)
Job News: ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୫ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବାର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । ବିଶେଷକରି ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ସେ ଏନେଇ ଗୁରୁତ୍ୱାରୋପ କରିଛନ୍ତି । ଦକ୍ଷତା ବିକାଶ କେବଳ ତାଲିମ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏହା ଆଗକୁ ବଢି ଗ୍ରାମୀଣ ଏବଂ ଅର୍ଦ୍ଧ-ସହରୀ ଯୁବକମାନଙ୍କ ପାଇଁ ନିଯୁକ୍ତି ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଉଚିତ ବୋଲି ସେ କହିଛନ୍ତି ।
ନାଗପୁର ସ୍କିଲ୍ ସେଣ୍ଟରର ଉଦଘାଟନ ଅବସରରେ ଏହି ଘୋଷଣା କରାଯାଇଥିଲା । ଯାହା ଆସୋସିଏସନ୍ ଫର୍ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ (ଏଆଇଡି)ର ଏକ ପ୍ରୟାସ। ଏହି କେନ୍ଦ୍ରକୁ ନାଗପୁର ମ୍ୟୁନିସିପାଲ୍ କର୍ପୋରେସନ୍, ଟାଟା ଷ୍ଟ୍ରାଇଭ୍ ଅଫ୍ ଟାଟା ଟ୍ରଷ୍ଟସ୍ ଏବଂ ବିଦର୍ଭ ଗ୍ଲୋବାଲ୍ ଫାଉଣ୍ଡେସନ୍ ସପୋର୍ଟ କରେ। ଗଡକରୀ କହିଥିଲେ ଯେ, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୫ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରାଯାଉଛି । ସେ ଏହା ମଧ୍ୟ କହିଛନ୍ତି ଯେ, ବିଦର୍ଭର ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଞ୍ଚ ହଜାର ଯୁବକ ନାଗପୁର ସ୍କିଲ୍ ସେଣ୍ଟରରେ ଦକ୍ଷତା ତାଲିମ ପାଇବେ।" ଏହି ଲକ୍ଷ୍ୟ ବଡ଼ କିନ୍ତୁ ଏହା ହାସଲଯୋଗ୍ୟ ବୋଲି ମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।
ସେ ନାଗପୁରରେ ମଲ୍ଟି-ମୋଡାଲ୍ ଇଣ୍ଟରନ୍ୟାସନାଲ୍ କାର୍ଗୋ ହବ୍ ଆଣ୍ଡ୍ ଏୟାରପୋର୍ଟ (MIHAN) ଭଳି ସଫଳ ପ୍ରକଳ୍ପଗୁଡ଼ିକର ଉଦାହରଣ ଦେଇଥିଲେ । ଏହା ବିଗତ ବର୍ଷ ଗୁଡିକରେ ପ୍ରାୟ ଏକ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି। ଗଡକରୀ ଉତ୍ପାଦନ ଏବଂ ଶିଳ୍ପ କ୍ଷେତ୍ର ବ୍ୟତୀତ ପର୍ଯ୍ୟଟନ, ଆତିଥ୍ୟ, ଖଣି, ହସ୍ତତନ୍ତ, ହସ୍ତଶିଳ୍ପ ଏବଂ କୃଷି କ୍ଷେତ୍ରରେ ବିପୁଳ ନିଯୁକ୍ତି ସମ୍ଭାବନା ଉପରେ ମଧ୍ୟ ବିଶେଷ ଆଲୋକପାତ କରିଥିଲେ। ଗଡକରୀ ପରାମର୍ଶ ଦେଇଥିଲେ ଯେ, ନାଗପୁର ସ୍କିଲ୍ ସେଣ୍ଟର ଗ୍ରାମାଞ୍ଚଳର ଲୋକମାନଙ୍କୁ ତାଲିମ ଦେବା ଉଚିତ ଯାହା ଦ୍ୱାରା ସେମାନଙ୍କୁ ଚାକିରି ଖୋଜିବାକୁ ବେଶି ଦୂର ଯିବାକୁ ପଡ଼ିବ ନାହିଁ। ଏହି ପଦକ୍ଷେପ ଯୁବକମାନଙ୍କୁ ଦକ୍ଷତା ପ୍ରଦାନ କରିବା, ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଧ୍ୟାନ କେନ୍ଦ୍ରିତ କରେ ବୋଲି ସେ କହିଥିଲେ ।