)
ଭୁବନେଶ୍ୱର: ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରାଜ୍ୟରେ ଉତ୍କଟ ପରିସ୍ଥିତି ସୃଷ୍ଟି କରିପାରେ। ଏଥିରେ ୧୭ଟି ଜିଲ୍ଲା ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଇଛି। ଏଣୁ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପରିସ୍ଥିତିରେ ମୁଖ୍ୟତଃ ରାଜ୍ୟର ୩ ଟି ଜିଲ୍ଲା- କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ପ୍ରଭାବିତ ହେବାର ଆଶଙ୍କା ରହିଛି। କିନ୍ତୁ ଅନ୍ୟ ୧୪ ଟି ଜିଲ୍ଲା ଯଥା- ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, ରାୟଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡାକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ବର୍ଷାକୁ ନଜରରେ ରଖି ଏହାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।
ପରିସ୍ଥିତିକୁ ମୁକାବିଲା କରିବା, ଲୋକଙ୍କ ପାଖରେ ଜରୁରୀ ସହାୟତା ପହଞ୍ଚାଇବା ଲାଗି ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟନ୍ତ୍ରଣ କକ୍ଷଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟ କରିବା ଏବଂ ଏହାର ତଥ୍ୟ ଗୁଡିକ ଯେପରି ନିୟମିତ ଭାବେ ଅପଡେଟ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଲଘୁଚାପ ଜନିତ ବର୍ଷା ଏବଂ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଥିଲେ ଯେ ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏପରି ପରିସ୍ଥିତିର ମୁକାବିଲା କରିବା ପାଇଁ ଡ୍ରେନେଜ୍ ଇଞ୍ଜିନିୟର ଏବଂ ଅଧିକାରୀମାନଙ୍କୁ ସହାୟକ କର୍ମଚାରୀ ଏବଂ ଯନ୍ତ୍ରପାତି ସହିତ ପ୍ରସ୍ତୁତ ରହିବା ଆବଶ୍ୟକ ।
ଏହି ସମୟରେ ଜଳବନ୍ଦୀ ସମ୍ମୁଖୀନ ହେବାର ସମ୍ଭାବନା ଥିବା ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ପକ୍ଷରୁ ଆଗୁଆ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଦାୟିତ୍ୱରେ ଥିବା ଇଞ୍ଜିନିୟରିଂ କର୍ମଚାରୀମାନେ ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ ।
ତୁରନ୍ତ ସହାୟତା ପାଇଁ ଓଡ୍ରାଫ ଏବଂ ଅଗ୍ନିଶମ ସେବା ୟୁନିଟଗୁଡ଼ିକୁ ପୂର୍ଣ୍ଣ ପ୍ରସ୍ତୁତ, ବିଶେଷ କରି ତଳିଆ ଅଞ୍ଚଳ କିମ୍ବା ଯେଉଁଠାରେ ବନ୍ୟା ଆଶଙ୍କା ରହିଛି ଏବଂ ଅନ୍ୟାନ୍ୟ ଆବଶ୍ୟକ ସ୍ଥାନରେ ୟୁନିଟ୍ ଗୁଡିକୁ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ପାହାଡିଆ ଅଞ୍ଚଳରେ ଭୂସ୍ଖଳନର ସମ୍ଭାବନା ଥିବାରୁ ଉକ୍ତ ଅଞ୍ଚଳ ଗୁଡିକୁ ଚିହ୍ନଟ କରି କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରହିବାକୁ ସେ ଜିଲ୍ଲାପାଳ ମାନଙ୍କୁ କହିଥିଲେ । ବିଶେଷକରି ମାଲକାନଗିରି ଜିଲ୍ଲାରେ ଅଧିକ ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ବହୁମୁଖୀ ବନ୍ୟାବାତ୍ୟ ଆଶ୍ରୟସ୍ଥଳକୁ ବ୍ୟବହାର ପାଇଁ ପ୍ରସ୍ତୁତ ରଖାଯାଇଛି ଏବଂ ସେଥିରେ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ଦ୍ରବ୍ୟ ମଧ୍ୟ ମହଜୁଦ୍ ରଖାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ଆଶ୍ରୟସ୍ଥଳକୁ ନେଇ ରନ୍ଧାଖାଦ୍ୟ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ବିଭିନ୍ନ ଅଞ୍ଚଳରେ ଆବଶ୍ୟକ ଔଷଧ ପତ୍ର, ସାପ କାମୁଡା ଇନ୍ଜେକ୍ସନ, ଗୋ-ଖାଦ୍ୟ ଓ ଅନ୍ୟାନ୍ୟ ପଶୁ ଖାଦ୍ୟ ଯଥେଷ୍ଟ ପରିମାଣରେ ମହଜୁଦ୍ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟାୟ ମୁକାବିଲାରେ ଓଡିଶାର ଦକ୍ଷତା ରହିଛି ଏବଂ ଜାତୀୟ ସ୍ତରରେ ରାଜ୍ୟ ପ୍ରଶଂସା ଅର୍ଜନ କରିଛି। ତେଣୁ, ଏହି ଲଗାଣ ବର୍ଷା ଜନିତ ସମସ୍ୟାର ଠିକ୍ ଭାବେ ପରିଚାଳନା ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ।