)
Ollywood News: ଷୋଳଟି ଫଗୁଣ ଆସି ତତେ ଛୁଇଁ ଦେଲା ପରେ...ଶାଢୀ ତୁ ପିନ୍ଧିଲୁ ଯେଉଁ ଦିନ...ଚାଲୁଥିଲୁ ଟିକେ ଟିକେ ଝୁଣ୍ଟୁଥିଲୁ ଟିକେ ଟିକେ ଦେଖିଲି ମୁଁ ତତେ ସେହି ଦିନ ... ଏହି ଗୀତଟି କାହାକୁ ବା ଭଲ ନଲାଗେ ? ଗାୟକ ଶୁଭାଶିଷ ମହାକୁଳ ସେତେବେଳେ ଏ ଗୀତ ପାଇଁ ଖୁବ ଚର୍ଚ୍ଚାକୁ ଆସିଥିଲେ । ଯୁବପିଢୀଙ୍କ ମନରେ ଏ ଗୀତଟି ଭରିଦେଇଥିଲା ଅପୂର୍ବ ଆନନ୍ଦ ଯାହାକୁ ଏବେ ବି ଗୁଣଗୁଣାଉଛନ୍ତି ସଭିଏଁ ।
କେବଳ ସେତିକି ନୁହେଁ, 'ଭାବିବୁନି ମିଛ ଏ ପ୍ରେମ', 'ଦୁନିଆରେ ଯାହା କିଛି ଭଲ ଲାଗେ ସବୁ ମିଳେନା', 'ରାଗିଗଲେ ତୁ', 'ମତେ ଦିଲ୍ଲୀ ନଉଛ ହେଲେ ଦିଲ୍ ଦଉନ', 'ଏ ଗଉରା ଆଜିକାଲି କଣ ଖାଉଛୁ', ଅନେକ ମିଠା ଗୀତ ଗାଈ ଦିନେ ଲୋକପ୍ରିୟତା ଶିଖରରେ ପହଞ୍ଚିଥିବା ଗାୟକ ଶୁଭାଶିଷଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ନୂଆବର୍ଷ ପାଳନ ପାଇଁ ସବୁଠି ଉତ୍ସବମୁଖର ପରିବେଶ ଚାଲିଥିବା ସମୟରେ ଅନେକ ଅର୍କେଷ୍ଟ୍ରା ପାର୍ଟି ମେଲୋଡି କାର୍ଯ୍ୟକ୍ରମ ପାଇଁ କଳାକାରମାନଙ୍କୁ ଆଗୁଆ ବୁକ୍ କରିସାରିଲେଣି । ହେଲେ ଡିସେମ୍ୱର ୩୧ ତାରିଖ ଦିନ ଗାୟକ ଶୁଭାଶିଷଙ୍କ ହାତ ଖାଲି । କୌଣସି ଅର୍କେଷ୍ଟ୍ରା ପାର୍ଟି ଶୁଭାଶିଷଙ୍କୁ ବୁକ୍ କରିନାହାନ୍ତି । ଶୁଭାଶିଷ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ, ଏତଦ୍ୱାରା ଓଡ଼ିଶାର ସମସ୍ତ ଅର୍କେଷ୍ଟ୍ରା ଗ୍ରୁପ୍ ସଦସ୍ୟଙ୍କୁ ଜଣେଇ ଦବାକୁ ଚାହେଁ ଯେ, ମୁଁ ଶୁଭାଶିଷ ମହାକୁଳ (ପ୍ରଛଦପଟ ଗାୟକ) ଡିସେମ୍ୱର ୩୧, ୨୦୨୫ରେ ଫ୍ରି ଅଛି । ବୁକ୍ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିମାନେ ୮୨୪୯୪୮୧୩୪୨ ନମ୍ୱରକୁ ଯୋଗାଯୋଗ କରିପାରିବେ ।
