ୍ତାନକୁ ଶ୍ରୀମନ୍ଦିର ଆଉ ଘର ନୈବେଦ୍ୟକୁ ମହାପ୍ରସାଦ ଭାବି ମହାପ୍ରଭୁଙ୍କ ନିକଟରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିଛନ୍ତି। ସେପଟେ କୋରୋନାକୁ ନେଇ ବହୁ ପ୍ରବାସୀ ବାହାରେ ଫସିରହିଥିବା ଯୋଗୁଁ ଅନେକ ସାବିତ୍ରୀ ଆଜି ସ୍ୱାମୀଙ୍କ ମୁଖ ଦର୍ଶନ କରିନାହାଁନ୍ତି। ଧୈର୍ଯ୍ୟର ସହ ଅପେକ୍ଷା କଲେ ମହାପ୍ରଭୁ ଏଭଳି ମହାମାରୀକୁ ଦୁରିଭୁତ କରିବେ। ଆଉ ଏଭଳି ସଂକଟ ଦୁର ହେବ ବୋଲି ରୋଜାଲିନ କହିଛନ୍ତି।
ଆଜି ହେଉଛି ଜ୍ୟେଷ୍ଠମାସ ଅମାବାସ୍ୟା ତିଥି। ଏହି ପବିତ୍ର ତିଥିକୁ ସାବିତ୍ରୀ ଅମାବାସ୍ୟା ଅର୍ଥାତ ସାବିତ୍ରୀ ବ୍ରତ ଭାବେ ପାଳନ କରାଯାଏ। ପୁରାଣ ଶାସ୍ତ୍ର ଅନୁସାରେ ଅଶ୍ୱପତିଙ୍କ ରାଜକନ୍ୟା ସାବିତ୍ରୀ ନିଜର ତେଜ ବଳରେ ଯମରାଜଙ୍କ ଠାରୁ ସ୍ୱାମୀ ସତ୍ୟବାନଙ୍କ ଜୀବନ ବଞ୍ଚାଇଥିଲେ। ଏଣୁ ପ୍ରତିଟି ନାରୀ ସାବିତ୍ରୀ ବ୍ରତକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା କୋରୋନାକୁ ନେଇ ସାରା ଦେଶ ଲକ୍ ଡାଉନରେ ରହିଛି। ବିଭିନ୍ନ ଧର୍ମାନୁଷ୍ଠାନ ଉପରେ ୧୪୪ଧାରା ବଳବତ୍ତର ରହିଛି। ଫଳରେ ମହିଳାମାନେ ଘରେ ରହି ବ୍ରତ ପାଳନ କରୁଛନ୍ତି।
ବିଶିଷ୍ଠ ମାହାରୀ ନୃତ୍ୟାଙ୍ଗନା ତଥା ସେବାୟତ ଘରର କନ୍ୟା ରୁପଶ୍ରୀ ମହାପାତ୍ର ଘରେ ରହି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଅର୍ପଣ କରୁଛନ୍ତି। ବିଧି ପରମ୍ପରା ଅନୁଯାୟୀ ଶିଳ ଆଉ ଶିଳପୁଆକୁ ସାବିତ୍ରୀ ଦେବୀ ଭାବେ ନୈବେଦ୍ୟ ଅର୍ପଣ କରି ନିଜ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରିଛନ୍ତି। ପୁରୀରେ ସାବିତ୍ରୀ ବ୍ରତ ନିଆରା ଢଙ୍ଗରେ ପାଳନ କରାଯାଏ। ବ୍ରତଧାରୀମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆଶିର୍ବାଦ ନେବା ସହ ମହାପ୍ରସାଦ ପାଇଥାନ୍ତି। ହେଲେ କଟକଣା ଯୋଗୁଁ ଏହା ସମ୍ଭବ ହେଲା ନାହିଁ। ମାତ୍ର ଘରେ ରହି ମହାପ୍ରଭୁଙ୍କୁ ଦର୍ଶନ କଲେ ସମାନ ପୁଣ୍ୟ ମିଳେ ବୋଲି ପରାମର୍ଶ ଦେଇଛନ୍ତି ରୁପଶ୍ରୀଙ୍କ ମାଆ।
ସେପଟେ ନିଜ ଘରେ ରହି ସାବିତ୍ରୀ ବ୍ରତ ରଖିଛନ୍ତି ବିଶିଷ୍ଠ ଓଡିଶୀ ନୃତ୍ଯାଙ୍ଗନା ରୋଜାଲିନ ମହାନ୍ତି । ନିଜ ଘର ଠାକୁର ଗାଦିକୁ ଶ୍ରୀମନ୍ଦିର ଆଉ ଫଳମୁଳ ନୈବେଦ୍ଯକୁ ମହାପ୍ରସାଦ ଭାବି ବ୍ରତ ପାଳନ କରିବାକୁ ବାର୍ତ୍ତା ଦେଇଛନ୍ତି ରୋଜାଲିନ। ଲକ୍ ଡାଉନ ଯୋଗୁଁ ଅନେକ ପ୍ରବାସୀ ଫେରି ପାରିନାହାନ୍ତି। ଏଣୁ ଆଜିଭଳି ଏକ ପବିତ୍ର ତିଥିରେ ବହୁ ସାବିତ୍ରୀଙ୍କ ଆଖିରୁ ଲୁହ ଝରୁଛି। ଏମିତିକି ତାଙ୍କ ଭାଇ ମଧ୍ୟ ଦୁବାଇରେ ରହିଛନ୍ତି ଭାଉଜ ତାଙ୍କ ବାଟକୁ ଚାହିଁ ବସିଛନ୍ତି। ଆମେ ଧୈର୍ଯ୍ୟର ସହ ଅପେକ୍ଷା କଲେ ମହାପ୍ରଭୁ ଏହି ମହାମାରୀକୁ ନିଶ୍ଚିତ ଦୁରିଭୁତ କରିବେ ବୋଲି କହିଛନ୍ତି ରୋଜାଲିନ।