)
ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରା ପରିବେଷଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଯାତ୍ରା ପାର୍ଟି ଗୁଡିକ ମଞ୍ଚ ବନ୍ଧା କାର୍ଯ୍ୟ ଆରମ୍ଭ କରିବା ସହ ପୋଷ୍ଟର ଲଗାଯାଇଛି । ମେଳା ୬ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ଯାଏ ଚାଲିବ । ଆଉ ଏଥିରେ ୧୦ରୁ ଅଧିକ ଅପେରା ପାର୍ଟି ଯୋଗ ଦେବେ । ତେଣୁ ପ୍ରତିବର୍ଷ ପରି ଚଳିତଥର ମଧ୍ୟ ଯାତ୍ରାପ୍ରେମୀ ବେଶ୍ ଉତ୍ସାହିତ ଅଛନ୍ତି ଖଣ୍ଡଗିରି ମେଳା ଦେଖିବା ପାଇଁ। କିନ୍ତୁ ବର୍ତ୍ତମାନ ସବୁଠାରୁ ଚର୍ଚ୍ଚା ବିଷୟ ହେଉଛି ଖଣ୍ଡଗିରିରେ ନଗ୍ନ ନାଚକୁ ବ୍ୟାନ କରାଯାଇଛି। ଆମର ସଂସ୍କୃତି ପରମ୍ପରାର ଝଲକ୍ ହେଉଛି ଖଣ୍ଡଗିରି ମେଳା। ଯେଉଁଠିକୁ ବିଭିନ୍ନ ସ୍ଥାନରୁ ସାଧୁସନ୍ଥମାନଙ୍କ ସୁଅ ଛୁଟୁଛି । ଏହା ସହିତ ଯାତ୍ରା ଦେଖିବାକୁ ପରିବାର ସହିତ ଯିବା ପାଇଁ ମଧ୍ୟ ଲୋକେ ପସନ୍ଦ କରନ୍ତି। ଏଭଳି ସ୍ଥିତିରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଐତିହ୍ୟ ପରମ୍ପରା ମର୍ଯ୍ୟାଦା ଭିତରେ ରହି ଯାତ୍ରା ପରିବେଶଣ କରିବା ପାଇଁ କମିଟି ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଯାତ୍ରା କମିଟି ଏ ବାବଦରେ ଅବଗତ ଅଛନ୍ତି। ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା ଅନୁଷ୍ଠିତ ହେବ।
ଅନ୍ୟପଟେ, ଏପରି ନିଷ୍ପତ୍ତିକୁ ସହଜରେ ହଜମ କରିପାରିନାହାନ୍ତି ବ୍ୟାନ୍ ହୋଇଥିବା ଆଇଟମ୍ ଡ୍ୟାନ୍ସର୍ । ବିଭିନ୍ନ ସମୟରେ ଗଣମାଧ୍ୟମକୁ ସାମ୍ନାକୁ ଆସି ପ୍ରଶାସନକୁ ଟକ୍କର ଦେଉଛନ୍ତି କିଛି ଆଇଟମ ଡ୍ୟାନ୍ସର । ଏହା ସହିତ ଧମକ ମଧ୍ୟ ଦେଇଛନ୍ତି କି ଯଦି ଖଣ୍ଡଗିରିରେ ଅଶ୍ଳିଳତା ପ୍ରଦର୍ଶନ ହୁଏ ତେବେ ଆମେ ସେଠି ଯାଇ ତାଣ୍ଡବ ରଚିବୁ। କିଛିଦିନ ତଳେ ଜଣେ ବିଧାୟକଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେ କହିଥିଲେ ଯେ, ଯିଏ ଖଣ୍ଡଗିରିରେ ଆଇଟମ୍ ନାଚିବ ତାକୁ ଠେଙ୍ଗା ପାହାର ହେବ। ଆଉ ଏଥିପାଇଁ ୧୦୦ ଠେଙ୍ଗା କିଣିକି ରଖିଛୁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିଛି ଦିନ ପୂର୍ବରୁ ସେହି ବିଧାୟକ ଜଣକ ନିଜେ ସାହୁ ଭାଉଜ (ଭାଗ୍ୟଶ୍ରୀ ସାହୁ)ଙ୍କୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ମାନିତ କରିଥିଲେ। ଯାହାର ଭିଡିଓ ଏବଂ ଫଟୋ ମଧ୍ୟ ଖୁବ୍ ଭାଇରାଲ୍ ହୋଇଥିଲା।
