ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲା ଭାଙ୍ଗିବା ଘଟଣାକୁ ଦୁଇ ଦିନ ବିତିଗଲାଣି। ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ନାହିଁ। ଘଟଣା ଦିନ ଦାୟିତ୍ୱରେ ଥିବା ୪ ଜଣ ଜେଟିପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସିସିଟିଭି ଯାଞ୍ଚ ବେଳେ ଜଣେ ସନ୍ଦିଗ୍ଧଙ୍କୁ ଠାବ କରାଯାଇଛି। ଏବେ ମଧ୍ୟ ତଦନ୍ତ ଚାଲିଛି। ସେପଟେ ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣାକୁ ନେଇ ରାଜ୍ୟରେ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି। 


COMMERCIAL BREAK
SCROLL TO CONTINUE READING

ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣାରେ ମଙ୍ଗଳବାର ସକାଳୁ ପୋଲିସର ୫ଜଣିଆ ଟିମର ସିସିଟିଭି ଯାଞ୍ଚ କରୁଛନ୍ତି। ଦୁର୍ବୁତ୍ତକୁ ଚିହ୍ନଟ କରିବା ପାଇଁ ରୋଷଘର ସହ ସମ୍ପୃକ୍ତ ଚାରି ସେବକଙ୍କ ସହ ଚାରି ଜେଟିପିଙ୍କୁ ପର୍ଯ୍ୟାୟକ୍ରମେ ଜେରା କରାଯାଇଛି। ଏସପି, ଅତିରିକ୍ତ ଏସପି, ସିଂହଦ୍ୱାର ଥାନା ଅଧିକାରୀ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆଉ ସୁବେଦାର ମିଳିତ ଭାବେ ଘଟଣାର ଛାନବିନ କରୁଛନ୍ତି। ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି। ଜେଟିପି ସହ ଏକ ସେକସନ ଫୋର୍ସ ମୁତୟନ ହୋଇଛନ୍ତି। ସିସିଟିଭି ଯାଞ୍ଚରେ ଘଟଣା ଦିନ ସଂହଦ୍ୱାର ଦେଇ ଜଣେ ବ୍ଯକ୍ତିଙ୍କୁ ଜେଟିପିମାନେ ଖସାଇଦିଆଯିବା ଭଳି ସାଂଘାତିକ ତଥ୍ଯ ମଧ୍ୟ ମିଳିଛି। ରାତି ଗୋଟାଏ ସମୟରେ ଘଟଣା ଘଟିବା ପରେ ନାଟମନ୍ଦିରରୁ ଗାରଦକୁ ଯାଇଥିବା ବ୍ଯକ୍ତି ଘଟଣା ଘଟାଇଥିବା ପୋଲିସ ଆଶଙ୍କା କରିଛି। ଏହି ଘଟଣାର ସତ୍ଯତାକୁ ନେଇ ସଂପୃକ୍ତ ଜେଟିପିଙ୍କୁ ପଚରାଉଚରା କରାଯାଇଛି।


ସନ୍ଧିଗ୍ଧକୁ ଚିହ୍ନଟ କରିବା ପାଇଁ କିଛି ସେବାୟତଙ୍କୁ ଡକାଯାଇ ଭିଡିଓ ଫୁଟେଜ ଦେଖାଯାଉଛି। ସେପଟେ ଘଟଣା ଦିନ ବିଳମ୍ବିତ ରାତିରେ ସଂନ୍ଦିଗ୍ଧକୁ ସିଂହଦ୍ଵାର ନିକଟରେ ଛାଡିଥିବା ଚାରି ଜେଟିପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ତୁରନ୍ତ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାତି ଡ୍ଯୁଟି ଥିବା ସତ୍ତ୍ୱେ କିଭଳି ଦୁର୍ବୃତ୍ତ ପଶି କିଭଳି କାଣ୍ଡ ଘଟାଇଲେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପ୍ରଶ୍ନ କରିଛି। ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ଏହି ଚାରି ଜେଟିପିଙ୍କ ଡ୍ଯୁଟି ଥିବା ବେଳେ ଦୁଇ ତାରିଖ ରାତି ଗୋଟାଏ ସମୟରେ ଘଟଣା ଘଟିଛି। ଏହି ସମୟରେ ଜଣେ ଦୁର୍ବୁତ୍ତ ଝାଳ ଗମଗମ ହୋଇ ରୋଷଘରକୁ ପ୍ରବେଶ କରୁଥିବା ସିସିଟିଭିରୁ ସ୍ପଷ୍ଟ ଜଣାପଡିଛି। ତେବେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଭଳି ଏହି ଦୁର୍ବୃତ୍ତ ରୋଷଘରେ ପ୍ରବେଶ କଲା ଆଉ ଚୁଲି ଭାଙ୍ଗିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।


