)
Ollywood News: ଲୋକପ୍ରିୟ କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାରଙ୍କୁ ହରାଇ କାନ୍ଦୁଛି ଓଲିଉଡ ଜଗତ ଏବଂ କାନ୍ଦୁଛନ୍ତି ପ୍ରଶଂସକ । ସମସ୍ତଙ୍କ ଆଖିରେ ଲୁହ, ଛାତିରେ କୋହ । ଓଡିଆ ସଙ୍ଗୀତ ଜଗତ ପାଇଁ ଏହି ଅପୂରଣୀୟ କ୍ଷତିରେ ମ୍ରିୟମାଣ ସମସ୍ତ କଳାକାର ଓ ଦର୍ଶକ । ଗାୟିକା ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟଂମ୍ ପାଢୀ ଏବଂ ସତ୍ୟଜିତ ପ୍ରଧାନଙ୍କ ଆଖିରୁ ଶୁଖିନି ଲୁହ । ଇଣ୍ଡଷ୍ଟ୍ରୀରେ ଅଭିଜିତଙ୍କୁ ବାପା ତୁଲ୍ୟ ମାନୁଥିଲେ ଅନ୍ତରା ତାଙ୍କୁ ହରାଇ ଭୋ ଭୋ ହୋଇ କାନ୍ଦୁଛନ୍ତି ।
ଗୀତିକାର ଡକ୍ଟର ନିର୍ମଳ ନାୟକ ଦୁଖରେ ଭାଙ୍ଗିପଡି କହିଛନ୍ତି ଯେ, ସବୁ ସରିଗଲା ଆଜ୍ଞା... ଅଭିଜିତ ମଜୁମଦାର ନିର୍ମଳ ନାୟକ ଗୋଟେ ସମ୍ପର୍କ । ମୋ ପାଇଁ , ଗୋଟେ ଦିନ ମନୋମାଳିନ୍ୟ ମଧ୍ୟ ହୋଇନି ଆମର । ଯଦି ପ୍ରଯୋଜକ ନିର୍ଦ୍ଦେଶକ କହିବେ ଅନ୍ୟ ଗୀତିକାରଙ୍କୁ ନେବା ପାଇଁ କିନ୍ତୁ ସେ କହେ ଗୀତ ନିର୍ମଳ ନାୟକ ଲେଖିବେ । ୩୫ ବର୍ଷର ସମ୍ପର୍କ ଆମର । ସେ ଖୁବ ମେଳାପି ଏବଂ ଖୋଲା ଦିଲ୍ ବାଲା ।
ପ୍ରଯୋଜକ ଟୁଟୁ ନାୟକ କହିଛନ୍ତି ଯେ, ମୁଁ ବଡ ଭାଈ ହିସାବରେ ଏତିକି କହିବି । ଇଣ୍ଡଷ୍ଟ୍ରୀର ୟଙ୍ଗ ଜେନେରେସନଙ୍କୁ ସତର୍କ ହେବାପାଇଁ ସମୟ ଆସିଛି । ନିଶାଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ । ସଫଳତା ଏବଂ ଅଧିକ ଟଙ୍କା ରୋଜଗାର କରି ନିଶାଠୁ ଦୂରେଇ ରୁହନ୍ତୁ । ପରିବାର କଥା ଚିନ୍ତା କରିବାର ଆବଶ୍ୟକତା ଆସିଛି ।
ଅଭିନେତା ସ୍ୱରାଜ ବାରିକ କହିଛନ୍ତି ଯେ, ଅନେକ ସିନେମାରେ ଗୀତ ହିଟ୍ ହେବା ପରେ ସିନେମା ହିଟ୍ ହୋଇଛି । କଳାକାରଙ୍କର କେବେ ମୃତ୍ୟୁ ନଥାଏ । ୧୦୦ ବର୍ଷ ପରେ ମଧ୍ୟ ତାଙ୍କ ଗୀତ ଅମର ରହିବ । ସେ ଖୁବ ମେଳାପି ସଭିଙ୍କ ସହ ମିଶିଯାଆନ୍ତି ।
ମିଡିଆ ପ୍ଲାନର ପ୍ରଣୟ ଜେଠୀ କହିଛନ୍ତି ଯେ, ଅଭିଜିତ୍ ଦାଦା ନୂଆ ନୂଆ କଳାକାରଙ୍କୁ ସୁଯୋଗ ଦିଅନ୍ତି । ଅନେକ କଳାକାର ତାଙ୍କ ପାଇଁ ଇଣ୍ଡଷ୍ଟ୍ରୀକୁ ଆସିଛନ୍ତି ।
ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ମୁସିର କହିଛନ୍ତି ଯେ, ଅଭିଜିତଙ୍କ ସହ ମୋର ଆତ୍ମୀୟ ସମ୍ପର୍କ ଥିଲା । ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହିତ । ଓଡ଼ିଶାର ଗାୟକମାନଙ୍କୁ ଆଗକୁ ଆଣିବାକୁ ତାର ଏକ ଭଲ ଚିନ୍ତାଧାରା ଥିଲା । ସେ ଟଙ୍କା ନୁହେଁ ସଙ୍ଗୀତକୁ ଭଲ ପାଉଥିଲେ ।
ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି ଯେ, ଏହା ବହୁତ ବଡ ଡିଜାଷ୍ଟର । ଏହା ଏମିତି ଏକ କ୍ଷତି ଯାହାର ରିପ୍ଲେସମେଣ୍ଟ ନାହିଁ । ଅଭିଜିତ ଦାଦା ସମସ୍ତଙ୍କୁ ନିଜର କଲା ପରି ମଣିଷ । ସେ ଯେଉଁ ସ୍ଥାନକୁ ଯାଆନ୍ତି ସୋ କରିବା ପାଇଁ ସେଠାରେ ଶହ ଶହ ନୂଆ ଫ୍ୟାନ ସୃଷ୍ଟି କରନ୍ତି । ଆମ ସମସ୍ତଙ୍କର ଗୋଟିଏ ଇଚ୍ଛା ଥିଲା ଦାଦା ଠିକ୍ ହେବେ ଏବଂ ପୁଣି ଥରେ ମ୍ୟୁଜିକ କରିବେ । ମୋର ଯେତିକି ସିନେମା ଦାଦାଙ୍କ ସହ କରିଛି ସେଗୁଡିକ ଗୀତ ପାଇଁ ସିନେମା ହିଟ୍ ହୋଇଛି । ତାଙ୍କ ପାଖରେ ସୁନ୍ଦର ସୁଜନଶୀଳତା ଏବଂ ଭଲ ଦକ୍ଷତା ଥିଲା । ମୋର ଅନନ୍ତା ସିନେମା ଦାଦାଙ୍କ ସହ ଶେଷ ସିନେମା ହୋଇ ରହିଯିବ ।
ଅଭିନେତ୍ରୀ ଅନୁ ଚୋଧୁରୀ କହିଛନ୍ତି ଯେ, କେହି କାହା ଯାଗା ନେଇପାରିବେନି କି ତାଙ୍କ ସ୍ଥାନ କେହି ନେଇପାରିବେନି । ବହୁତ ଲୋକଙ୍କୁ ସେ ଏମିତି ସ୍ମୁତି ଦେଇ ଚାଲିଗଲେ । ଆମ ମାନଙ୍କ ପାଇଁ ସେ ଯାହା ଛାଡିଦେଇ ଚାଲିଗଲେ ସେ ସବୁଦିନ ପାଇଁ ରହିବେ ଆମ ହୃଦୟରେ ।
କଣ୍ଠଶିଳ୍ପୀ ଶକ୍ତି ମିଶ୍ର କହିଛନ୍ତି ଯେ, ମୁଁ ଖୁବ ଦୁଖିତ । ତାର ମୋର ପ୍ରାୟ ପାଖାପାଖି କ୍ୟାରିୟର ଆରମ୍ଭ କରିଥିଲୁ । ସେ ମତେ ଅନେକ ଗୀତରେ ସୁଯୋଗ ଦେଇଛନ୍ତି । କାଶିଆ କପିଳା ସିନେମାରେ ତାଙ୍କର ଏଣ୍ଟ୍ରୀ ଥିଲା ଆଉ ସେହି ସିନେମାରେ ସେ ମତେ ଗାଇବାର ସୁଯୋଗ ଦେଇଥିଲେ । ତାଙ୍କର ଅନେକ ଆଲବମରେ ମଧ୍ୟ ମୁଁ ଗୀତ ଗାଇଛି । ମୁଁ ବିଶ୍ୱାସ କରିପାରୁନି ଯେ, ସେ ଆଉ ନାହାନ୍ତି ବୋଲି ।
ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ କହିଛନ୍ତି ଯେ, ସେ ସବୁବେଳେ ଚାହୁଁଥିଲେ ନୂଆ କରିବାକୁ । ସେଥିପାଇଁ ନୂଆ କଳାକାରଙ୍କୁ ନେବାକୁ ଚାହୁଁଥିଲେ ।
ଆପଣଙ୍କୁ କହିରଖୁଛୁ ଯେ, ଭୁବନେଶ୍ୱର ଏମ୍ସରେ ଅଭିଜିତଙ୍କ ପରୋଲକ ହେବା ପରେ କଟକ ଏମଆରଆର ଷ୍ଟୁଡିଓକୁ ମୃତଦେହ ନିଆଯାଇଛି । ପରେ ବାସ ଭବନଙ୍କୁ ମୃତ ଦେହ ଯିବ ଏବଂ ଶେଷରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହେବ ।