Trending Photos
)
ଅଜୟ କୁମାର ନାଥ, ସମ୍ବଲପୁର: କୋରୋନା ମହାମାରୀ କାରଣରୁ ରାସ୍ତାକଡରେ ବିଭିନ୍ନ ସାମଗ୍ରୀ ବିକ୍ରି କରି ନିଜର ଜୀବନ ଜୀବିକା ନିର୍ବାହ କରୁଥିବା ଉଠାଦୋକାନୀଙ୍କର ବ୍ୟବସାୟ ଏକରକମ ଠପ ହୋଇଯାଇଛି । ଉଠାଦୋକାନୀଙ୍କ ସହାୟତା ପାଇଁ କେନ୍ଦ୍ର ସରକାର ରିଆତି ଦରରେ ୠଣ ବ୍ୟବସ୍ଥା ନେଇ ଘୋଷଣା କରିଛନ୍ତି । ତେବେ ସମ୍ବଲପୁରରେ ଥିବା ଅଧିକାଂଶ ବ୍ୟାଙ୍କ ଉଠାଦୋକାନୀଙ୍କୁ ୠଣ ଦେଉନଥିବା ଏବଂ ହଇରାଣ କରୁଥିବାର ଅଭିଯୋଗ ହୋଇଛି ।
କୋରୋନା ମହାମାରୀ ବ୍ୟାପିବା ପର ଠାରୁ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର କଟକଣା ଲାଗୁ କରାଯାଉଛି । ତେବେ ରାସ୍ତାକଡରେ ସାମଗ୍ରୀ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଉଠାଦୋକାନୀଙ୍କ ବ୍ୟବସାୟ ଗତ କିଛି ମାସ ଭିତରେ ଠପ ହୋଇଯାଇଛି । ଏଥିପାଇଁ ଉଠାଦୋକାନୀଙ୍କ ସହାୟତା ପାଇଁ କେନ୍ଦ୍ର ସରକାର ରିଆତି ଦରରେ ୠଣ ବ୍ୟବସ୍ଥା ନେଇ ଘୋଷଣା କରିଥିଲେ । ତେବେ ସମ୍ବଲପୁରରେ ଥିବା ୧୮ଟି ପ୍ରମୁଖ ବ୍ୟାଙ୍କ ମଧ୍ୟରୁ ୧୪ଟି ବ୍ୟାଙ୍କ ଉଠାଦୋକାନୀଙ୍କୁ ୠଣ ଦେଉନଥିବା ଅଭିଯୋଗ ହୋଇଛି । ଏପରିକି ଷ୍ଟେଟବ୍ୟାଙ୍କ ମଧ୍ୟ ଉଠାଦୋକାନୀଙ୍କୁ ୠଣ ଦେଉନଥିବା ନେଇ ମହାନଗର କମିଶନରଙ୍କ ପାଖରେ ଉଠାଦୋକାନୀ ସଙ୍ଘ ଅଭିଯୋଗ କରିଛନ୍ତି ।
ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୩୮ଶହ ପଞ୍ଜିକୃତ ଉଠାଦୋକାନୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୪୨୦ ଜଣଙ୍କୁ ରିଆତି ଋଣ ମିଳିପାରିଛି । ଅନ୍ୟମାନେ ବ୍ୟାଙ୍କ ଗୁଡିକୁ ଦୌଡିଦୌଡି ନୟାନ୍ତ ହେଉଛନ୍ତି । ଏନେଇ ବ୍ୟାଙ୍କ ଅଧିକାରୀଙ୍କୁ ଡାକି ଆଲୋଚନା କରିବା ପାଇଁ ସମ୍ବଲପୁର ମହାନଗର ନିଗମ କମିଶନର କହିଛନ୍ତି । କେନ୍ଦ୍ର ସରକାର ଏ ସୁବିଧା ଦେଇଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ସମସ୍ତ ସୁବିଧା କରୁଛନ୍ତି ଏବଂ କିଭଳି ଭାବରେ ସମସ୍ତ ବ୍ୟାଙ୍କ ସହଯୋଗ କରିବେ ଓ ଶୀଘ୍ର ଉଠା ଦୋକାନୀମାନେ ଋଣ ପାଇପାରିବେ ସେ ଦିଗରେ ସେ ଜିଲ୍ଲା ପ୍ରଶାସନ ସହ କଥା ହେବେ ବୋଲି ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଥିଲେ।