)
Ollywood News: ଓଡ଼ିଆ ସିନେମା ପ୍ରଶଂସକଙ୍କ ପାଇଁ ବର୍ଷ ୨୦୨୫ରେ ଏପର୍ଯ୍ୟନ୍ତ ମୋଟ ୩୯ଟି ଓଡ଼ିଆ ସିନେମା ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିବା ସମୟରେ ବର୍ଷର ଶେଷ ଦିନରେ ରିଲିଜ୍ ହେବାକୁ ଯାଉଛି ୪୦ତମ ଓଡ଼ିଆ ସିନେମା 'ଲଢେଇ' ରୁପେଲି ପରଦାକୁ ଆସିବାକୁ ଯାଉଛି ।
୨୦୨୫ ବର୍ଷ ଆରମ୍ଭରୁ ପ୍ରଥମେ ଜାନୁଆରୀ ୩ରେ ପରଦାକୁ ଆସିଥିଲା ସିନେମା 'ୱାଇଫ୍' ଯେଉଁଥିରେ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ବେଶ୍ ଛୁଇଁଥିଲା । ଏହା ପଛକୁ ଜାନୁଆରୀ ୧୦ରେ 'ବଇଦ', ଜାନୁଆରୀ ୧୨ରେ ରଙ୍ଗାଶୁର, ଜାନୁଆରୀ ୧୭ରେ 'ଅଦୃଶ୍ୟ', ଜାନୁଆରୀ ୨୪ରେ 'ଭାଈ', ଜାନୁଆରୀ ୩୧ରେ ଆଞ୍ଜେଲ୍, ଜାନୁଆରୀ ୩୧ରେ 'କବାଡି', ଫେବୃଆରୀ ୭ରେ 'ସନାତନୀ', ଫେବୃଆରୀ ୭ରେ ମିଶିରି, ଫେବୃଆରୀ ୨୧ରେ 'ଭାଲେଣ୍ଟାଇନ୍', ମାର୍ଚ୍ଚ ୧୩ରେ 'ଘମାଘୋଟ', ମାର୍ଚ୍ଚ ୧୪ରେ 'ଶିମିଳି', ୧୧ ଏପ୍ରିଲରେ 'ଡଷ୍ଟବିନ୍', ୧୧ ଏପ୍ରିଲରେ 'ପାଦେ ଆକାଶ', ୧୧ ଏପ୍ରିଲରେ 'ଆଜିର ରେବତୀ, ୨୫ ଏପ୍ରିଲରେ 'ରାକେଟ୍', ୨୫ ଏପ୍ରିଲରେ '୧୯୯୯', ୧୬ ମଇରେ 'ତୁମେ ନଥିଲେ', ୩୦ ମଇରେ 'ଭାବାନ୍ତର', ୬ ଜୁନରେ 'ଫାଷ୍ଟ ଲଭ୍', ୧୨ ଜୁନରେ 'ବୋଉ ବୁଟୁ ଭୂତ', ୧୨ ଜୁନରେ 'ଅନନ୍ତା', ୪ ଜୁଲାଇରେ 'ନବକଳେବର', ୧୧ ଜୁଲାଇରେ 'ଆଇ ଆମ କାଳିଆ', ୧୮ ଜୁଲାଇରେ ଇନ୍ଦ୍ରଧନୁ, ୧ ଅଗଷ୍ଟରେ 'ଛିରେ ନନୀ', ୨୭ ଅଗଷ୍ଟରେ 'ଡେଲିଭରୀ ବୟ ଟୁ' ଏବଂ ୧୨ ଡିସେମ୍ୱରରେ 'ଲହରୀ' ରିଲିଜ୍ ହୋଇଥିଲା ।
ଏସବୁ ମଧ୍ୟରେ କିଛି ସିନେମା ସୁପରହିଟ୍ ହୋଇଥିବା ସମୟରେ ଆଉ କିଛି ସିନେମାକୁ ଆଶା ମୁତାବକ ଲୋକପ୍ରିୟତା ମିଳିପାରିନାହିଁ । ତେବେ ପୂର୍ବ ଅପେକ୍ଷା ସିନେମା ତିଆରି ସଂଖ୍ୟା ବଢୁଥିବାରୁ ଓଡ଼ିଆ ସିନେଜଗତ ପାଇଁ ଏହା ଶୁଭଙ୍କର ବୋଲି ସିନେସମୀକ୍ଷକ ମତ ଦେଇଛନ୍ତି । ତେବେ ଚର୍ଚ୍ଚାକୁ ଆସିଥିବା ସିନେମା ଭିତରେ ରହିଥିବା 'ୱାଇଫ୍' ଯାହାକୁ ଦର୍ଶକେ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀଙ୍କ ଜୀବନୀ ସହ ଯୋଡିଥିଲେ । ସେହିପରି ମିଶିରି ସିନେମା ମାଧ୍ୟମରେ ଅଭିନେତ୍ରୀ ରୂପଶ୍ରୀ ପଣ୍ଡାଙ୍କ ଚରିତ୍ରକୁ ବେଶ୍ ପ୍ରଶଂସା ମିଳିଥିଲା । କେବଳ ସେତିକି ନୁହେଁ, 'ଘମାଘୋଟ' ସିନେମା ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ବାବୁସାନଙ୍କ ଅଭିନିତ ସିନେମା 'ବୋଉ ବୁଟୁ ଭୂତ'ବେଶ୍ ସଫଳତା ପାଇଥିଲା । 