)
Bou Buttu Bhuta: ଚଳିତ ବର୍ଷ ବେଶ୍ ଚର୍ଚ୍ଚାରେ ରହିଛି ଓଡ଼ିଆ ହରର୍ ଫିଲ୍ମ 'ବୋଉ ବୁଟୁ ଭୂତ'। ବକ୍ସ ଅଫିସରେ ଖୁବ ଟଙ୍କ ରୋଜଗାର କରିଛି ଏହି ଫିଲ୍ମ। ମାତ୍ର ୨୯ ଦିନ ମଧ୍ୟରେ ଏହି ସିନେମା ଭଲ ବ୍ୟବସାୟ କରି ରେକର୍ଡ ୧୫.୩୪ କୋଟି ଟଙ୍କା ବ୍ୟବସାୟ କରିଛି। ଗତ ରଜ ଅବସରରେ ଓଲିଉଡ ସୁପରଷ୍ଟାର ବାବୁସାନ, ଅଭିନେତ୍ରୀ ଅର୍ଚ୍ଚିତା, ଅପରାଜିତା ଓ ଜଗନ୍ନାଥ ସେଠ୍ ଙ୍କ ଅଭିନୀତ ଏହି ଓଲିଉଡ ହରର୍ ଫିଲ୍ମ ମୁକ୍ତିଲାଭ କରିଥିଲା। ପ୍ରଥମ ଦିନରୁ ହିଁ ରେକର୍ଡ ପରେ ରେକର୍ଡ ଭାଙ୍ଗିଚାଲିଥିଲା ଫିଲ୍ମଟି। ହେଲେ ଏବେ ଏହି ଫିଲ୍ମର ସୁଟିଂ ସେଟ୍ କୁ ନେଇ ଅଭିଯୋଗଟିଏ ସାମ୍ନାକୁ ଆସିଛି।
ଏଠାରେ କହିରଖୁଛୁ ଯେ, ଚଳଚ୍ଚିତ୍ରର ପ୍ରମୁଖ ସୁଟିଂ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସୀମାନ୍ତ ଠାକୁରମୁଣ୍ଡା ବ୍ଲକ୍ ଧାତିକିଚିହା ପଞ୍ଚାୟତ ଲୁଣିଖିଆ ଗାଁର ସନାତନ ପିଙ୍ଗୁଆଙ୍କ ପୁଅ କୃଷ୍ଣଚନ୍ଦ୍ର ପିଙ୍ଗୁଆଙ୍କ ଘରେ ହୋଇଥିଲା । ତେବେ ସୁଟିଂ ସମୟରେ ଏହି ଘରର ଅନେକାଂଶ ଓ ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ଫିଲ୍ମ ସୁଟିଂ ସମୟରେ ଘରର ଟାଇଲ ଭାଙ୍ଗିବା ସହ ହାଣ୍ଡି ଓ ଅନ୍ୟାନ୍ୟ ଆସବାବ ପତ୍ର ନଷ୍ଟ ହୋଇଥିବା ଘରର ମାଲିକ କୃଷ୍ଣଚନ୍ଦ୍ର ଅଭିଯୋଗ କରିଛନ୍ତି । କଳାକାର ମାନେ ଗଲାବେଳେ ଘର ମରାମତି ଓ ରଙ୍ଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ପ୍ରଯୋଜନା ସଂସ୍ଥା ଭୁଲିଯାଇଥିବା କହିଛନ୍ତି କୃଷ୍ଣଚନ୍ଦ୍ର।
ତେବେ ଆନନ୍ଦପୁରରେ ଦୀର୍ଘ ୨ମାସ ଧରି ସୁଟିଂ ଚାଲିଥିଲା। ଚଳଚ୍ଚିତ୍ରର ପ୍ରମୁଖ ସୁଟିଂ ଲୁଣିଖିଆ ଗାଁରେ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ୨୦ ରୁ ଅଧିକ ଦିନ ସୁଟିଂ କୃଷ୍ଣଚନ୍ଦ୍ରଙ୍କ ଘରେ ଚାଲିଥିଲା। କୃଷ୍ଣଚନ୍ଦ୍ର କହିଛନ୍ତି, ପୂର୍ବରୁ ସ୍ଥାନ ଦେଖି ମୋ ଘରେ ଏହି ଫିଲ୍ମର ସୁଟିଂ କରାଯିବ ବୋଲି କୁହାଯାଇଥିଲା। ମୋ ସ୍ତ୍ରୀ ଓ ମୋତେ ଗୋଟିଏ ମାତ୍ର ବଖରା ଦେଇ ଅନ୍ୟସବୁ ଘରେ ସିନେମା ସୁଟିଂ ପାଇଁ ବ୍ୟବହାର କରାଯାଉଥିଲା। ଅଧିକାଂଶ ସମୟ ସୁଟିଂ ରାତିରେ ହେଉଥିଲା । ଏହାସହ ଭେଟେରାନ ଅଭିନେତ୍ରୀ ଅପରାଜିତା, ସୁପରଷ୍ଟାର ବାବୁସାନ ଓ ଅଭିନେତ୍ରୀ ଅର୍ଚ୍ଚିତା ଭଲ ବ୍ୟବହାର କରୁଥିଲେ।
ସେହିପରି କୃଷ୍ଣଚନ୍ଦ୍ରଙ୍କ କହିବାକଥା, ଚଳଚ୍ଚିତ୍ରର ସଫଳତା ପାଇଁ ସେ ଗ୍ରାମଦେବତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କରାଇଥିଲେ। ଏବେ ଚଳଚ୍ଚିତ୍ର ସୁପରହିଟ୍ ହୋଇଥିବା ବେଳେ ପ୍ରତିଦିନ ଏହି ସ୍ଥାନ ଦେଖିବାକୁ ତଥା ରିଲ୍ସ କରିବାକୁ ୟୁଟ୍ୟୁବର ଓ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମୁଛି। ଫିଲ୍ମ ଏତେ ଟଙ୍କା ରୋଜଗାର କରିଥିଲେ ମଧ୍ୟ ପ୍ରଯୋଜନା ସଂସ୍ଥା ତାଙ୍କର ପ୍ରତିଶ୍ରୁତି ରକ୍ଷା କରିନଥିବା କୃଷ୍ଣଚନ୍ଦ୍ର ଦୁଃଖର ସହ ଜଣାଇଛନ୍ତି। ପ୍ରଯୋଜନା ସଂସ୍ଥାର ବାବୁ ଆଉ ତାଙ୍କ ଫୋନ୍ ଉଠାଉନଥିବା ସେ କ୍ଷୋଭର ସହ କହିଛନ୍ତି । ତେବେ ଏନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।