Odisha News: ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷ ପାଇଁ ସ୍ନାତକୋତ୍ତର ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆଜି ଠାରୁ ଏଥିପାଇଁ ଆବେଦନ ଆରମ୍ଭ ହେବ। ଶିକ୍ଷାର୍ଥୀମାନେ ସାମସ ୱେବସାଇଟରେ ଆବେଦନ କରିପାରିବେ। ତେବେ ଚଳିତ ବର୍ଷ ପିଜି ନାମଲେଖା ପାଇଁ ସିଟ ସଂଖ୍ୟାରେ ବୃଦ୍ଧି କରାଯାଇଛି। ରାଜ୍ୟର ୧୧୪ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ଅନୁଷ୍ଠିତ ହେବ। ୨୮ ହଜାର ୯୫୪ ଆସନରେ ନାମଲେଖା ଯିବ। ଏନେଇ ସାମସ ୱେବସାଇଟରେ ସୂଚନା ପ୍ରଦାନ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ ଗତ ୨ ବର୍ଷ ମଧ୍ୟରେ ଲଗାତାର ପିଜି ସିଟ ବଢିବାରେ ଲାଗିଛି। ୨୦୨୨-୨୩ ଶିକ୍ଷା ବର୍ଷରେ ପିଜି ପାଇଁ ରାଜ୍ୟର ୭୯ଟି ଶିକ୍ଷାନୁଷ୍ଠାନରେ ନାମଲେଖା ହୋଇଥିଲା। ଏଥିପାଇଁ ୧୫ ହଜାର ୮୨୭ ଆସନ ରହିଥିଲା। ଗତବର୍ଷ ପ୍ରାୟ ୧୧ ହଜାର ସିଟ ରହିଥିଲା। ଗତବର୍ଷ ପ୍ରାୟ ୧୧ ହଜାର ସିଟ ବୃଦ୍ଧି କରାଯାଇଛି। ଅର୍ଥାତ ୨୦୨୨ ତୁଳନାରେ ୨୦୨୩ ବର୍ଷରେ ୩୧ଟି ଅଧିକ ଶିକ୍ଷାନୁଷ୍ଠାନ ଅର୍ଥାତ ମୋଟ ୧୧୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ହୋଇଥିଲା। ସେହିପରି ଗତବର୍ଷ ୨୦୨୩ ମସିହାରେ  ୧୧୦ ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୭ ହଜାର ୮୧୬ଟି ପିଜି ସିଟ ପାଇଁ ନାମଲେଖା ହୋଇଥିଲା। ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଆଉ ୧୧୩୮ଟି ପିଜି ସିଟ ବୃଦ୍ଧି କରାଯାଇଛି। ୧୧୪ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୮ ହଜାର ୯୫୪ଟି ଆସନରେ ନାମଲେଖା ହେବ। ତେବେ ଦେଖିବାକୁ ଗଲେ ଗତ ଦୁଇ ବର୍ଷ ଭିତରେ ଉଚ୍ଚ ଶିକ୍ଷା ବିଭାଗ ମୋଟ ୧୩ ହଜାରରୁ ଅଧିକ ଆସନରେ ବୃଦ୍ଧି କରିଛନ୍ତି। 


ଏଠାରେ କହି ରଖୁ କି ୨୦୨୨-୨୩ ଶିକ୍ଷା ବର୍ଷରେ ୧୫ ହଜାର ୮୨୭ ଆସନରୁ ୨୫୮୦ ଆସନ ବଳି ପଡ଼ିଥିଲା। ସେହିପରି ଗତବର୍ଷ ୨୭ ହଜାର ୮୧୬ ଆସନରୁ ପାଖାପାଖି ୧୦ ହଜାରରୁ ଅଧିକ ଆସନରେ ନାମ ଲେଖା ହୋଇ ପାରିନଥିଲା। ଏପରିକି ଜଣାଶୁଣା ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ ଅନେକ ବିଭାଗରେ ଆସନ ଖାଲି ପଡ଼ିଛି।