)
Ollywood: ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ ପରେ ସମଗ୍ର ଓଲିଉଡ ଜଗତ ଏବଂ ପ୍ରଶଂସକଙ୍କ ମନରେ ଶୋକର ଛାୟା । କିନ୍ତୁ ଅଭିଜିତ ଯାହାଙ୍କ ସହ ଅତି ପାଖରୁ ମିଶିଛନ୍ତି ସେମାନଙ୍କ ପାଇଁ ଏହି ଯନ୍ତ୍ରଣା କୌଣସି ନିଜ ଲୋକଙ୍କୁ ହରାଇବାଠାରୁ କମ୍ ନୁହେଁ । ଗତକାଲି ଅଭିଜିତଙ୍କ ମୃତ୍ୟୁ ପରେ ଅନେକ କଳାକାର ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏପରି କି କିଛି କଳାକାରଙ୍କ ଆଖିରେ ଅନବରତ ଲୁହ ଝରୁଥିବା ଦେଖିବାକୁ ମିଳିଥିଲା । କେହି ଗଣମାଧ୍ୟମକୁ ପ୍ରତିକ୍ରୟା ଦେବା କିମ୍ୱା ସୋସିଆଲ ମିଡିଆରେ କିଛି ଲେଖିବାକୁ ଧର୍ଯ୍ୟ ରଖିପାରୁନଥିଲେ । ଅଭିଜିତଙ୍କ ମୃତ୍ୟର ୩୦ ଘଣ୍ଟା ପରେ ସାଥୀ ତଥା ଗୀତିକାର ଡ. ନିର୍ମଳ ନାୟକ ନିଜ ମନର ବେଦନା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ନିର୍ମଳ ଲେଖିଛନ୍ତି ଯେ, ଅଭିଜିତ୍ ତୁମ ଆବର୍ତ୍ତମାନର ତିରିଶି ଘଣ୍ଟା ବିତି ଗଲାଣି। ତମେ ଆଉ ନାହଁ ବିଶ୍ୱାସ ହଉନି ବୋଲି ଏଯାଏ କିଛି ପୋଷ୍ଟ କରିନଥିଲି। କିନ୍ତୁ ଧୀରେ ଧୀରେ ବିଶ୍ୱାସ କରିବାକୁ ବାଧ୍ୟ ହେଉଛି । କାହିଁକିନା ଏଇଟା ହଉଛି ଜୀବନର ଚରମ ସତ୍ୟ । ମନେ ପଡୁଛି ଅଭିଜିତ୍? ତମର ମୋର ଦେଖା ସାକ୍ଷାତ ହେଇଥିଲା 1988 ମସିହା ଡିସେମ୍ବର ମାସରେ । ତମ ସାନ ଭାଇ ମନୋଜିତ୍ ମଜୁମ୍-ଦାର (ମାନୁ) ମୋ ସହିତ ମିଶି ଡ୍ରାମା କରୁଥିଲେ। ସେତେବେଳେ ମୁଁ ଡ୍ରାମା ରାଇଟର୍ ସହିତ ରେଡିଓ ରେ ଗୀତ ଲେଖିବା ଆରମ୍ଭ କରିଥିଲି ।
ମାନୁ ମତେ ମାମୁଁ ଡାକୁଥିଲେ । ତମ ସହିତ ମୋର ପରିଚୟ କରେଇଥିଲେ। ତାଙ୍କ ଦେଖାସିଖା ତମେ ମତେ ମାମୁଁ ଡାକିବା ଆରମ୍ଭ କଲ। ତମେ ମେଲୋଡିରେ ଗୀତ ଗାଉଥିଲ। ତମର ମୋର ସମ୍ପର୍କ ଆରମ୍ଭ ହେଲା ପରେ ମୁଁ ଡ୍ରାମା ଛାଡ଼ି ସଙ୍ଗୀତ ଆଡ଼କୁ ଟାଣି ହେଇ ଆସିଲି । ଆଉ ସବୁଦିନ ପାଇଁ ତମେ ମୋ ସହିତ ଯୋଡି ହେଇଗଲ । ରେଡିଓ ପାଇଁ ଗୀତ ତିଆରି କଲେ , ବହୁତ୍ ପ୍ରୋଗ୍ରାମ୍ କଲେ । 1990 ମସିହାରେ ତମେ ମତେ କହିଲ ଗୋଟେ ସମ୍ବଲପୁରୀ କ୍ୟାସେଟ୍ ତିଆରି କରିବା । ପ୍ରଥମେ ମନା କରୁଥିଲି ତାପରେ ରାଜି ହେଲି । ତାପରେ ଆମେ "ଧସ୍-କିଗଲା" କ୍ୟାସେଟ୍ ତିଆରି କଲେ । ସବୁଗୀତ ମୁଁ ଲେଖିଥିଲି ସବୁଗୀତ ତମେ ଗାଇଥିଲ। କ୍ୟାସେଟ୍ ଟି ସୁପର୍ ଡୁପର୍ ହିଟ୍ ହେଲା । ତାପରେ ତମେ ଗଣିତ ଅଧ୍ୟାପକ ଭାବରେ ବୃତ୍ତିଗତ ଜୀବନ ଆରମ୍ଭ କଲ । ମୁଁ ହୋମିଓପାଥି ଡିଗ୍ରୀ ଶେଷ କରି କ୍ଲିନିକ୍ ଖୋଲିଲି । ବାହା ସାହା ହେଇ ସଂସାର କଲେ ।
ପରେ ଦୁଇ ମାମୁଁ ଭଣଜା ସଙ୍ଗୀତ ମାୟାରେ ଏମିତି ପଡ଼ିଲେ ଯେ, ତମେ ପରିବାର ଧରି କଟକ ପଳେଇ ଆସିଲ । ବର୍ଷେ ପରେ ମୁଁ ପରିବାର ଛାଡ଼ି କଟକ ପଳେଇ ଆସିଲି । ଆରମ୍ଭ ହେଲା ଦୁଇ ଜଣକ ଜୀବନର ନୂଆ ଅଧ୍ୟାୟ । ଅନେକ ସଂଘର୍ଷ ପରେ ଧିରେ ଧିରେ ଇଣ୍ଡଷ୍ଟ୍ରିରେ ପାଦ ଥାପିଲେ । ଅନେକ ଗୁଡ଼ିଏ କ୍ୟାସେଟ୍ ରେ କାମ କଲେ ସେଗୁଡିକ ଫ୍ଲପ୍ ହେଲା । ତାପରେ ମା ତାରିଣୀଙ୍କ ଦୟାରୁ ଆମ ଦୁଇଜଣଙ୍କ ଗୋଟେ ଗୀତ "ନଡ଼ିଆରେ ଲାଗିଥାଉ କତା "ସୁପର୍ ଡୁପର୍ ହିଟ୍ ହେଲା । ସେଇଦିନଠୁ ଆମେ ଦୁଇଜଣ ପଛକୁ ଚାହିଁନେ । 1998 ମସିହାରେ ତମେ "କାଶିଆ କପିଳା "ସିନେମାରେ ସଙ୍ଗୀତ ଦେଲ ମୁଁ ଗୀତ ଲେଖିଲି । ତାପରେ ଆଲବମ୍ ସଂଖ୍ୟା ସିନେମା ସଂଖ୍ୟା ବଢ଼ି ଚାଲିଲା । 3000 ଆଲବମ୍ 100 ପାଖା ପାଖି ସିନେମାରେ ଦୁହେଁ ଏକାଠି କାମ କରିଛେ। ଭୋକ ଉପାସରେ କଟକରେ ପଡ଼ି ରହିଛେ। ମା ଝାଞ୍ଜିରୀ ମଙ୍ଗଳାଙ୍କ ଦୟାରୁ ସବୁଥିରେ ସଫଳ ହେଇଛେ ଆଉ ନିଜ ଗୋଡ଼ରେ ନିଜେ ଠିଆ ହେଇଛେ । କଟକରେ ରହିବା 30 ବର୍ଷ ଭିତରେ ଏମିତି ଗୋଟେ ଦିନ ନାହିଁ ଯୋଉ ଦିନ ଦୁହେଁ ଦୁହିଁଙ୍କୁ ଛାଡ଼ିକି ରହିଛେ । ସବୁଦିନ ସକାଳୁ ତମ ଫୋନ୍ କଲ୍ ମୋ ପାଖକୁ ଆସୁଥଲା ନହେଲେ ମୋ ଫୋନ୍ କଲ୍ ତମ ପାଖକୁ ଯାଉଥିଲା ।
ଆମେ ଆମ ପରିବାରକୁ ଯେତିକି ସମୟ ନ ଦେଇଛେ, ପରସ୍ପରକୁ ସେତିକି ସମୟ ଦେଇଛେ଼। ହେଲେ ଆଜି ହଠାତ୍ ତମେ ଏତେ ସ୍ୱାର୍ଥପର କେମିତି ହେଇଗଲ ? ମତେ ଏକା କରି ଚାଲିଗଲ ? ନିର୍ମଳ ନାୟକରୁ ମୁଁ ତମ ପାଇଁ ଇଣ୍ଡଷ୍ଟ୍ରିରେ ମାମୁଁ ବୋଲି ସମ୍ବୋଧନ ପାଇଲି ହେଲେ ଆଜି ଆଜି କଣ ଏଇଦିନ ଦେଖିବାକୁ ?
ଏଇ ୩୫ ବର୍ଷରେ ତମ ମୋ ଭିତରେ କେତେ ମିଠା ସ୍ମୃତି , କେତେ ମିଛି କିଛି ରାଗ ଅଭିମାନ । ତା ସହିତ ଭଲରେ ମନ୍ଦରେ ଦୁଇ ଜଣ ଦୁଇଜଣଙ୍କୁ ଆକଟିଛେ। ସବୁ ଏ ଜନ୍ମରେ ସରିଗଲା । ଭାବିଲେ ଭାରି କଷ୍ଟ ଲାଗୁଛି। ହେଲେ ଆଜି ମା ଝାଞ୍ଜିରି ମଙ୍ଗଳାଙ୍କୁ ପାର୍ଥନା କରୁଛି ତମେ ଯୋଉଠି ଅଛ ଭଲରେ ଥାଅ। ଈଶ୍ୱର ତମ ଆତ୍ମକୁ ଶାନ୍ତି ଦିଅନ୍ତୁ । ହେଲେ ମୁଁ ଯେତେଦିନ ଯାଏ ବଞ୍ଚିଥିବି, ମୋ ପ୍ରତି ନିଃଶ୍ୱାସରେ ତମକୁ ପାଉଥିବି। ଅଭିଜିତ ମଜୁମଦାର୍ ଅମର ରହେ ..