'ଅନନ୍ତା' ସିନେମା ମାଧ୍ୟମରେ ଅଭିନେତା ସବ୍ୟସାଚୀ ମିଶ୍ର ବେଶ୍ ଚର୍ଚ୍ଚାକୁ ଆସିଥିଲେ । ଏହି ସିନେମା ପାଇଁ ସବ୍ୟ ନିଜ ପେଟ ବଢାଇଥିଲେ ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଉପନ୍ୟାସ ସହ ଜଡିତ ସିନେମା 'ଅନନ୍ତା' ବେଶ୍ ସଫଳତା ପାଇଥିଲା । ସେହିପରି 'ନବକଳେବର' ସିନେମାରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଜ୍ୟୋତି ରଞ୍ଜନ, ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା ମିଳିଥିଲା । ସିନେମାରେ 'ଜଗତରେ ପାଇବୁନି ଏମିତି ଠାକୁରଟିଏ'ଗୀତଟିକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ । ରାଷ୍ଟ୍ରପତି ଭବନରେ ମଧ୍ୟ ସିନେମା 'ନବକଳେବର' ପ୍ରଦର୍ଶିତ ହୋଇଥିଲା ଏବଂ କଳାକାର ଏବଂ ପ୍ରଯୋଜକଙ୍କ ସହ ମହାମହିମ ଦ୍ରୌପଦୀ ମୁର୍ମୁ ଏହି ସିନେମାଟି ଦେଖିଥିଲେ । ରାଷ୍ଟ୍ରପତି ସିନେମାଟିର ଅନେକ ପ୍ରଶଂସା କରିଥିଲେ । ଦିଲ୍ଲୀରେ ଏକ ପ୍ରେସମିଟ୍ କରି ନବକଳେବର ଟିମ୍ ଏହି ସୂଚନା ଦେଇଥିଲେ । ଅଶ୍ୱିନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ସିନେମା 'ଡେଲିଭରୀ ବୟ ଟୁ' ମଧ୍ୟ ଲୋକପ୍ରିୟତା ହାସଲ କରିଥିଲା । ତେବେ ଏସବୁ ମଧ୍ୟରେ କିଛି ସିନେମା ରାଜ୍ୟ ବାହାରେ ମଧ୍ୟ ରିଲିଜ୍ ହୋଇଥିଲା । ବାଙ୍ଗଲୋର, ଦିଲ୍ଲୀ ଏବଂ ହାଇଦ୍ରାବାଦ ପରି ସହରରେ ମଧ୍ୟ ପ୍ରବାସୀ ଓଡ଼ିଆମାନେ ନିଜ ଭାଷାର ସିନେମା ଦେଖିବାର ସୌଭାଗ୍ୟ ପାଇଥିଲେ । ବକ୍ସ ଅଫିସରେ ହାତ ଗଣତି କିଛି ସିନେମା ଖୁବ ଭଲ ପ୍ରଦର୍ଶନ କରିଥିଲା ।
ଆଉ କିଛି ଓଡ଼ିଆ ସିନେମା ରିଲିଜ୍ ହୋଇନପାରି ଫ୍ଲୋରରେ ରହିଛି ଯାହା ୨୦୨୬ ନୂଆ ବର୍ଷରେ ପରଦାକୁ ଆସିବ । ଏବର୍ଷ ତୁଳନାରେ ଆସନ୍ତାବର୍ଷ ସିନେପ୍ରେମୀଙ୍କ ପାଇଁ ଅଧିକ ସିନେମା ତିଆରି କରିବାକୁ ଲକ୍ଷ ରଖିଛନ୍ତି ପ୍ରଯୋଜକ ଏବଂ ନିର୍ଦ୍ଦେଶକ ।