)
ଅଜୟ କୁମାର ନାଥ, ସମ୍ବଲପୁର: ଏବେ ସାରା ବିଶ୍ୱରେ କୋରୋନା ଆତଙ୍କ ଖେଳାଇ ଦେଇଛି । ବିଶ୍ୱରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ କୋରୋନାରେ ମୃତ୍ୟୁବରଣ କରୁଛନ୍ତି । ଏଭଳି ପରିସ୍ଥିତିରେ ବୈଜ୍ଞାନିକମାନେ ଏବେ କୋଭିଡ ୧୯ ଟୀକା ତିଆରି ପାଇଁ ଗବେଷଣା କରୁଛନ୍ତି । କୋଭିଡ ୧୯ ଟୀକା ଗବେଷଣା ପାଇଁ ସେଚ୍ଛାସେବୀ ସାଜି ନିଜ ଶରୀରରେ ପରୀକ୍ଷା କରାଇଲେ ସମ୍ବଲପୁରର ଅଙ୍କନ ନାଏକ ।
UK ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମଧ୍ୟ ବର୍ତ୍ତମାନ ଏହି ଟୀକା ତିଆରି ପାଇଁ ଗବେଷଣା କରୁଛନ୍ତି । ଯାହାର ସଫଳତା ପାଇଁ ପରୀକ୍ଷାମୂଳକ ଭାବେ ଅନେକ ଲୋକଙ୍କୁ ଏହି ଟୀକା ଦିଆଯାଉଛି । ଆଉ ଏହି ଟୀକାର ପରୀକ୍ଷା ପାଇଁ ବର୍ତ୍ତମାନ ସେମାନଙ୍କୁ ୧୦ ହଜାର ସ୍ୱେଚ୍ଛାସେବୀଙ୍କର ଆବଶ୍ୟକ ପଡ଼ୁଥିବାବେଳେ ସମ୍ବଲପୁରର ଯୁବକ ଅଙ୍କନ ନାଏକ ଏହି ଗବେଷଣାରେ ସ୍ୱେଚ୍ଛାସେବୀ ସାଜିଛନ୍ତି । ଟୀକା ମଧ୍ୟ ନେଇଛନ୍ତି ସମ୍ବଲପୁରର ଅଙ୍କନ ନାଏକ ।
ସେ ୫ ବର୍ଷ ହେଲା ସେଠାରେ ରହି ଆସୁଛନ୍ତି । ସେଠିକାର ସ୍ଥାନୀୟ ଖବରକାଗଜରେ କୋଭିଡ ୧୯ ଟୀକା ପାଇଁ ସ୍ୱେଚ୍ଛାସେବୀ ଆବଶ୍ୟକତା ଥିବାର ଜାଣି ସେ ଅକ୍ସଫୋର୍ଡ ୟୁନିଭର୍ସିଟିକୁ ଯାଇଥିଲେ । ସେଠାରେ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହା ପରେ ତାଙ୍କର ରକ୍ତ ପରୀକ୍ଷା କରାଯିବା ସହ ମେଡିକାଲ ହିଷ୍ଟ୍ରି ଦେଖାଯାଇଥିଲା । ସବୁ କିଛି ସ୍ୱାଭାବିକ ଥିବା ପରେ ତାଙ୍କୁ ଏହି ଟୀକା ତିଆରିର ଉଦ୍ଦେଶ୍ୟ ଓ ସମ୍ଭାବ୍ୟ ସାଇଡ ଇଫେକ୍ଟ ବାବଦରେ ଅବଗତ କରାଯାଇଥିଲା । ଏହା ପରେ ତାଙ୍କ ଦେହରେ ଟୀକାର ପ୍ରୟୋଗ କରାଯାଇଛି ।
ଏହାସହ ଏହି ଗବେଷଣା ଆସନ୍ତା ୬ ମାସ ଧରି ଚାଲିବାକୁ ଥିବାରୁ ତାଙ୍କୁ ମାସକ ପରେ ୩ ମାସ ପରେ ଓ ୬ ମାସ ପରେ ଦେଖା କରିବାକୁ ଆସିବାକୁ ପଡିବ ବୋଲି କୁହାଯାଇଛି । ସେହିପରି ତାଙ୍କ ଦେହରେ ଅଗାମୀ ୬ ମାସ ମଧ୍ୟରେ ପ୍ରତ୍ୟେକ ଦିନ କ'ଣ ସବୁ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ତାର ତଥ୍ୟ ଦେବାକୁ ଏକ ଇ-ଡାଏରୀ ଦିଆଯାଇଥିବା ଅଙ୍କନ କହିଛନ୍ତି । ତେବେ ଏହି ଭେକ୍ସିନ ସଫଳ ହେବ ଓ ବିଶ୍ୱବାସୀଙ୍କୁ କୋରୋନାରୁ ମୁକ୍ତି ଦେବ ବୋଲି ସେ ଆଶା ରଖିଛନ୍ତି ।