)
Odisha News: ମନୁଷ୍ୟ ଜୀବନ ବହୁତ ମୂଲ୍ୟବାନ । ଆପଣ ସୀମିତ ଶରୀର ସହ ଅନନ୍ତକୁ ଏବଂ ସୀମିତ ଜୀବନରେ ଅପରିବର୍ତ୍ତନୀୟତାକୁ ଅନୁଭବ କରିବାକୁ ଏଠାରେ ବିରାଜମାନ ଅଛନ୍ତି । ତଥାପି ବେଳେ ବେଳେ ଆପଣ ସମସ୍ୟାର ବଲୟରେ ଛନ୍ଦି ହୋଇଯା’ନ୍ତି । ଏଥିସହ ଏଭଳି ମଧ୍ୟ ଅନୁଭବ ହୁଏ ଯେ, ସମସ୍ୟାଟି ଖୁବ୍ ବିଶାଳ ଓ ଚିରସ୍ଥାୟୀ, ଏତଏବ ଏଥିରୁ ବାହାରିବା ଅସମ୍ଭବ । ତେବେ ଥରେ ନିଜ ଜୀବନର ଅତୀତକୁ ବୁଲି ଦେଖିଲେ ! ଆପଣ କେତେ ଝଡ଼ଝଞ୍ଜା ଅତିକ୍ରମ କରିଛନ୍ତି, ଏହାକୁ ନେଇ କେବେ ଦିନେ ଆପଣ ଭାବିଥିଲେ ଯେ, ଆପଣ ବଞ୍ଚି ପାରିବେ ନାହିଁ, ମାତ୍ର ଆଜି ଆପଣ ସମ୍ପୂର୍ଣ୍ଣ ଏବଂ ପରିପୂର୍ଣ୍ଣ । ବେଶ୍ ସ୍ୱାଭାବିକ ଭାବରେ ବଞ୍ଚି ରହିଛନ୍ତି ମଧ୍ୟ । ସବୁକିଛି ପରିବର୍ତ୍ତନଶୀଳ, ଏହି ଧାରଣା ହିଁ ଆପଣଙ୍କୁ ସବୁ ସମସ୍ୟାର ଊର୍ଦ୍ଧ୍ୱକୁ ନେଇ ବିଜୟ ଲାଭ କରାଇ ପାରିଛି । ନ୍ୟାୟସଙ୍ଗତ ନିଜ ଶରୀରକୁ ପର୍ଯ୍ୟବେକ୍ଷଣ କଲେ ଜଣାପଡ଼ିବ ଶରୀର ପରିବର୍ତ୍ତନଶୀଳ ଏବଂ ଅନୁଭବ, ଚିନ୍ତାଧାରା, ବିଚାରଧାରା ପସନ୍ଦ, ନାପସନ୍ଦ ସବୁକିଛି ପରିବର୍ତ୍ତନୀୟ । ଠିକ୍ ସେମିତି ସମସ୍ୟା ମଧ୍ୟ ପରିବର୍ତ୍ତନଶୀଳ, ଆଜି ଯାହା ଅଛି, ଆସନ୍ତାକାଲିକୁ ନାହିଁ । ତେଣୁ ଜାଣିନିଅନ୍ତୁ, ଜୀବନ ସାରା ଆପଣ କୌଣସି ଏକ ସମସ୍ୟାରେ ବାନ୍ଧିହୋଇ ରହିବେନି । “ଏହା ମଧ୍ୟ ବିତି ଯିବ” ଏହି ଧାରଣା ଆପଣଙ୍କୁ ସର୍ବଦା ମନରେ ପୋଷଣ କରିବାକୁ ହେବ । ସୃଷ୍ଟିର ପରିବର୍ତ୍ତନଶୀଳ ପ୍ରକୃତିକୁ ଚିହ୍ନିବା ହେଉଛି ଜ୍ଞାନ ଓ ପରିପକ୍ଵତାର ଲକ୍ଷଣ ।
