ଅଶାନ୍ତ ସ୍ୱାଭିମାନ ଅଞ୍ଚଳ ! ଗୋରାସେତୁରେ ବିରାଟ ପ୍ରଜାମେଳି

ଶନିବାର ସ୍ୱାଭିମାନ ଅଞ୍ଚଳର ଗୋରାସେତୁରେ ଏହି ପ୍ରଜାମେଳି ହୋଇଥିଲେ । ଏଥିରେ ଶତାଧିକ ଲୋକ ଯୋଗଦେଇ ବିଏସଏଫ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।

ଅଶାନ୍ତ ସ୍ୱାଭିମାନ ଅଞ୍ଚଳ ! ଗୋରାସେତୁରେ ବିରାଟ ପ୍ରଜାମେଳି
ଫାଇଲ ଫଟୋ

ଅଶୋକ ମିଶ୍ର, ମାଲକାନଗିରି: ପୁଣି ଅଶାନ୍ତ ସ୍ୱାଭିମାନ ଅଞ୍ଚଳ । ଗୋରାସେତୁରେ ବିରାଟ ପ୍ରଜାମେଳି । ଦାନା ବାନ୍ଧୁଛି ସରକାର ଓ ବିଏସଏଫ ବିରୋଧୀ ସ୍ୱର । ଗତ ୨୪ ତାରିଖରେ କିଛି ଶ୍ରମିକଙ୍କୁ ନକ୍ସଲଙ୍କ ସହ ସମ୍ପର୍କ ରଖିଥିବା କହି ବିଏସଏଫ ଯବାନ ମାଡ଼ ମାରିଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ, ବିଏସଏଫ ଯବାନ କୁଆଡ଼େ ଏହି ଶ୍ରମିକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଯାହାକୁ ବିରୋଧ କରି ହୋଇଛି ବିରାଟ ପ୍ରଜାମେଳି । 

ଶନିବାର ସ୍ୱାଭିମାନ ଅଞ୍ଚଳର ଗୋରାସେତୁରେ ଏହି ପ୍ରଜାମେଳି ହୋଇଥିଲେ । ଏଥିରେ ଶତାଧିକ ଲୋକ ଯୋଗଦେଇ ବିଏସଏଫ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ସ୍ୱାଭିମାନ ଅଞ୍ଚଳରେ ଅନେକ ସମସ୍ୟା ଥିବା ବେଳେ ସରକାର ସେଥିପାଇଁ ଦୃଷ୍ଟି ନଦେଇ ବିଏସଏଫଙ୍କ ଦ୍ଵାରା ନିରୀହ ଲୋକଙ୍କୁ ଶୋଷଣ କରୁଥିବା ପ୍ରଜାମେଳିରେ ଅଭିଯୋଗ ହୋଇଛି । ବିଏସଏଫ ଯଦି ଏଭଳି ଜୁଲୁମ କରିଚାଲିବ, ତେବେ ଆଗାମୀ ଦିନରେ ଆଦିବାସୀମାନେ ମଧ୍ୟ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ବିଏସଏଫକୁ ବିରୋଧ କରିବ ବୋଲି ନିଷ୍ପତ୍ତି ନେଇଛନ୍ତି । 

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏହା ଯେ, ଗତ ୨୪ ତାରିଖରେ କିଛି ଶ୍ରମିକ କାମ ସାରି ଫେରୁଥିଲେ । ତେବେ ଏହି ସମୟରେ ତାଙ୍କୁ ଅଟକାଇଥିଲେ ବିଏସଏଫ ଯବାନ । ନକ୍ସଲଙ୍କ ସହ ସମ୍ପର୍କ ରଖିଥିବା କହି ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଫାଙ୍କା ଗୁଳିଚାଳନା ମଧ୍ୟ ସୁରକ୍ଷାକର୍ମୀମାନେ କରିଥିବା କହିଛନ୍ତି ସ୍ଥାନୀୟବାସୀ । ଯାହାକୁ ପ୍ରଜାମେଳିରେ ଜୋରଦାର ବିରୋଧ କରାଯାଇଛି । 

ସେହିପରି ଲକଡାଉନ ଯୋଗୁଁ ସ୍ୱାଭିମାନ ଅଞ୍ଚଳରେ ଥିବା ବିଚ୍ଛିନ୍ନ ଅଞ୍ଚଳକୁ ଦୀର୍ଘ ୩ ମାସ ହେଲା ଲଞ୍ଚ ସେବା ଠପ୍ ହୋଇଯାଇଛି । ଫଳରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ପ୍ରଶାସନ ଲଞ୍ଚ ବ୍ୟବସ୍ଥା କରିବା ପାଇଁ ଏହି ମେଳିରେ ଦାବି ହୋଇଛି ।