ଆତ୍ମସମର୍ପଣ କଲେ, ତେଲଗୁ କ୍ୟାଡରଙ୍କ ପୋଲ୍ ଖୋଲିଲେ
Trending Photos
)
ଅଶୋକ ମିଶ୍ର, ମାଲକାନଗିରି: ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ । ଏମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ମାଓବାଦୀ । ଆତ୍ମସମର୍ପଣ କରିଥିବା ପୁରୁଷ ମାଓବାଦୀଙ୍କ ନାଁ କାନା ମାଡ଼ି । ସେହିପରି ମହିଳା ମାଓବାଦୀ ଜଣକ ହେଉଛନ୍ତି ଲାକେ ପୁନେମ । ଦୀର୍ଘଦିନ ଧରି ଉଭୟେ ମାଓ ସଙ୍ଗଠନରେ ସକ୍ରିୟ ରହିଥିଲେ । ତେବେ ଏବେ ଏମାନେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଏହା ମାଓ ସଙ୍ଗଠନକୁ ବଡ଼ ଝଟକା ବୋଲି କୁହାଯାଉଛି ।
ସୂଚନା ମୁତାବକ, କାନା ମାଡ଼ି ମାଓ ସଙ୍ଗଠନରେ ଏସିଏମ ଭାବେ କାର୍ଯ୍ୟ କରୁଥିଲା । ତା ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେହିପରି ଲାକେ ପୁନେମ୍ ମାଓ ସଂଗଠନର ସଦସ୍ୟା ଥିଲେ । ତାଙ୍କ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଏମାନେ ଉଭୟ ବିଚ୍ଛିନ୍ନ ଅଞ୍ଚଳ ମାଓ ସଙ୍ଗଠନରେ କାର୍ଯ୍ୟରତ ଥିଲେ ।

କାହିଁକି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ମନ ବଳାଇଲେ ?
ମାଲକାନଗିରିର ବିଚ୍ଛିନ୍ନ ଅଞ୍ଚଳ, ସ୍ୱାଭିମାନ ଅଞ୍ଚଳ ରୂପେ ପରିଣତ ହେବା ପରେ ଏହା ଏମାନଙ୍କୁ ବେଶ ପ୍ରଭାବିତ କରିଥିଲା । ଅଞ୍ଚଳର ବିକାଶ ଓ ପୋଲିସର ପଦକ୍ଷେପ ଇତ୍ୟାଦି ପରେ ଏମାନେ ମାଓ ସଙ୍ଗଠନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ।
ଆତ୍ମସମର୍ପଣ କଲେ, ସଙ୍ଗଠନର ପୋଲ୍ ଖୋଲିଲେ...
ତେବେ ଉଭୟ କାନା ମାଡ଼ି ଓ ଲାକେ ପୁନେମ ସମର୍ପଣ କରିବା ପରେ ମାଓ ସଙ୍ଗଠନର ପୋଲ୍ ଖୋଲିଛନ୍ତି । ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିବା ବେଳେ ତେଲୁଗୁ କ୍ୟାଡ଼ରମାନେ ଅନ୍ୟ ମାଓବାଦୀଙ୍କୁ ଶୋଷଣ କରୁଥିଲେ । ମାଓ ସଙ୍ଗଠନରେ ତେଲଗୁ କ୍ୟାଡରଙ୍କ ବିଶେଷ ପ୍ରଭାବ ରହିଥିବା ଏମାନେ ଅଭିଯୋଗ ମଧ୍ୟ କରିଛନ୍ତି ।
କେଉଁ କେଉଁ ମାଓ କାର୍ଯ୍ୟକଳାପରେ ସାମିଲ ଥିଲେ ଏମାନେ ?
ସିଲାକୋଟା ଏନକାଉଣ୍ଟର ଏବଂ ଜଣେ ବିଧାୟକଙ୍କ ହତ୍ୟାକାଣ୍ଡ ଇତ୍ୟାଦି ବଡ଼ ବଡ଼ ମାଓ କାର୍ଯ୍ୟକଳାପରେ ଏମାନେ ସାମିଲ ଥିଲେ । ପୋଲିସ ଏମାନଙ୍କ ନାଁରେ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ।
ତେବେ ଏମାନେ ଆତ୍ମସମର୍ପଣ କରିବା ପରେ ଅନ୍ୟ ମାଓବାଦୀଙ୍କୁ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି ମାଲକାନଗିରି ଏସପି ।