Also Read: ଟାର୍ଗେଟରେ କାଳିଆ ପେଟ! ଶ୍ରୀମନ୍ଦିର ରୋଷଶାଳାରେ ୬୦ରୁ ଊର୍ଦ୍ଧ୍ୱ ଚୁଲା ଭାଙ୍ଗି ଦେଲେ ସେବାୟତ


ସୋମବାର ମୁଖ୍ୟ ଶାସନ ସଚିବ ତଥା ପରିଚାଳନା କମିଟିର କାର୍ଯ୍ଯକାରୀ ଅଧ୍ଯକ୍ଷ ସୁରେଶ ମହାପାତ୍ର ଓ ଡିଜିପି ସୁନିଲ ବଂଶଲ ଶ୍ରୀମନ୍ଦିର ଯାଇ ରୋଷଘର ଅନୁଧ୍ୟାନ କରିଛନ୍ତି। ରୋଷଘରର ସ୍ଥିତି ଆଉ ଚୁଲି ଭଙ୍ଗା ଘଟଣାର କରୁଛନ୍ତି ତନ୍ନତନ୍ନ ଯାଞ୍ଚ କରିଛନ୍ତି। କିଭଳି ଆଉ କେଉଁ ପରିସ୍ଥିତିରେ ଚୁଲି ଭାଙ୍ଗିଲା ଆଉ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଏସପି କିଭଳି ପଦକ୍ଷେପ ନେଇଛନ୍ତି ତାହା ପଚାରି ବୁଝିଛନ୍ତି। ତାଙ୍କ ସହିତ ଜିଲ୍ଲାପାଳ ଓ ଏସପିଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଘଟଣାସ୍ଥଳ ଅନୁଧ୍ୟାନ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଶ୍ରୀମନ୍ଦିରରେ ରାତିରେ ଜେଟିପିଙ୍କ ସହ ସରକାରୀ ପୋଲିସ ରହିବେ। ପହୁଡ ପରେ ମନ୍ଦିରକୁ ସମ୍ପୂର୍ଣ୍ଣ ଖାଲି କରାଯିବ। କୌଣସି ବ୍ଯକ୍ତି ଶ୍ରୀମନ୍ଦିର ଭିତରେ ରହିପାରିବେ ନାହିଁ। ରୋଷଘର ଶୋଧପରେ ଚାବି ପଡିବ। ଏହାକୁ ଶ୍ରୀମନ୍ଦିର କମାଣ୍ଡର ଅନୁଧ୍ୟାନ କରିବେ। 


ମୁଖ୍ୟ ଶାସନ ସଚିବ ପୁଣି କହିଛନନ୍ତି ଯେ, ଚୁଲି ଭଙ୍ଗା ଘଟଣାରେ ସିସିଟିଭି ଫୁଟେଜରୁ ଜଣକୁ ଚିହ୍ନଟ କରାଯାଇଛି। ଅଚଳ ଥିବା ସିସିଟିଭିର ମରାମତି ହେବ। ଆବଶ୍ୟକ ପଡିଲେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ନୂଆ ସିସିଟିଭି ସଂଯୋଗ କରାଯିବ। ସେପଟେ ଡିଜିପି ସୁନିଲ ବଂଶଲଙ୍କ କହିବା ହେଲା, ଶ୍ରୀମନ୍ଦିରରେ ସୁରକ୍ଷା ବ୍ଯବସ୍ଥାକୁ ଅଧିକ କଡାକଡି କରାଯିବ। ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ସିସିଟିଭି ସର୍ଭେଲାନସ ମଧ୍ୟରେ ରଖାଯିବ। ଚୁଲିଭଙ୍ଗା ଘଟଣାରେ ଚିହ୍ନଟ ବ୍ଯକ୍ତିଙ୍କୁ ପଚରାଉଚରା କରାଯାଇ ଘଟଣାର ସତ୍ଯାସତ୍ଯ ପ୍ରକାଶ କରାଯିବ। ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି।