ପୂର୍ବରୁ ଆଇଟମ ଗର୍ଲ ନିଶା ମହାରଣା ପ୍ରତିକ୍ରିୟା ଦେଇ କହିଥିଲେ ଯେ, ମୁଁ ସେଇ ଲେଡିକୁ ଟାର୍ଗେଟ କରିବି ଯାହା ପାଇଁ ବିବାଦ ଆରମ୍ଭ ହୋଇଥିଲା, ସେ ଯଦି ଅଶ୍ଳିଳ ଭାଷା କହିବ ଖଣ୍ଡଗିରିରେ ମୁଁ ତାଣ୍ଡବ ରଚିବି। ଆଉ ଖଣ୍ଡଗିରି ଛକରେ ଠିଆ ଠିଆ ଉଲଗ୍ନ ହେବି। ସେ ଖଣ୍ଡଗିରିରେ ଚଢ଼ିପାରୁଛି କିନ୍ତୁ ଆମେ ଚଢ଼ି ପାରୁନୁ । ଖଣ୍ଡଗିରିକୁ ଅଶ୍ଳିଳ ନୃତ୍ୟ ବନ୍ଦ ହୋଇଛି, ଏହାକୁ ମୁଁ ସ୍ବାଗତ କରୁଛି। କିନ୍ତୁ ଏଠି ମୋ ନାଁ ସହ ଆଉ ଦୁଇଜଣଙ୍କ ନାମ ଆସୁଛି କି ଆମକୁ ବ୍ୟାନ୍ କରାଯାଇଛି। ଏହାକୁ ସ୍ଵତନ୍ତ୍ର ଭାବେ ମୁଁ ଗ୍ରହଣ କରିପାରୁନାହିଁ।
ରାଣୀ ପ୍ରିୟଦର୍ଶିନୀ ମଧ୍ୟ ଏହା ଘଟଣାରେ ମୁହଁ ଖୋଲି କମିଟି ଓ ପ୍ରଶାସନକୁ ପ୍ରଶ୍ନ କରି କହିଥିଲେ, "ଖଣ୍ଡଗିରି ଆଇଆଇସି ଯେଉଁ ନିଷ୍ପତ୍ତି ନେଇଛନ୍ତି, ମୁଁ ତାକୁ ସ୍ବାଗତ କରୁଛି । କାହିଁକି ନା ମୁଁ ବି ଚାହୁଁଛି ଆଇଟମ୍ ଡ୍ୟାନ୍ସ ହେଉ କଳା ପ୍ରଦର୍ଶନ ହେଉ, କିନ୍ତୁ କୌଣସି ଅଶ୍ଳିଳତା ନହେଉ। ମୁଁ କୌଣସି ସ୍ଥାନରେ ଅଶ୍ଳିଳତା କରିନାହିଁ, କେବଳ କଳା ପ୍ରଦର୍ଶନ କରିଛ ଲୋକଙ୍କ ମନୋରଞ୍ଜନ କରିଛି ଓ ସେମାନଙ୍କ ହୃଦୟରେ ରହିଛି। ଯେଉଁମାନେ ସେଠାର ଅଶ୍ଳିଳତା ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ବ୍ୟାନ୍ କରାଯାଉ, କିନ୍ତୁ ମୁଁ କେଉଁଠାରେ କୌଣସି ଅଶ୍ଳିଳତା କରିନି କେବଳ କଳା ପ୍ରଦର୍ଶନ କରି ଲୋକଙ୍କ ମନୋରଞ୍ଜନ କରିଛି। ରାନୀ କହିଛନ୍ତି, "ମୋ ପାଖରେ ଟ୍ୟାଲେଣ୍ଟ ଅଛି ଯୋଉଠି ଠୁମକା ଲଗେଇବି ସେଇଠି ଖଣ୍ଡଗିରି ମେଳା ହେଇଯିବ ।
ସୂଚନାଯୋଗ୍ୟ, ସାହୁ ଭାଉଜ ଓରଫ (ଭାଗ୍ୟଶ୍ରୀ ସାହୁ) ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଓଡ଼ିଆ ଅସ୍ମିତାକୁ ମୁଁ କୋଉଠି ନଷ୍ଟ କରିଛି । ଭାଡ୍ ମେ ଯାଉ ତମ ଓଡ଼ିଆ ଅସ୍ମିତା । ବହୁତ୍ ଜଣ କହୁଛନ୍ତି ମୁଁ ଓଡ଼ିଆ ଅସ୍ମିତାକୁ ଖରାପ କରୁଛି। ମୁଁ କିଛି କରିନି। ମୋ ପାଖରେ ଦକ୍ଷତା ଅଛି ସେଥିପାଇଁ ମତେ ଲୋକେ ଦେଖିବାକୁ ଆସୁଛନ୍ତି। ଆଇଟମ୍ ନାଚିବା ବନ୍ଦ କରିବା ଉପରେ ସେ କହିଛନ୍ତି, ଯାତ୍ରା ବନ୍ଦ ହେଲେ ଆଇଟମ୍ ବନ୍ଦ୍ ହେବ। ତେବେ ଏହାକୁ ପେଶା କରିବା ଉପରେ ସେ କୁହନ୍ତି, ମୁଁ ଗୋଟେ ଭଲ ଝିଅ ଥିଲି ଧିରେ ଧିରେ ସମାଜ ମତେ ଏମିତି ଆଜି ସଜେଇ ଦେଇଛି। ଯଦି ମୁଁ ଏଥିରୁ ଭଲ ରୋଜଗାର କରୁଛି ତେବେ କାହିଁକି ଏସବୁ ବନ୍ଦ କରିବି।