ଯନ୍ତ୍ରଣାରୁ ବଞ୍ଚିବାକୁ ଲୋକେ ଆତ୍ମହତ୍ୟା କରିବାକୁ ଇଚ୍ଛା କରନ୍ତି । ସେମାନଙ୍କ ମନରେ ବୃଦ୍ଧିପାଏ ଆତ୍ମହତ୍ୟା ପ୍ରବଣତା । ସେମାନେ ଭାବି ପାରନ୍ତିନାହିଁ, ଏହା ତା’ଙ୍କୁ ଆହୁରି ବଡ଼ ବିପଦରେ ପକାଇବ । ଏଇ ଧରିନିଅନ୍ତୁ, ଜଣେ ପ୍ରବଳ ଶୀତରେ କମ୍ପୁଛି । ତେବେ ସେ ଯଦି ବାହାରକୁ ଯାଇ ନିଜ ଦେହରୁ ପିନ୍ଧିଥିବା ଶୀତବସ୍ତ୍ରଟି ଓହ୍ଲାଇଦିଏ, ଶୀତ କ’ଣ କମିଯିବ ? ନିଶ୍ଚିତ ଭାବରେ ନୁହେଁ । ଜୀବନକୁ ତ୍ୟାଗକରି ଚାଲିଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଆମକୁ ଜଣାଇ ଦିଅନ୍ତି,ଜୀବନ କ୍ଷଣସ୍ଥାୟୀ, ତେଣୁ କୌଣସି ଜିନିଷ ସହିତ ଦୀର୍ଘ କାଳ ଲାଗି ଜଡ଼ିତ ହେବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ଏହା ଏକ ସ୍ପଷ୍ଟ ବାର୍ତ୍ତା, ସମସ୍ତଙ୍କ ପାଇଁ ଏକ ଜାଗ୍ରତ ଆହ୍ୱାନ, ତେଣୁ ପ୍ରଶ୍ନ ହେଉଛି, ଏହି କ୍ଷଣସ୍ଥାୟୀ ପୃଥିବୀରୁ ଆମମାନଙ୍କୁ କ’ଣ ଦରକାର ? ଲୋକମାନେ ମତେ ପ୍ରାୟ ପଚାରନ୍ତି "ମୁଁ ଏଠି କାହିଁକି ଅଛି ? ଆମେ ଏଠାରେ ନାହୁଁ କାହିଁକି ଖୋଜ । ତୁମେ ଏଠି ଦୋଷ ଦେବା କାନ୍ଦିବା, ରାଗିବ ଏବଂ ଦୟନୀୟ ହେବା ପାଇଁ ଏଠାରେ ନାହଁ । ଏଠାରେ ପ୍ରତ୍ୟେକ ଜିନିଷର ଉଦ୍ଦେଶ୍ୟ ଅଛି ଏବଂ ପ୍ରତ୍ୟେକ ଜିନିଷ ଆପଣଙ୍କୁ ଶକ୍ତିଶାଳୀ କରୁଛି, ସିଏ ଶତ୍ରୁ ହୁଅନ୍ତୁ ଅବା ମିତ୍ର ।

ଯଦି ଆପଣ କେଉଁଠି ନକାରାତ୍ମକ ଓ ନିମ୍ନ ଅନୁଭବ କରନ୍ତି,ତେବେ ବାହାରକୁ ଯାଇ କାହାକୁ ପଚାରନ୍ତି କି "ତୁମ ପାଇଁ କ’ଣ କରି ପାରିବି?" ଆପଣ ଯେଉଁ ସେବା କରିବେ, ତାହା ଆପଣଙ୍କ ଭିତରେ ଏକ ବିପ୍ଳବ ସୃଷ୍ଟି କରିବ । ଯେ କୌଣସି ସେବା ସହ ଜଡିତ ହେବା ହେଉଛି ଜୀବନୀ ଶକ୍ତିକୁ ବୃଦ୍ଧି କରିବା ଏବଂ ମନରେ ଥିବା ନକାରାତ୍ମକ ଅନୁଭବକୁ ବଦଳାଇବାର ଏକ ଶକ୍ତିଶାଳୀ ମାର୍ଗ । ଯେଉଁ ସମାଜରେ ସେବା ତ୍ୟାଗ ଏବଂ ସାମୂହିକ ସହଯୋଗର ମୂଲ୍ୟ ରହିଛି, ସେଠାରେ ମାନସିକ ବିଷାଦ ଏବଂ ଆତ୍ମହତ୍ୟା ଖୁବ୍ତ ଅଳ୍ପ ଦେଖାଯାଏ ।
ଯେତେବେଳେ ଜୀବନୀ ଶକ୍ତି କି ପ୍ରାଣ ନିମ୍ନସ୍ତରକୁ ଯାଏ, ତେବେ ବିଷାଦ ଜାତ ହୁଏ ଏବଂ ଏହା ତତୋଧିକ ତଳକୁ ଗଲେ ଆତ୍ମହତ୍ୟା ପ୍ରବମତା ଜାତ ହୁଏ । ଯେତେବେଳେ ପ୍ରାଣ ଶକ୍ତି ଅଧିକ ରହେ, ଆପଣ ନିଜପ୍ରତି କିମ୍ବା ଅନ୍ୟ କାହାରି ପ୍ରତି ହିଂସ୍ର ହୋଇପାରିବେ ନାହିଁ । ବାସ୍ତବିକ ପ୍ରାଣ କ’ଣ ? ଏହା ଶ୍ୱାସଠାରୁ ସୂକ୍ଷ୍ମ । ଆପଣଙ୍କ ମନ ମହମବତୀର ଦୀପ୍ତି ଏବଂ ଶରୀର ହେଉଛି ଏହାର ସଳିତା । ଯେତେବେଳେ ନିଆଁ ଲିଭିଯିବ, କେବଳ ଦୀପ ରହିଥିବ, ମାତ୍ର ଆଲୋକ ନ ଥିବ । ଠିକ୍ ସେହିପରି ଜଣକର ମୃତ୍ୟୁ ହେଲେ ଶରୀର ଥାଏ କିନ୍ତୁ ଆତ୍ମା (ଦୀପ୍ତି), ଯାହା ପ୍ରତ୍ୟେକ କୋଷିକାକୁ ସଞ୍ଚାଳିତ କରେ, ଯେତେବେଳେ ଚାଲିଯାଏ, ତାହା ହିଁ ଜୀବନ ଶକ୍ତି କିମ୍ବା ପ୍ରାଣଶକ୍ତି । ଆମେ କ୍ଵଚିତ୍ ଜୀବନର ଏହି କ୍ଷେତ୍ରଫଳକୁ ଧ୍ୟାନ ଦେଇଥାଉ । ଶାରୀରିକ ବ୍ୟାୟାମ, ପ୍ରାଣାୟାମ, ଧ୍ୟାନ ଏବଂ ମନକୁ ସକାରାତ୍ମକ ଚିନ୍ତାଧାରାବିଶିଷ୍ଟ ବ୍ୟକ୍ତି ଏବଂ ସେମାନଙ୍କ ଜ୍ଞାନ ସହ ସଂଶ୍ଲିଷ୍ଟ କଲେ ପ୍ରାଣ ଶକ୍ତିର ସ୍ତର ବୃଦ୍ଧି ହୁଏ। ଯେତେବେଳେ ଆପଣଙ୍କର ଜୀବନ ଶକ୍ତି ଅଧିକ ହୁଏ, ନିଜର ଭାବନା ଏବଂ ଅନୁଭବ ଉପରେ ଉତ୍ତମ ନିୟନ୍ତ୍ରଣ ରହିଥାଏ ।
