)
Varinder ghuman died: ସିନେଜଗତରେ ଶୋକର ଲହରୀ ଖେଳିଯାଇଛି । ପଞ୍ଜାବୀ ଅଭିନେତା ତଥା ବଡିବିଲ୍ଡର ଭାରିନ୍ଦର ସିଂହ ଘୁମାନଙ୍କ ଅକାଳ ବିୟୋଗ ହୋଇଯାଇଛି। ହୃଦଘାତରେ ଭାରିନ୍ଦରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭାରିନ୍ଦରଙ୍କ ମୃତ୍ୟୁ ଖବର ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଚର୍ଚ୍ଚା ଅନୁଯାୟୀ, ଭାରିନ୍ଦର ବାଇସେପ୍ ଆଘାତ ପାଇଁ ଏକ ଛୋଟ ଅସ୍ତ୍ରୋପଚାର ପାଇଁ ଅମୃତସରର ଫୋର୍ଟିସ୍ ହସ୍ପିଟାଲ ଯାଇଥିଲେ। ଏକ ଛୋଟ ଅସ୍ତ୍ରୋପଚାର ଥିବା କାରଣରୁ ଭାରିନ୍ଦର ଏକା ଘରୁ ବାହାରି ଆସିଥିଲେ । ସେ ଆଜି ହସ୍ପିଟାଲରୁ ଫେରିବାର ଥିଲା, କିନ୍ତୁ ହଠାତ୍ ତାଙ୍କର ହୃଦଘାତ ହୋଇଥିଲା ।
2023ରେ ମୁକ୍ତିଲାଭ କରିଥିବା "ଟାଇଗର 3" ଫିଲ୍ମରେ ସଲମାନ ଖାନଙ୍କ ସହିତ ଭାରିନ୍ଦରଙ୍କ ଅଭିନୟ ଦେଖିବାକୁ ମିଳିଥିଲା । ଭାରିନ୍ଦପୃରଙ୍କ ବଡିବିଲ୍ଡିଂ ତଥା ଫିଟନେସ୍ ଦକ୍ଷତାକୁ ସମସ୍ତେ ପ୍ରଶଂସା କରୁଥିଲେ। ସଲମାନ ଖାନଙ୍କ ପ୍ରଶଂସକମାନେ ସିନେମାରେ ଭାରିନ୍ଦରଙ୍କ ଫିଟନେସ୍ ଦେଖି ମୁଗ୍ଧ ହୋଇଥିଲେ।
ପୂର୍ବରୁ ଭାରିନ୍ଦର ସୋସିଆଲ ମିଡିଆରେ ସଲମାନ ଖାନଙ୍କ ସହିତ ଏକ ଫଟୋ ମଧ୍ୟ ସେୟାର କରିଥିଲେ । ଫଟୋରେ ସେ ବହୁତ ଗମ୍ଭୀର ଦେଖାଯାଉଥିଲେ। ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରେ ଭାରିନ୍ଦରଙ୍କ ବ୍ୟକ୍ତିତ୍ୱ ଖୁବ୍ ଶୀଘ୍ର ପ୍ରଶଂସକମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଯାଇଥିଲା। କେବଳ ସେତିକି ନୁହେଁ, ଭାରିନ୍ଦର "ମିଷ୍ଟର ଇଣ୍ଡିଆ 2009" ଜିତିଥିଲେ। ଏହା ବ୍ୟତୀତ, ସେ "ମିଷ୍ଟର ଏସିଆ ଚାମ୍ପିଅନସିପ୍" ରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ଭାରିନ୍ଦର "ଦି ହି-ମ୍ୟାନ୍ ଅଫ୍ ଇଣ୍ଡିଆ" ଭାବରେ ବେଶ୍ ଜଣାଶୁଣା ହୋଇଥିଲେ ।
ତଥ୍ୟ ଅନୁଯାୟୀ, ଭାରିନ୍ଦର ବିଶ୍ୱର ପ୍ରଥମ ନିରାମିଷ ପ୍ରଫେସନାଲ୍ ବଡିବିଲ୍ଡର ଥିଲେ। ସେ IFBB (ଇଣ୍ଟରନ୍ୟାସନାଲ୍ ଫେଡେରେସନ୍ ଅଫ୍ ବଡିବିଲ୍ଡିଂ ଆଣ୍ଡ୍ ଫିଟନେସ୍) ପ୍ରୋ କାର୍ଡ ହାସଲ କରିଥିବା ପ୍ରଥମ ଭାରତୀୟ ବଡିବିଲ୍ଡର ଥିଲେ। ଆମେରିକୀୟ ଅଭିନେତା ଆର୍ନୋଲ୍ଡ ସ୍କ୍ୱାର୍ଜେନେଗର ଏସିଆରେ ତାଙ୍କ ସ୍ୱାସ୍ଥ୍ୟ ଉତ୍ପାଦର ପ୍ରଚାର ପାଇଁ ଭାରିନ୍ଦରଙ୍କୁ ନିଯୁକ୍ତି ଦେଇଥିଲେ। ଭାରିନ୍ଦର ତାଙ୍କ ଉତ୍ପାଦର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟ କରିଥିଲେ ।
କେବଳ ଫିଟନେସ୍ ନୁହେଁ ବରଂ ଅଭିନୟରେ ମଧ୍ୟ ଖୁବ ଆଗ୍ରହୀ ଥିଲେ ଭାରିନ୍ଦର । ସେ ଅନେକ ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ପ୍ରଶଂସା ସାଉଣ୍ଟିଥିଲେ । "କବାଡି ୱାନ୍ସ ଅପନ୍" ଏକ ପଞ୍ଜାବୀ ଚଳଚ୍ଚିତ୍ର ଥିଲା ଯାହା ଭାରିନ୍ଦରଙ୍କୁ ରାତାରାତି ଷ୍ଟାର କରିଥିଲା। ଏହି ଚଳଚ୍ଚିତ୍ର ମାଧ୍ୟମରେ ଭାରିନ୍ଦରଙ୍କ ଅଭିନୟ ଆରମ୍ଭ କରିଥିଲେ।
ଭାରିନ୍ଦର "ରୋର୍ - ଟାଇଗର୍ସ ଅଫ୍ ଦି ସୁନ୍ଦରବନ" ସହିତ ତାଙ୍କର ହିନ୍ଦୀ ଚଳଚ୍ଚିତ୍ର ଡେବ୍ୟୁ କରିଥିଲେ। ଏହା ପରେ, ଭାରିନ୍ଦର "ମରଜାୱାନ୍" ଫିଲ୍ମରେ ମଧ୍ୟ ନଜର ଆସିଥିଲେ। ସଲମାନ ଖାନଙ୍କ ସହ "ଟାଇଗର୍ 3"ରେ ଅଭିନୟ ପରେ ପ୍ରଶଂସକମାନେ ବେଶ୍ ଖୁସି ହୋଇଥିଲେ।
ଭାରିନ୍ଦର ଅନେକ ସମୟରେ ସୋସିଆଲ ମିଡିଆ ମାଧ୍ୟମରେ ୱାର୍କଆଉଟ୍ କରୁଥିବା ସମୟର ଭିଡିଓ ସେୟାର କରୁଥିଲେ। ଇନଷ୍ଟାଗ୍ରାମରେ ଭାରିନ୍ଦରଙ୍କ ଦଶ ଲକ୍ଷ ଫଲୋଅର୍ସ ଥିଲେ। ଭାରିନ୍ଦର ଫିଟନେସ୍ ପ୍ରତି ବହୁତ ଉତ୍ସାହୀ ଥିଲେ। କେବଳ ସେତିକି ନୁହେଁ ଭାରିନ୍ଦରଙ୍କ ରାଜନୀତି ପ୍ରତି ମଧ୍ୟ ରୁଚି ରହିଥିଲା । ସେ 2027 ରେ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଯୋଜନା ଥିଲା।