ବିଧବା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
Advertisement

ବିଧବା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଯାହା କୁହାଯାଉଛି, ମୃତ ମହିଳା ଜଣକ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । ତେବେ ଗତକାଲି ରାତିରୁ ସେ ନିଖୋଜ ହୋଇଯାଇଥିଲେ । 

ଫଟୋ ସୌଜନ୍ୟ: ଜୀ ମିଡିଆ

ଦେବେନ୍ଦ୍ର କୁମାର ନାୟକ, ସୋର: ବିଧବା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ । ମୃତ ମହିଳା ଜଣକ ହେଲେ ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ଜୁଳିଙ୍ଗିଆ ଗ୍ରାମର ଲକ୍ଷ୍ମୀ ବାରିକ । ସିମୁଳିଆ ଅଞ୍ଚଳରୁ ତାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି । 

ଯାହା କୁହାଯାଉଛି, ମୃତ ମହିଳା ଜଣକ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । ତେବେ ଗତକାଲି ରାତିରୁ ସେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି ପରେ ମଧ୍ୟ ଲକ୍ଷ୍ମୀଙ୍କ ଖୋଜ ଖବର ମିଳିନଥିଲା । ପରେ ତାଙ୍କ ଭାଇ ବିଜୟ ବାରିକ ଅନନ୍ତପୁର ଫାଣ୍ଡିରେ ନିଖୋଜ ନେଇ ଅଭିଯୋଗ କରିଥିଲେ । 

ତେବେ ଆଜି କ୍ଷତାକ୍ତ ଓ ଅର୍ଦ୍ଧନଗ୍ନ ଅବସ୍ଥାରେ ଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ତାଙ୍କ ଭଉଣୀ ଜଣେ ଡ୍ରାଇଭରଙ୍କ ସହ କଥା ହେଉଥିଲେ ବୋଲି ପୋଲିସ ଆଗରେ କହିଛନ୍ତି ବିଜୟ ବାରିକ । ପୋଲିସ ମୃତଦେହ ଉଦ୍ଧାର କରିବା ସହ ଘଟଣାର ଅଧିକ ତଦନ୍ତ ଜାରିରଖିଛି ।