)
Jollywood News: ଯାତ୍ରା ଅଭିନେତା କାହ୍ନୁଚରଣଙ୍କ ସ୍ୱାଇଁଙ୍କ ଦେହାନ୍ତ ହୋଇଛି । ସୂଚନା ମୁତାବକ, ଗତକାଲି ପ୍ରାୟ ରାତି ୩ଟା ସମୟରେ କାହ୍ନୁ ଘରକୁ ଫେରୁଥିବା ସମୟରେ କେନ୍ଦୁଝର ନନ୍ଦିପଦା ଥାନା ଅନ୍ତର୍ଗତ ମରେଇ ଗାଁ ନିକଟରେ ହୃଦଘାତରେ ମୃତ୍ୟୁ ଘଟିଛି । କାହ୍ନୁ ଓଡ଼ିଶାର ପ୍ରମୁଖ ଯାତ୍ରାନୁଷ୍ଠାନ ଗୁଡିକରେ ଅଭିନୟ କରିସାରିଛନ୍ତି । ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅତିଆର କରିଛନ୍ତି । ହୃଦଘାତରେ କାହ୍ନୁଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନାହାନ୍ତି ପ୍ରଶଂସକ ଏବଂ ସହ କଳାକାରମାନେ ।
ସୂଚନାଯୋଗ୍ୟ, ନିକଟରେ ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଭାବେ ସୁନାମ ଅର୍ଜିଥିବା ରାଉଡି ରାକା ବା ଜ୍ଞାନ ରଞ୍ଜନ ସାହୁଙ୍କ ପରଲୋକ ହୋଇଥିଲା।ଭୁବନ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଓଡ଼ିଆ ଯାତ୍ରା ଜଗତ ଏଭଳି ଜଣେ ସୁନାମଧନ୍ୟ କଳାକାରଙ୍କୁ ହରାଇ ସମ୍ପୁର୍ଣ୍ଣ ଭାଙ୍ଗି ପଡ଼ିଛି। ଜ୍ଞାନରଞ୍ଜନ ଦମଦାର ଅଭିନୟ ବଳରେ ଲୋକଙ୍କ ବାନ୍ଧି ରଖିପାରୁଥିଲେ। ମଞ୍ଚ ଉପରେ ନାକରେ କଥା କହିବା ଚାତୁରି ବଳରେ ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରିଥିଲେ। ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ଡାଏଲଗ୍ କରି ଆଖିରେ ଆଖିରେ ଭୟଙ୍କର ଚାହାଣିରେ ସେ ଡରାଉଥିଲେ ଦର୍ଶକଙ୍କୁ ଆଉ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଉଥିଲେ। ବାଃ ବାଃରେ କ୍ୟାପିଟାଲ, ଖରାପ ଝିଅର ଗପ, ଅସତି ତୁଳସୀ ସତି ଚଉରା, ମିଛୁଆ ରାଧୁଆ ଗପ ସରିଲା, ହାଟ ବସେଇଛି ହଟ ନାଗରୀଭଳି ୧୦୦ ରୁ ଅଧିକ ନାଟକରେ ସେ ନିଜ ଅଭିନୟର ନିଖୁଣ ନିଦର୍ଶନ ଦେଖାଇଛନ୍ତି। ତାଙ୍କ ଅଭିନିତ ପ୍ରତିଟି ଭୁମିକା ନିଶ୍ଚୟ ଭାବେ ଓଡ଼ିଶାର ଅଗଣୀତ ଯାତ୍ରାପ୍ରେମୀଙ୍କ ହୃଦୟରେ ଏକ ବିରାଟ ଛାପ ଛାଡ଼ିଛି। ତାଙ୍କ ଆବର୍ତ୍ତମାନରେ ଭାଙ୍ଗିପଡ଼ିଛି ଜଲିଉଡ୍ ଇଣ୍ଡଷ୍ଟ୍ରୀ।
ଏଠାରେ କହି ରଖୁ କି ବିଗତ କିଛି ଦିନ ମଧ୍ୟରେ ଯାତ୍ରା ଜଗତ ୩ ଜଣ ଦମଦାର ଅଭିନେତାକୁ ହରାଇ ସାରିଲାଣି। ଯାତ୍ରା ଜଗତରେ ଏବେ ଶୋକର ଛାୟା । କିଛିଦିନ ତଳେ ବର୍ଷିଆନ ହାସ୍ୟ ଅଭିନେତା ଦେବେନ୍ଦ୍ର କୁମାର ଦାଶ (ବୁଦ୍ଧିଆନା)ଙ୍କ ଅକାଳ ବିୟୋଗ ହୋଇଛି। ଅତି ଛୋଟ ବୟସରୁ ଇଚ୍ଛାପୁର ଯାତ୍ରା ପାର୍ଟିରେ ଯୋଗ ଦେଇଥିଲେ ଦେବେନ୍ଦ୍ର । ପରେ ଅନେକ ଯାତ୍ରାପାର୍ଟିରେ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା । ନିଜ ଅଭିନୟ ବଳରେ ସେ ଦର୍ଶକଙ୍କ ହୃଦୟକୁ ଜିଣିବାରେ ସଫଳ ହୋଇଥିଲେ । କେବଳ ଦର୍ଶକ ନୁହଁନ୍ତି ବରଂ ଯାତ୍ରା ଜଗତର ଅନେକ କଳାକାର ଦେବେନ୍ଦ୍ରଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ।
