Trending Photos
)
Ollywood News: ଓଲିଉଡ଼ ସିନେ ଇଣ୍ଡଷ୍ଟ୍ରି ଏବେ ଓଡ଼ିଶା ମାଟିର ମୌଳିକ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ପରିଚୟ ବହନ କରୁଥିବା ଶିମିଳିପାଳ ଜଙ୍ଗଲର ସୁରକ୍ଷାକୁ ନେଇ ନିର୍ମିତ ହୋଇଥିବା "ଶିମଲୀ" ନାମକ ଏକ ଚଳଚ୍ଚିତ୍ର ଆସନ୍ତା ୧୪ ମାର୍ଚ୍ଚରେ ମୁକ୍ତିଲାଭ କରିବାକୁ ଯାଉଛି । ବାଘର ସୁରକ୍ଷାଠୁ ନେଇ ଜଙ୍ଗଲଯାତ ଦ୍ରବ୍ୟର କିପରି ସୁରକ୍ଷା କରିହେବ ତାହାରି ଉପରେ ଆଧାରିତ କାହାଣୀ "ଶିମଲୀ" ।
ତେବେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପୂର୍ବରୁ ଭୁବନେଶ୍ୱର ସ୍ଥିତ ପି.ଭି.ଆର ସିନେମା ହଲ୍ ରେ ଶିମଲୀର ସ୍ପେସିଆଲ ସ୍କ୍ରିନିଂ ହୋଇଛି । ଏହି ସ୍ପେସିଆଲ ସ୍କ୍ରିନିଂରେ ବନ ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ସୁରକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂହ ଖୁଣ୍ଟିଆ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଓ ବିଧାୟକ ହିମାଶୁଂ ଶେଖର ସାହୁଙ୍କ ସମେତ ଅଭିନେତା ଏବଂ ଗଣମାଧ୍ୟମ ବନ୍ଧୁମାନେ ଶିମଲୀ ଟିମ୍ ସହିତ ଏକାଠି ଦେଖିଥିଲେ । କାହାଣୀ, ନିର୍ଦ୍ଦେଶନା, ଗୀତ, ସଙ୍ଗୀତ ସବୁକିଛି ବହୁତ ଭଲ ହୋଇଥିବା କଥା କହିଥିଲେ ଏବଂ ସମସ୍ତେ ବହୁତ ପ୍ରଶଂସା କରିଥିଲେ । ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ସୂର୍ଯ୍ୟମୟୀ ମହାପାତ୍ର, ମନୋଜ ରାଉତ, ଅନୁପ ସାହା, ଚୌଧୁରୀ ବିକାଶ ଦାସ, ଲିପିକା ସେନାପତି ଏବଂ ଐଶ୍ଵରୀୟା ବେହେରା ନଜର ଆସିବେ ।
ୟୁ ସେନସର୍ ସାର୍ଟିଫିକେଟ୍ ପାଇଥିବା ଏହି ଓଡ଼ିଆ ଭିନ୍ନ ଧରଣର ଓଡ଼ିଆ ଚଳଚ୍ଚିତ୍ର ଶିମଲୀର ପ୍ରଯୋଜନା ଦାୟିତ୍ୱ ଶ୍ରୀମତୀ ସ୍ମିତା ରାଉତ ନେଇଛନ୍ତି ଏବଂ ପରେଶ ଚନ୍ଦ୍ର ମହାନ୍ତ ଏହାର ସହ-ପ୍ରଯୋଜନା କରିଛନ୍ତି । ଓଲିଉଡ଼ର ସୁପରିଚିତ ଏଡିଟର୍ ସୁକୁମାର ମଣି ‘ଶିମଲୀ’ ଜରିଆରେ ନିର୍ଦ୍ଦେଶକ ଭାବେ ଓଲିଉଡ଼ରେ ପାଦ ରଖିଛନ୍ତି। ଓଲିଉଡ ଏଇ କିଛି ବର୍ଷ ହେବ ଚିରାଚରିତ ଫ୍ୟାମିଲି ଡ୍ରାମାରୁ ବାହାରି ଅନେକ ମୌଳିକ କାହାଣୀ ଆଧାରିତ ଚଳଚ୍ଚିତ୍ର ନିର୍ମାଣ କରିଆସୁଛି । ସେହି ଭଳି ଏକ ଭିନ୍ନ କଥାବସ୍ତୁକୁ ନେଇ ଶିମିଳିପାଳ ଜଙ୍ଗଲର ନିତିଦିନିଆ ଘଟଣା ଉପରେ "ଶିମଲୀ" କଥାବସ୍ତୁ ଆଧାରିତ। ହାତୀଦାନ୍ତ ଓ ବାଘଛାଲ ଚୋରାଚାଲାଣ, ବନରକ୍ଷୀଙ୍କୁ ଆକ୍ରମଣ ଭଳି ଅପରାଧର କାହାଣୀ ରହିଛି ‘ଶିମଲୀ’ ଚଳଚ୍ଚିତ୍ର ରେ। ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ୱ ଦେଇ ନିର୍ମାଣ ହୋଇଛି ଶିମଲୀ ।
ସ୍ମିତା ରାଉତଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ସଂଳାପ ଲେଖିଛନ୍ତି ଭାବବିନୋଦ ମହାପାତ୍ର । ସ୍ବର୍ଗତ ବାଚୁ ମୁଖାର୍ଜୀଙ୍କ ସମେତ ବିଷ୍ଣୁ ମୋହନ କବି ଏବଂ ଏସ.ବି. ସ୍ମୃତି ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅରୁଣ ମନ୍ତ୍ରୀ, ଡକ୍ଟର ନିର୍ମଳ ନାୟକ ଓ ଭାବବିନୋଦ ମହାପାତ୍ର ଗୀତ ରଚନା କରିଛନ୍ତି । ଏଥିରେ ଚାରିଟି ଗୀତ ରହିଛି। ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁବାଷ ଦାସ ଏବଂ ଦେବାଂଶୀ ଦାଶ କଣ୍ଠଦାନ କରିଛନ୍ତି । ଧ୍ରୁବାନନ୍ଦ ପଣ୍ଡା ଶିମଲୀର ସିନେମାଟୋଗ୍ରାଫର୍ ଅଛନ୍ତି । ମାର୍ଚ୍ଚ ୧୪ ରେ ମୁକ୍ତିଲାଭ କରିବାକୁ ଯାଉଥିବା ଶିମଲୀ ଉପରେ ଦର୍ଶକଙ୍କର ଅନେକ ଆଶା ଓ ଉନ୍ମାଦନା ରହିଛି । ଶିମଲୀ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚି ଚହଳ ପକାଇବ ଏବଂ ସାରା ବିଶ୍ୱ ଶିମିଳିପାଳର କାହାଣୀ ଜାଣିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଦିଆଯାଇଛି । ଶିମଲୀ ଚଳଚ୍ଚିତ୍ରକୁ ସରକାରୀ ସ୍ତରରେ କର ଛାଡ଼ କରିବା ପାଇଁ ମାନ୍ୟବର ଜଙ୍ଗଲ ସୁରକ୍ଷା ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ବୋଲି ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ଜଣାଇଛନ୍ତି ।