ସେପଟେ ମଙ୍ଗଳବାର ପୁରୀ ଏସପିଙ୍କ ସାଂଘାତିକ ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ, ସିସିଟିଭିରେ ଚିହ୍ନଟ ସନ୍ଦିଗ୍ଧଙ୍କୁ ବାଇଶି ପାହାଚ ଦେଇ ୪ ଜଣ ଜେଟିପି ବାହାରେ ଛାଡିଥିଲେ। ଏହି ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଛି। ୪ ଜଣ ଜେଟିପିଙ୍କ ମଧ୍ୟରୁ ଜଣେ ବାଟଅଗଣା ଓ ନାଟମଣ୍ଡପ ଦାୟିତ୍ୱରେ ଥିଲେ। ଘଟଣାଦିନ ଦାୟିତ୍ୱରେ ଥିବା ସେବାୟତଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ତେବେ କିଏ ସେହି ସନ୍ଦିଗ୍ଧ ବ୍ୟକ୍ତି, ତାହା ପ୍ରଶାସନ ସ୍ପଷ୍ଟ କରିନାହିଁ। ଦୁଇ ଦିନ ଧରି ସିସିଟିଭି ଯାଞ୍ଚ କରୁଥିବା ପୋଲିସ ହାତରେ ମଧ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ ପ୍ରମାଣ ମିଳିନାହିଁ। କିନ୍ତୁ ମୁଖ୍ୟ ଶାସନ ସଚିବଙ୍କ ବୟାନ ଶୁଣିଲେ ଲାଗୁଛି ଯେମିତି ଶ୍ରୀମନ୍ଦିରରେ ଲାଗିଥିବା ସିସିଟିଭି ଗୁଡିକ କାମ କରୁନାହିଁ।


Also Read: କୁଷ୍ଠ ଆଉ ଆଠ ବର୍ଷ, ଦେଶରେ ଓଡ଼ିଶା ଦ୍ୱିତୀୟ


ପୁରୀ ଶ୍ରୀମନ୍ଦିର ରୋଷ ଘର ବିଶୃଙ୍ଖଳା ନେଇ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ମନ୍ଦିର ଓ ଜିଲ୍ଲା ପ୍ରଶାସନ ତିନି ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲା। ତା ସତ୍ତ୍ୱେ ବି ଏଭଳି ଘଟଣା ଘଟିଲା। ସେଥିପାଇଁ ଜିଲ୍ଲା ଓ ମନ୍ଦିର ପ୍ରଶାସନ ଦାୟୀ। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ରାଜ୍ୟ ସରକାର ନିଅନ୍ତୁ। କାହାକୁ ସୁରକ୍ଷା ଦିଆନଯାଉ। ଜଣେ ଏସପି ରାଙ୍କର ଅଫିସର ସୁରକ୍ଷା ଦାୟିତ୍ୱରେ ରହିବା କଥା, କିନ୍ତୁ କେହି ନାହାନ୍ତି ଏବଂ ଘଟଣା ଦିନ ମଧ୍ୟ ସୁରକ୍ଷା ଅଧିକାରୀ କେହି ନଥିଲେ । 


ଶ୍ରୀମନ୍ଦିର ସୁରକ୍ଷା ନେଇ ୪ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ୪ଟି କ୍ଷେତ୍ରରେ ଅବମାନନା କରୁଛନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ମଧ୍ୟ ସ୍ଥାୟୀ ପ୍ରଶାସକ ନିଯୁକ୍ତ କରିନାହାନ୍ତି। ଯାହାକି କୋର୍ଟର ନିର୍ଦ୍ଦେଶର ଅବମାନନା। ତାସହ ଚତୁପାର୍ଶ୍ୱରେ ବିକାଶ ପାଇଁ ସେହି କାମ କରି ହେବ ଯେଉଁଥିରେ କୌଣସି ଆପତ୍ତି ନଥିବ। ଟେମ୍ପଲ ଫଣ୍ଡର ଅଡିଟ ସିଏଜିଙ୍କ ଦ୍ୱାରା ହେଉନାହିଁ। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ଅବମାନନା କରିଛନ୍ତି। ଆର୍ଥିକ ସ୍ୱାର୍ଥ ଏବଂ ମନ୍ଦ ଉଦ୍ଦେଶ୍ୟ ରଖି ବଡ଼ ବାବୁମାନେ ଏଭଳି କାମ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରନ୍ତୁ ବୋଲି ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି।