Odia Entertainment: ଓଲିଉଡର ବେଶ ଜଣାଶୁଣା ଚଳଚ୍ଚିତ୍ର ତଥା ଥିଏଟରର ହାସ୍ୟ ଅଭିନେତା ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ ଓରଫ ହାଡ଼ୁ ଗୁରୁତର ହୋଇଛନ୍ତି। ସୂଚନାନୁସାରେ, ତତଲା ତେଲ କଡ଼େଇରେ ପଡ଼ି ଗୁରୁତର ହୋଇଛନ୍ତି ହାଡୁ । ଶନିବାର ରାତି ପ୍ରାୟ ୮ଟାରେ ଏହି ଅଘଟଣ ଘଟିଥିଲା । ରାଜଧାନୀ ୟୁନିଟ-୧ରେ ଥିବା ତାଙ୍କ କ୍ୱାର୍ଟର୍ସରେ ରୋଷେଇ ବେଳେ ହାଡ଼ୁ ବାରଣ୍ଡା ଦେଇ ଯାତାୟତ କରୁଥିଲେ ସେହି ସମୟରେ ଚଟାଣରେ ଗୋଡ଼ ଖସିଯିବାରୁ ସେ ସିଧା ତେଲ କଡ଼େଇରେ ପଡ଼ିଥିଲେ ।
ତାଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଗୁରୁତର ଅବସ୍ଥାରେ ହାଡ଼ୁଙ୍କୁ ସମ୍ ହସ୍ପିଟାଲର ବର୍ଣ୍ଣ ୱାର୍ଡ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।
ହାଡୁଙ୍କ ପୁତୁରାଙ୍କ ସୂଚନା ଅନୁସାରେ, ତାଙ୍କ ଶରୀରର ୨୮% ପୋଡ଼ିଯାଇଛି ବୋଲି ଡାକ୍ତର ରିପୋର୍ଟ ଦେଇଛନ୍ତି । ଆଖି ପତା ଓ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । କ୍ଷତ ସ୍ଥାନ ଷ୍ଟିଚ୍ କରାଯାଇଛି ।
ସୂଚନାନୁସାରେ, ତେଲ କଡ଼େଇରେ ପଡ଼ିବା ସମୟରେ କଚାଡି ହୋଇ ଗ୍ୟାସ୍ ବର୍ଣ୍ଣରରେ ତାଙ୍କ ମୁହଁ ବାଡେଇ ହୋଇଯାଇଥିଲା । ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।
କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଡାକ୍ତର ତାଙ୍କୁ କଟକ ଯିବାକୁ ପରାମର୍ଶ ଦେଇଥିଲେ । ହେଲେ ବାଟ ଦୂର ହେବାରୁ ତାଙ୍କୁ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ପ୍ରଂଶସକଙ୍କୁ ଜଣାଇ ରଖୁଛୁ ଯେ, ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପାଖରେ ତାଙ୍କ ପରିବାର ବର୍ଗଙ୍କ ହସ୍ପିଟାଲ କର୍ତ୍ତୃପକ୍ଷ ରହିଛନ୍ତି। ଅନ୍ୟପଟେ ଖବର ପାଇ ତାଙ୍କ ଶୁଭେଚ୍ଛୁ ଓ ସାଥୀ କଳାକାର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ट्रेन्डिंग फोटोज़