ନିକଟରେ ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ଆକସ୍ମିକ ବିୟୋଗ ଘଟିଛି । ଅଭିନୟ କରିବାକୁ ନୂଆପଡ଼ା ଯାଇଥିବା ସମୟରେ ହୃଦ୍ଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ସିନାପାଲି କେନ୍ଦୁମୁଣ୍ଡା ଗାଁ ମଞ୍ଚରେ ଯାତ୍ରା ମଞ୍ଚସ୍ଥ କରିବା ପୂର୍ବରୁ ହୃଦଘାତର ଶିକାର ହୋଇଥିଲେ ନରେନ୍ଦ୍ର । ଖଳନାୟକ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ପୂର୍ବରୁ ଅନେକ ଯାତ୍ରାନୁଷ୍ଠାନରେ ଅଭିନୟ ପରେ ଏଥର ଯାତ୍ରାଋତୁରେ ସେ ଅଷ୍ଟସମ୍ଭୁ ଅନୁଷ୍ଠାନରେ କାର୍ଯ୍ୟରତ ଥିଲେ । ନରେନ୍ଦ୍ରଙ୍କୁ ନଳୀ ନାମରେ ପ୍ରାୟ ସମସ୍ତେ ଜାଣନ୍ତି ।
ଡିସେମ୍ୱର ୭ ତାରିଖ ଦିନ ସନ୍ଧ୍ୟାରେ ଯାତ୍ରାପ୍ରେମୀଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଖବର ଆସିଥିଲା । ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ଅକାଳ ବିୟୋଗ ଘଟିଥିଲା । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଚିଙ୍ଗୁଡିପୁର ନିକଟରେ ସଡକ ଦୁର୍ଘଟଣାରେ ଗୁରୁଙ୍କ ମୃତ୍ୟୁ ହୋଇଥିଲା । ସୂଚନା ମୁତାବକ, ଏକ ସ୍ଥାନକୁ ଯିବା ସମୟରେ ରବିବାର ପ୍ରାୟ ସନ୍ଧ୍ୟା ୭ଟା ସମୟରେ ଚିଙ୍ଗୁଡିପୁର କେନାଲ ବ୍ରିଜ୍ ନିକଟରେ ଏକ ଟ୍ରକ ସହ ଧକ୍କା ହେବା କାରଣରୁ ଦୁର୍ଘଟଣା ଘଟିଥିଲା । ଗୁରୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ହେଲେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗୁରୁଙ୍କ ବିୟୋଗରେ ସମଗ୍ର ଯାତ୍ରା ଜଗତ ସମେତ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଥିଲା । ନିଜ ଦମଦାର ହାସ୍ୟ ଅଭିନୟ ପାଇଁ ଯାତ୍ରା ଜଗତରେ ସ୍ୱତନ୍ତ୍ର ସ୍ଥାନ ଅତିଆର କରିଥିଲେ ଗୁରୁ । ଚଳିତ ଯାତ୍ରା ଋତୁରେ ଗୁରୁ ଯାତ୍ରା ଇନ୍ଦ୍ରଭୁବନରେ ଅଭିନୟ କରୁଥିଲେ । ପୂର୍ବରୁ ମଧ୍ୟ ଅନେକ ଯାତ୍ରାନୁଷ୍ଠାନରେ କାର୍ଯ୍ୟ କରିଥିଲେ । ପିଲାଟି ଦିନରୁ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ଜୀବନସାଥିଙ୍କ ସହ ବିବାହ ବାର୍ଷିକ ପାଳନ କରିବା ପାଇଁ ବ୍ୟସ୍ତମୟ ଜୀବନରୁ ଟିକିଏ ଫୁରସତ ମିଳିଥିଲା । ହେଲେ ସେତକ ଆଶା ବି ପୂରଣ ହୋଇପାରିଲାନି । ଅଧା ବାଟରୁ ରାସ୍ତା ବଦଳାଇ ଆରପାରିକୁ ଚାଲିଗଲେ ଯାତ୍ରା ଜଗତର ଚର୍ଚ୍ଚିତ ହାସ୍ୟ ଅଭିନେତା ଗୁରୁ ପୃଷ୍ଟି ।
କେବଳ ସେତିକି ନୁହେଁ, ଯାତ୍ରା ହିରୋଇନ୍ ତାମସାଙ୍କ ପୁଅଙ୍କ ପରଲୋକ ହୋଇଛି । ଅସହ୍ୟ ଯନ୍ତ୍ରଣାକୁ ଛାତିରେ ଚାପି ରଖି ଜଣେ ଯାତ୍ରା ଅଭିନେତ୍ରୀ ଭାବରେ ମୁହଁରେ ରଙ୍ଗ ମାରି ଷ୍ଟେଜ ଚଢ଼ିଥିଲେ ତାମସା । ପ୍ରକୃତରେ କଳାକାରମାନଙ୍କ ଜୀବନ ଏତେ ସହଜ ନୁହେଁ ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।