ସେଥିପାଇଁ ବିଶ୍ୱାସକୁ ଦୃଢ଼ କରନ୍ତୁ, ଭଲ ଜିନିଷ ଘଟିବ । ଯଦି କିଛି ଅପ୍ରୀତିକର ଘଟେ, ତେବେ ତାହାର କାରଣ ହେଲା ପ୍ରକୃତି ଆପଣଙ୍କୁ ଶକ୍ତିଶାଳୀ କରିବାକୁ ଚାହୁଁଛି । ତାହା ହୁଏତ ଖତ ପରି ଦୁର୍ଗନ୍ଧଯୁକ୍ତ ହୋଇପାରେ, କିନ୍ତୁ ମନେ ରଖିବାକୁ ହେବ, ସୁଗନ୍ଧିତ ପୁଷ୍ପ ଫୁଟିବା ନିମନ୍ତେ ତାହା ଏକାନ୍ତ ଆବଶ୍ୟକ । ତେଣୁ ଆପଣଙ୍କର ଅପ୍ରୀତିକର ଅନୁଭୂତିକୁ ଖତ ଭଳି ବ୍ୟବହାର କରନ୍ତୁ । ସବୁ ସୁଖ-ଦୁଃଖ ପରିସ୍ଥିତିକୁ ଆପମଙ୍କ ଆତ୍ମା ସହ ତୁଳନା କଲେ ଏହା ଖୁବ୍ ଛୋଟ ମନେହେବ । ଆତଃ ଆଉ ଆତ୍ମହତ୍ୟା ପ୍ରବଣତା ମନରେ ଜାଗିବ ନାହିଁ ।
ଜୀବନକୁ ଏକ ବିଶାଳ ଦୃଷ୍ଟିକୋଣରୁ ଦେଖନ୍ତୁ, ଅବଶ୍ୟ ଯେତେବେଳେ ଆପଣ ଦୁଃସ୍ବପ୍ନ ଦେଖିବେ, ଆପଣଙ୍କ ନିଦ ଭାଙ୍ଗିବାର କିଛି ସମୟ ପର୍ଯ୍ୟନ୍ତ ହୃଦ୍ ସ୍ପନ୍ଦନ ଦ୍ରତ ରହିବ । ଏହା ସ୍ୱାଭାବିକ । ଆପଣ ଡରିଯିବେ ମଧ୍ୟ, କିନ୍ତୁ ଏହା ବେଶି ସମୟ ରହିବ ନାହିଁ । ଆପଣ ଜ୍ଞାନ ମାର୍ଗରେ ଅଗ୍ରଗତି କଲେ, ଘଟଣାର ଅନବରତ ପରିବର୍ତ୍ତନ ପ୍ରକୃତିକୁ ଦେଖି ପାରିବେ । ତା’ ପରେ ଆପଣ ସେଥିରେ ସ୍ୱଳ୍ପ ପ୍ରଭାବିତ ହେବେ । ଆପଣଙ୍କୁ ପ୍ରକୃତି ସେହିପରି ଭଲ ପାଇବ, ଯେପରି ନବଜାତ ଶିଶୁକୁ ତାହାର ମାଆ ଭଲପାଏ । ଯଦି ଆପଣ ନିଜ ସ୍ୱପ୍ନ ଭାଙ୍ଗି ଯାଇଥିଲେ ମଧ୍ୟ ଆଶା ହରାନ୍ତି ନାହିଁ, ଏବଂ ଜାଣନ୍ତି ଯେ ଜୀବନର ଅନୁଭୂତି ସର୍ବଦା ନିଶ୍ଚିତ କିଛି ଭଲ ଦିଗରେ ହିଁ ବାଟ କଢ଼ାଇବ, ସେତେବେଳେ ହିଁ ଆପଣ ବିଜୟୀ ହେବାର ସ୍ୱପ୍ନ ଦେଖିପାରିବେ । କାରଣ ଏକ ଐଶ୍ୱରୀୟ ଶକ୍ତି ସର୍ବଦା ଆପଣଙ୍କର ଯତ୍ନ ନେବାକୁ ଉପସ୍ଥିତ ରହିଛି ।