)
ପ୍ରେମାନନ୍ଦ ପୁଜାରୀ,ମୋହନା: ଚନ୍ଦନ କାଠ (Sandal Wood) ଚୋରା ଚାଲାଣ ବେଳେ ଲକ୍ଷାଧିକ ଟଙ୍କାର କାଠ ସହ ଦାମୀ କାର ଜବତ କରାଯାଇଛି । ଏହା ସହିତ ୩ ଚନ୍ଦନ କାଠ ବେପାରୀଙ୍କୁ ଗିରଫ କରି ବନବିଭାଗକୁ (Forest Department) ହସ୍ତାନ୍ତର କରିଛି ଗଜପତି ଜିଲ୍ଲା ମୋହନା ପୋଲିସ (Mohana Police)। ଗତ କାଲି ଚନ୍ଦନ କାଠ ଚୋରାଚାଲାଣ ହେଉଥିବା କୌଣସି ସୁତ୍ରରୁ ପୋଲିସ ଖବର ପାଇବା ପରେ ମୋହନା ଥାନା ଅଧିକାରୀ ସୁଜିତ ନାୟକଙ୍କ ନେତୃତ୍ୱରେ ଏକ ଟିମ କମଳାପୁର ଲୁହାଗୁଡି ରାସ୍ତାରେ ଯାଞ୍ଚ କରିଥିଲେ।
ଏହି ସମୟରେ ଛେଳିଗଡରୁ ବ୍ରହ୍ମପୁର ଯାଉଥିବା ଏକ ମହିନ୍ଦ୍ରା ଜାଇଲୋ କାର ଓଆର-୧୦କେ୧୭୮୬ (OR-10K-1786) ଗାଡିକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ଉକ୍ତ ଗାଡିମଧ୍ୟରୁ ୫ଟି ବସ୍ତାରେ ଥିବା ସମୁଦାୟ ୭୯ କେଜି ୨୭୦ ଗ୍ରାମ ଚନ୍ଦନ କାଠ ମିଳିଥିଲା । ଏହା ସହ କାଠ ମାଫିଆଙ୍କ ନିକଟରୁ ନଗଦ ୩୯ ହଜାର ଟଙ୍କା ଜବତ କରାଯାଇଥିଲା । ଚନ୍ଦନ କାଠ ଚୋରାଚାଲାଣ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଉତ୍ତର ପ୍ରଦେଶ ଶରଣ କୁମାର ଶର୍ମା, ବ୍ରହ୍ମପୁର ଟାଉନ ଥାନା ଅଞ୍ଚଳର ଏମଡି ଯାମସେଦ, ଛେଳିଗଡ ଅଞ୍ଚଳର ଭାଲୁପଙ୍କ ଗ୍ରାମର ମିଥୁନ ପ୍ରତାପ ନାୟକ ।
ଜବତ ଚନ୍ଦନ କାଠର ଆନୁମାନିକ ମୁଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି । ଏହି ଚନ୍ଦନ କାଠକୁ ଆର ଉଦୟଗିରି ଅଞ୍ଚଳରୁ ବ୍ରହ୍ମପୁର ଚାଲାଣ ହେଉଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବେଳେ ଚନ୍ଦ୍ରଗିରି ବନବିଭାଗକୁ ଏହି କେସ ହସ୍ତାନ୍ତର କରାଯାଇଛି I