)
Ollywood News: ଓଲିଉଡ ଗାୟକ ହ୍ୟୁମାନ ସାଗରଙ୍କ ଦେହାନ୍ତ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ପତ୍ନୀ ଶ୍ରୀୟା ମିଶ୍ର । ଆଜି ହ୍ୟୁମାନ ସାଗରଙ୍କ କବର ସ୍ଥାନରେ ପହଞ୍ଚିବା ପରେ ବେଶ୍ କିଛି ସମୟ ଭାବବିହ୍ୟୁଳ ହୋଇପଡିଥିଲେ ପତ୍ନୀ ଶ୍ରୀୟା । ନିଜର କୋହକୁ ଅଟକାଇନପାରି ଆଖିରୁ ଧାର ଧାର ଲୁହ ଗଡାଇ କଇଁ କଇଁ ହୋଇ କାନ୍ଦି ପକାଇଥିଲେ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ।
ଆଜି ହ୍ୟୁମାନଙ୍କ କବର ସ୍ଥାନରେ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ ହୋଇଥିଲା । ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସମେତ ଅନେକ କଳାକାର ଓ ପ୍ରଶଂସକ ହ୍ୟୁମାନଙ୍କ କବର ସ୍ଥାନରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ହ୍ୟୁମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ପତ୍ନୀ ଶ୍ରୀୟା ମଧ୍ୟ କବର ସ୍ଥାନରେ ପହଞ୍ଚିଥିଲେ । ପ୍ରଥମେ କବର ସ୍ଥାନରେ ଆଣ୍ଠୁ ମାଡି ବସିବା ସହ ସାଥୀରେ ନେଇଥିବା ଗେଣ୍ଡୁ ଫୁଲ ହାର, ଗୋଲାପ ଏବଂ ରଜନୀଗନ୍ଧା ଫୁଲ ଅର୍ପଣ କରିଥିଲେ । ନିଜକୁ ସମ୍ଭାଳି ନପାରି କାନ୍ଦି କାନ୍ଦି ହ୍ୟୁମାନଙ୍କ କବର ଉପରେ ମଥା ରଖିଥିଲେ ପତ୍ନୀ ଶ୍ରୀୟା । ସେହି ସମୟରେ ସାଥୀରେ ଥିବା ସମ୍ପର୍କୀୟ ଶ୍ରୀୟାଙ୍କ ମଥାରେ ହାତ ରଖି ଧର୍ଯ୍ୟ ଧରିବାକୁ ସାନ୍ତ୍ୱନା ଦେଇଥିଲେ ।
ଆପଣଙ୍କୁ କହିରଖୁଛୁ ଯେ, ହ୍ୟୁମାନ ସାଗର ଶ୍ରୀୟା ମିଶ୍ରଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ଏକ ଘରୋଇ ଟିଭି ଚ୍ୟାନେଲର ରିଆଲିଟି 'ସୋ'ରୁ । ଉଭୟେ ଭିନ୍ନ ଧର୍ମର ହୋଇଥିଲେ ମଧ୍ୟ ପ୍ରେମ ପାଇଁ ଧର୍ମର ଦରଜା ଭାଙ୍ଗି ହ୍ୟୁମାନଙ୍କୁ ନିଜର କରିଥିଲେ ଶ୍ରୀୟା । ପରେ ହ୍ୟୁମାନ ସାଗର ଏବଂ ଶ୍ରୀୟା ମିଶ୍ରଙ୍କ ଔରଶରୁ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ବେଶ୍ କିଛି ଦିନ ଖୁସିରେ ରହିବା ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା । ହ୍ୟୁମାନ ଏବଂ ଶ୍ରେୟାଙ୍କ ମନୋମାଳିନ୍ୟ କେବଳ ଘରର ଚାରି କାନ୍ଥ ମଧ୍ୟରେ ଅଟକିନଥିଲା । ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ପ୍ରତିକ୍ରିୟା ଖୁବ ଭାଇରାଲ୍ ହେବାରେ ଲାଗିଥିଲା । ପରେ ଝିଅକୁ ସାଥୀରେ ନେଇ ସ୍ୱାମୀଙ୍କ ନିକଟରୁ ଅଲଗା ରହୁଥିଲେ ଶ୍ରୀୟା ମିଶ୍ର । ଗଣମାଧ୍ୟମରେ ଶ୍ରୀୟା ଅଭିଯୋଗ ଆଣିଥିଲେ ଯେ, ହ୍ୟୁମାନ ଅତ୍ୟଧିକ ମଦ୍ୟପାନ କରି ଗାଳିଗୁଲଜ କରୁଥିଲେ । ଏପରି କି ଶ୍ରୀୟାଙ୍କୁ ହ୍ୟୁମାନ ହାତ ଉଠାଇଥିବାର ଅଭିଯୋଗ ମଧ୍ୟ ଆଣିଥିଲେ । କିନ୍ତୁ ଗଣମାଧ୍ୟମରେ ହ୍ୟୁମାନ ଏହାକୁ ଖଣ୍ଡନ କରିଥିଲେ ଏବଂ ନିଜ ପରିବାର ସମ୍ପର୍କରେ ଗଣମାଧ୍ୟମରେ ଆଲୋଚନା କରିବାକୁ ପସନ୍ଦ କରୁନଥିଲେ । ହ୍ୟୁମାନ ପାରିବାରିକ କଥାକୁ ନେଇ ଖୁବ ଚିନ୍ତାରେ ରହୁଥିଲେ ବୋଲି ସହକଳାକାର କହିଛନ୍ତି । ହେଲେ ଆଜି ହ୍ୟୁମାନ ନାହାନ୍ତି । ସବୁ ମନୋମାଳିନ୍ୟ, ବାଦ ବିବାଦଠାରୁ ଖୁବ ଦୂରକୁ ଚାଲିଯାଇଛନ୍ତି ହ୍ୟୁମାନ । ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ସଦସ୍ୟ, ସହକଳାକାର ଏବଂ ଲକ୍ଷ ଲକ୍ଷ ପ୍ରଶଂସକ । ଚିରନିଦ୍ରାରେ ଶୋଇଯାଇଛନ୍ତି ହ୍ୟୁମାନ, ଆଉ ଯେତେ ଡାକିଲେ ବି ଶୁଣିବେନି । ଯେତେ କାନ୍ଦିଲେ ବି ତାଙ୍କୁ ଶୁଭିବନି ।