)
Dharmendra Passes Away: ବଲିଉଡର ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ରାଷ୍ଟ୍ରପତି ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ, ଧର୍ମେନ୍ଦ୍ରଙ୍କ ଦେହାନ୍ତ ଭାରତୀୟ ସିନେମା ପାଇଁ ଅପୂରଣୀୟ କ୍ଷତି । ଦଶନ୍ଧି ଦଶନ୍ଧିର ଲମ୍ବା କ୍ୟାରିୟରର ଅଭିନୟ ସ୍ମରଣୀୟ ହୋଇ ରହିବ । ସେ ଯେଉଁ ଉତ୍ତରାଧିକାରୀ ଛାଡ଼ି ଯାଇଛନ୍ତି ପର ପିଢ଼ି ପାଇଁ ପ୍ରେରଣା ଦେବ ବୋଲି ରାଷ୍ଟ୍ରପତି ବ୍ୟକ୍ତ କରିଛନ୍ତି ।
ସେହିପରି ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରି କହିଛନ୍ତି ଯେ, ଭାରତୀୟ ସିନେମାର ଏକ ଯୁଗର ଅନ୍ତଃ ଘଟିଛି । ଧର୍ମେନ୍ଦ୍ର ଅସାଧାରଣ ଅଭିନେତା ଥିଲେ ଏବଂ ତାଙ୍କର ପ୍ରତ୍ୟେକ ଚରିତ୍ର ଆକର୍ଷଣ ଭରି ଦେଇଥିଲା । ଧର୍ମେନ୍ଦ୍ରଙ୍କ ବିବିଧ ଚରିତ୍ରଗୁଡ଼ିକ ଅପାର ଲୋକଙ୍କ ହୃଦୟ ସ୍ପର୍ଶ କରିଥିଲା । ନିଜର ସରଳତା, ନମ୍ରତା ପାଇଁ ମଧ୍ୟ ସମାନ ଭାବରେ ପ୍ରଶଂସିତ ଥିଲେ ।
ଧର୍ମେନ୍ଦ୍ରଙ୍କ ପରଲୋକ ପରେ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ମର୍ମାହତ । ଦଶନ୍ଧି ଧରି ଅଭିନୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ଉତ୍ତରାଧିକାରୀ ଆଗାମୀ ପିଢ଼ିର କଳାକାର ଓ ସିନେପ୍ରେମୀଙ୍କୁ ପ୍ରେରଣା ଯୋଗାଇବ । ପରିବାର, ବନ୍ଧୁ ଓ ଅସଂଖ୍ୟ ଶୁଭେଚ୍ଛୁଙ୍କୁ ମୋର ଆନ୍ତରିକ ସମବେଦନା ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ବ୍ୟକ୍ତ କରି କହିଛନ୍ତି ଯେ, ଧର୍ମେନ୍ଦ୍ରଙ୍କ ବିୟୋଗ ସହ ଭାରତୀୟ ସିନେମାରେ ଏକ ଯୁଗର ଅବସାନ ଘଟିଲା । ହିନ୍ଦୀ ଫିଲ୍ମ ଦୁନିଆର ସବୁଠାରୁ ଲୋକପ୍ରିୟ କଳାକାର ଥିଲେ ଧର୍ମେନ୍ଦ୍ର । ନିଜ ଚମତ୍କାର ଅଭିନୟ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ମର୍ମାହତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ବୈଦୟନ୍ତ ।
ଅନ୍ୟପଟେ, ଧର୍ମେନ୍ଦ୍ରଙ୍କ ଶେଷ ଦର୍ଶନ ପାଇଁ ଶ୍ମଶାନ ଘାଟରେ ସେଲିବ୍ରିଟିଙ୍କ ଭିଡ଼ ବଢିବାରେ ଲାଗିଛି । ମୁମ୍ବାଇ ଭିଲେ ପାର୍ଲେ ସ୍ଥିତ ଶ୍ମଶାନ ଘାଟରେ ପହଞ୍ଚିଛନ୍ତି ଅନେକ ସେଲିବ୍ରିଟି । ଅଭିନେତା ଅମିତାଭ ବଚନ ଓ ପୁଅ ଅଭିଷେକ ବଚନ ପହଞ୍ଚିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ୮୯ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସ ଆଖି ବୁଜିଛନ୍ତି ସୁପରଷ୍ଟାର ଧର୍ମେନ୍ଦ୍ର । ୬ ଦଶନ୍ଧିର ଫିଲ୍ମ କ୍ୟାରିଅରରେ ୩ ଶହରୁ ଊର୍ଦ୍ଧ୍ବ ସିନେମାରେ ଅଭିନୟ କରିଛନ୍ତି । ହିନ୍ଦୀ ସିନେମାର ହି-ମ୍ୟାନ୍ ଭାବେ ସେ ବେଶ୍ ପରିଚିତ । ସୋଲେ, ଚୁପ୍କେ ଚୁପ୍କେ, ସତ୍ୟକାମ, ଗୁଲାମୀ, ହକିକତ, ହୁକୁମତ, ଆଗ୍ ହି ଆଗ୍, ଜନି ଗଦ୍ଦାର ଆଦି ଲୋକପ୍ରିୟ ଫିଲ୍ମରେ ଧର୍ମେନ୍ଦ୍ରଙ୍କ ଦମଦାର ଅଭିନୟ ଦର୍ଶକଙ୍କ ହୃଦୟ ଜିଣିଛି । ବେତାବ୍ ଓ ଘାୟଲ ଭଲି ଲୋକପ୍ରିୟ ଫିଲ୍ମର ପ୍ରଯୋଜକ ଥିଲେ ଧର୍ମେନ୍ଦ୍ର ।