Trending Photos
)
Matric Exam 2026: ଭୁବନେଶ୍ୱର: ଚଳିତ ମାସ ଆସନ୍ତା ୧୯ ତାରଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ତୃଟିଶୁନ୍ୟ ପରିଚାଳନା ଉପରେ ଅଧିକ ଗୁରୁତ୍ତ୍ୱ ଦେଉଛି। ବିଶେଷ କରି ପ୍ରଶ୍ନପତ୍ର ଯେଭଳି ଲିକ ନ ହୁଏ ତାହା ଉପରେ ଅଧିକ ଗୁରୁତ୍ତ୍ୱ ପ୍ରଦାନ କରୁଛି। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହାତକୁ ନେଇ ବୋର୍ଡ। ସେହିପରି ପ୍ରଶ୍ନପତ୍ରରେ କ୍ୟୁଆର କୋର୍ଡ ଓ ୱାଟର ମାର୍କର ମଧ୍ୟ ବ୍ୟବସ୍ଥା ହୋଇଥିବା ସୂଚନା ରହିଛି। ଫଳରେ ପ୍ରଶ୍ନପତ୍ର ଲିକ ହେଲେ ସହଜରେ ଧରାପଡିଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ମଙ୍ଗଳବାର କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଥିବା ସୂଚନା ରହିଛି। ଖୁବଶୀଘ୍ର ଏହାକୁ ନୋଡାଲ ସେଣ୍ଟରକୁ ପଠାଯିବ। ଏଥର ମାଟ୍ରିକ ପରୀକ୍ଷା ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବେ। ପରୀକ୍ଷାକୁ ଶୃଙ୍ଖଳିତ ଭାବେ ପରିଚାଳନା ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି।
ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ସାଙ୍ଗକୁ ସଂସ୍କୃତ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏକ ସଙ୍ଗେ ଅନୁଷ୍ଠିତ ହେବ। ଫେବୃଆରୀ ୧୯ରେ ପ୍ରଥମ ଭାଷା, ଫେବୃଆରୀ ୨୧ରେ ଦ୍ୱିତୀୟ ଭାଷା, ଫେବୃଆରୀ ୨୩କେ ତୃତୀୟ ଭାଷା, ୨୫ ତାରିଖରେ ବିଜ୍ଞାନ, ୨୭ରେ ସାମାଜିକ ବିଜ୍ଞାନ ଏବଂ ମାର୍ଚ୍ଚ ୨ ତାରିଖରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ।
ଏ ସମସ୍ତ ପରୀକ୍ଷା ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ କରାଯିବ। ଗଣିତ ପରୀକ୍ଷା ଲାଗି ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ ସମୟ ମିଳିବ। ରାଜ୍ୟର ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ୫,୬୦,୩୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିଲାଗି ୩୨୨ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ନୋଡାଲ ସେଣ୍ଟର ଗୁଡିକରେ ପ୍ରଶ୍ପତ୍ର ଏବଂ ଉତ୍ତର ଖାତା କଡ଼ା ସୁରକ୍ଷାରେ ରଖାଯିବାର ବ୍ୟବସ୍ଥା କରାଯାଇଛି।
ବୋର୍ଡ ମୁଖ୍ୟାଳୟରେ ପରୀକ୍ଷା ପରିଚାଳନା ଲାଗି କମାଣ୍ଡ କଣ୍ଟ୍ରୋଲ ରୁମ ଖୋଲାଯିବ। ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ମାଟ୍ରିକ ପରୀକ୍ଷା ପରିଚାଳନା ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଶୃଙ୍ଖଳାର ସହିତ ପରୀକ୍ଷା ପରିଚାଳନା ଉପରେ ବୋର୍ଡ ଗୁରୁତ୍ତ୍ୱ ଦେଉଛି। ଇତି ମଧ୍ୟରେ ଓଏମଆର ସିଟ ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଛି। ପରୀକ୍ଷା ପରିଚାଳନା ନେଇ ବୋର୍ଡ ପକ୍ଷରୁ ରହିଥିବା ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ପ୍ରକ୍ରିୟା ଜାରି ରହିଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।