)
ଗଜପତି : ହୁ ହୁ ହୋଇ ବଢି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏକାଧିକ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସ୍ଥିତି ଉଦବେଗ ଜନକ ହେଉଥିବା ବେଳେ ତାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ୩ ଦିନ ପାଇଁ ସଟଡାଉନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । ଜୁନ୍ ୨୮, ୨୯ ଓ ୩୦ ତାରିଖ ପାରଳାଖେମୁଣ୍ଡି ମୁନିସିପାଲିଟି ସମେତ ଗୋଷାଣି ଓ ଗୁମ୍ମା ବ୍ଳକ ଏବଂ କାଶିନଗର ବ୍ଳକର ରାଣିପେଣ୍ଠ ପଞ୍ଚାୟତକୁ ସଟଡାଉନ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ ।
ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ୪୦ଟି ଟିମ୍ ଘର ଘର ବୁଲି ସମ୍ପୃକ୍ତ ଅଞ୍ଚଳରେ କୋରୋନା ଲକ୍ଷଣଥିବା ଲୋକଙ୍କୁ ଚିହ୍ନଟ କରି ପରୀକ୍ଷା କରିବା ପାଇଁ ଯୋଜନା କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ସମୟରେ ଜରୁରୀ ସ୍ୱାସ୍ଥ୍ୟ ସେବା ଓ କ୍ଷୀର ଯୋଗାଣକୁ ଛାଡି ଅନ୍ୟ ସମସ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ନିମନ୍ତେ ସମସ୍ତ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।
ବଜାରରେ ହେବାକୁ ଥିବା ଭିଡ଼କୁ ନଜରରେ ରଖି ଦୋକାନ ବଜାର ଖୋଲିବା ସମୟରେ ପରିବର୍ତ୍ତନ କରି ସକାଳ ୫ଟା ଠାରୁ ରାତ୍ରି ୯ ଘଣ୍ଟା ପର୍ଯ୍ୟନ୍ତ ବଜାର ଖୋଲା ରଖିବାକୁ ଅନୁମତି ପ୍ରଦାନ କରିଛି ପ୍ରଶାସନ । ଅନ୍ୟ ପକ୍ଷରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୧ରେ ପହଞ୍ଚିଛି । ସେଥି ମଧ୍ୟରୁ କେବଳ ଗୋଷାଣି ବ୍ଳକ ଅଞ୍ଚଳରେ ସର୍ବାଧିକ ୨୪୮ ଓ ଗୁମ୍ମା ବ୍ଳକ ଅଞ୍ଚଳରେ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଅଞ୍ଚଳରେ ଅଧିକ କଣ୍ଟେନମେଣ୍ଟ ଜୋନ ରହିଛି । ଏହି ସବୁ ଅଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ହେତୁ ସଟଡାଉନ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ ।