)
ଭୁବନେଶ୍ୱର: ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଭାବେ ସୁନାମ ଅର୍ଜିଥିବା ରାଉଡି ରାକା ବା ଜ୍ଞାନ ରଞ୍ଜନ ସାହୁଙ୍କ ପରଲୋକ ହୋଇଯାଇଛି।ଭୁବନ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ସେ ଜଣ୍ଡିସରେ ଆକ୍ରାନ୍ତ ରହିଥିବା ସୂଚନା ମିଳିଛି। ଓଡ଼ିଆ ଯାତ୍ରା ଜଗତ ଏଭଳି ଜଣେ ସୁନାମଧନ୍ୟ କଳାକାରଙ୍କୁ ହରାଇ ସମ୍ପୁର୍ଣ୍ଣ ଭାଙ୍ଗି ପଡ଼ିଛି। ଆସନ୍ତାବର୍ଷ ଅର୍ଥାତ୍ ୨୦୨୫-୨୬ ଯାତ୍ରା ଋତୁରେ ସେ କଳିଙ୍ଗ ଗଣନାଟ୍ୟରେ ଅଭିନୟ କରିବାର ଥିଲା ବୋଲି ସୂଚନା ରହିଛି। ଏଠାରେ କହି ରଖୁ କି ବିଗତ କିଛି ଦିନ ମଧ୍ୟରେ ଯାତ୍ରା ଜଗତ ୩ ଜଣ ଦମଦାର ଅଭିନେତାକୁ ହରାଇ ସାରିଲାଣି।
ଏଠାରେ କହି ରଖୁ କି ଜ୍ଞାନରଞ୍ଜନ ଦମଦାର ଅଭିନୟ ବଳରେ ଲୋକଙ୍କ ବାନ୍ଧି ରଖିପାରୁଥିଲେ। ମଞ୍ଚ ଉପରେ ନାକରେ କଥା କହିବା ଚାତୁରି ବଳରେ ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରିଥିଲେ। ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ଡାଏଲଗ୍ କରି ଆଖିରେ ଆଖିରେ ଭୟଙ୍କର ଚାହାଣିରେ ସେ ଡରାଉଥିଲେ ଦର୍ଶକଙ୍କୁ ଆଉ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଉଥିଲେ। ବାଃ ବାଃରେ କ୍ୟାପିଟାଲ, ଖରାପ ଝିଅର ଗପ, ଅସତି ତୁଳସୀ ସତି ଚଉରା, ମିଛୁଆ ରାଧୁଆ ଗପ ସରିଲା, ହାଟ ବସେଇଛି ହଟ ନାଗରୀଭଳି ୧୦୦ ରୁ ଅଧିକ ନାଟକରେ ସେ ନିଜ ଅଭିନୟର ନିଖୁଣ ନିଦର୍ଶନ ଦେଖାଇଛନ୍ତି। ତାଙ୍କ ଅଭିନିତ ପ୍ରତିଟି ଭୁମିକା ନିଶ୍ଚୟ ଭାବେ ଓଡ଼ିଶାର ଅଗଣୀତ ଯାତ୍ରାପ୍ରେମୀଙ୍କ ହୃଦୟରେ ଏକ ବିରାଟ ଛାପ ଛାଡ଼ିଛି। ତାଙ୍କ ଆବର୍ତ୍ତମାନରେ ଭାଙ୍ଗିପଡ଼ିଛି ଜଲିଉଡ୍ ଇଣ୍ଡଷ୍ଟ୍ରୀ।