ତେବେ ଏହି ପୋଷ୍ଟ ପରେ ଶୁଭାଶିଷଙ୍କ ଅନେକ ପ୍ରଶଂସକ କମେଣ୍ଟ ବକ୍ସରେ ପ୍ରତିକ୍ରିୟା ଦେଇଛନ୍ତି । ଅସୀମ ବାନାର୍ଜୀ ନାମକ ଜଣେ ପ୍ରଶଂସକ ଲେଖିଛନ୍ତି ଯେ, ଭାଈ ଆପଣଙ୍କ ପ୍ରୋଗ୍ରାମ ସିଡ୍ୟୁଲ ନିଜେ ଫିକ୍ସ କରୁଛନ୍ତି ଏକଦମ ବଢିଆ ଚିନ୍ତାଧାରା। ହ୍ୟୁମାନ ଭାଈଙ୍କ ପାଇଁ ଆଉ କିଏ ସିଡ୍ୟୁଲ୍ କରୁଥିଲେ ଯେଉଁଥିପାଇଁ ଅସୁବିଧାରେ ପଡିଲେ । ତେଣୁ ବେଷ୍ଟ ଅଫ୍ ଲକ୍ ଭାଈ । ଏହାର ଉତ୍ତରରେ ଶୁଭାଶିଷ ଲେଖିଥିଲେ ଯେ, ଦାଦା ଗୁରୁଜ୍ଞାନ ହେଉଛି ଆମେ କାହା ସାଙ୍ଗରେ କାହା ସହିତ କେବେ ବି ତୁଳନା କରିବାନି.. ଦିନ ଥିଲା ମୁଁ ମଧ୍ୟ ଅନ୍ୟ କେଉଁ ଅର୍ଗାନାଇଜରଙ୍କ କଥାରେ ନାଚୁଥିଲି ଗାଉଥିଲି.. ସବୁ ସମୟର ଖେଳ.. ଏବେ କୌଣସି ଦଳରେ ନାହିଁ ଆଉ କଥା ହେଲା ମୋ ପାଖରେ ୩୧ ତାରିଖ ରାତି ପାଇଁ ପ୍ରୋଗ୍ରାମ ନାହିଁ ବୋଲି ପୋଷ୍ଟ କରିଦେଲି.. ସଂସାର ଟିକେ ଅଭାବରେ ଚାଲିଛି.. ତା ମାନେ ନୁହେଁ ଯେ ସେଇ ଦିନ ପ୍ରୋଗ୍ରାମ ନ ପାଇଲେ କଣ ଗୋଟେ ଅସୁଧି ହେଇଯିବ ।
ତେବେ ଶୁଭାଶିଷଙ୍କ କଥାରୁ ସ୍ପଷ୍ଟ ଅନୁମେୟ ଯେ, ନୂଆ ପିଢୀର ଯୁବ କଣ୍ଠଶିଳ୍ପୀ ତଥା ବର୍ତ୍ତମାନର ଟ୍ରେଣ୍ଡିଂ ସିଙ୍ଗରମାନଙ୍କ ଚାହିଦା ବର୍ତ୍ତମାନ ବଢିବାରେ ଲାଗିଛି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଯାହାର ଫ୍ୟାନ ଫଲୋଅର୍ସ ଅଧିକ ଏବଂ ବର୍ତ୍ତମାନ ଯେଉଁସବୁ ନୂଆ ଗୀତ ହିଟ୍ ହେଉଛି ସେହି ଗାୟକମାନଙ୍କୁ ଅଫର ପରେ ଅଫର୍ ମିଳିବାରେ ଲାଗିଛି । କେବଳ ସେତିକି ନୁହେଁ ସେ ଗାୟକମାନଙ୍କ ବଜେଟ୍ ମଧ୍ୟ ଅଧିକ ରହୁଛି । ହେଲେ ପୁରୁଣା ଗାୟକମାନଙ୍କ ଚାହିଦା ସେହି ଅନୁସାରେ ନାହିଁ । ଏପରି କି ନୂଆ ଗୀତ ଷ୍ଟୁଡିଓରେ ରେକର୍ଡ କରିବା ପାଇଁ ମଧ୍ୟ ବରିଷ୍ଠ ଗାୟକମାନଙ୍କୁ କମ୍ ସୁଯୋଗ ମିଳୁଛି ।