Advertisement
Article Detail0/zeeodisha/odisha694511

ପୁଣି କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ

ଆକ୍ରମଣ କରିଥିବା ଯୁବକ ଜଣକ ହେଲେ ମୋହନା ତହସିଲ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ରଥ ଜନସେବା କେନ୍ଦ୍ରର ପରିଚାଳକ ଯୋଗେନ୍ଦ୍ର କୁମାର ରଥ ।

ଫାଇଲ ଫଟୋ
ଫାଇଲ ଫଟୋ

ପ୍ରେମାନନ୍ଦ ପୁଜାରୀ​, ଗଜପତି: ରାଜ୍ୟରେ ବଢ଼ି ବଢ଼ି ଚାଲିଛି ସାମ୍ୱାଦିକଙ୍କ ଉପରେ ଆକ୍ରମଣ ଘଟଣା । ପୁଣି ଜଣେ କାର୍ଯ୍ୟରତ ସାମ୍ୱାଦିକଙ୍କ ଉପରେ ଆକ୍ରମଣ କରାଯାଇଛି । ଘଟଣାଟି ଗଜପତି ଜିଲ୍ଲାର ମୋହନା ତହସିଲ କାର୍ଯ୍ୟାଳୟ ନିକଟରେ ଘଟିଛି । ଏଠାରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । ତାହା ବି ତହସିଲଦାରଙ୍କ ସାମ୍ନାରେ ଏହି ଘଟଣା ଘଟିଛି । କୋଭିଡ-୧୯ ନିୟମକୁ ଉଲ୍ଲଙ୍ଘନ କରି ଫାଇନ ଦେଉଥିବା ବେଳେ ସାମ୍ବାଦିକ ପିଣ୍ଟୁ ପ୍ରଧାନ ଫୋଟ ଉଠେଇବା ବେଳେ ଗାଳିଗୁଲଜ କରିବା ସହ ଆକ୍ରମଣ କରି କ୍ୟାମେରାକୁ ଛଢାଇ ନେଇଥିଲେ ଯୁବକ । ଆକ୍ରମଣ କରିଥିବା ଯୁବକ ଜଣକ ହେଲେ ମୋହନା ତହସିଲ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ରଥ ଜନସେବା କେନ୍ଦ୍ରର ପରିଚାଳକ ଯୋଗେନ୍ଦ୍ର କୁମାର ରଥ । ଏନେଇ  ମୋହନା ଥାନାରେ ଏତଲା ରୁଜୁ କରାଯାଇଛି । ପରେ ପୋଲିସ ଯୁବକଙ୍କୁ ଗିରଫ କରିଛି । ଏହି ଘଟଣା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ମୋହନା ସାମ୍ବାଦିକ ସଂଘ ।

ସୁଚନା ଅନୁଯାୟୀ, କୋରୋନା ମହାମାରୀକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ପ୍ରସାଶନ ପକ୍ଷରୁ ଜାରି କରାଯାଇଛି ବିଭିନ୍ନ କଟକଣା । କଟକଣା ମଧ୍ୟରେ ମାସ୍କ ବ୍ୟବହାର ଜରୁରୀ, ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ, ସାନିଟାଇଜର ବ୍ୟବହାର କରିବା ଲାଗି କଡା ନିର୍ଦ୍ଦେଶ ରହିଛି । ଏପରିକି ଜିଲ୍ଲାର ସମସ୍ତ ଦୋକାନ ବଜାର ଖୋଲିବା ସମୟ ସକାଳ ୫ଟା ରୁ ସକାଳ ୧୧ଟା ଏବଂ ସଂନ୍ଧ୍ଯା ୪ଟା ରୁ ୭ଟା ମଧ୍ୟରେ ନିର୍ଦ୍ଦାରିତ କରାଯାଇଛି । ତେବେ ଗତ ବୁଧବାର ମୋହନା କୋର୍ଟ ନିକଟସ୍ଥ ଏକ ଜନସେବା କେନ୍ଦ୍ର ଦିବା ୧୨.୩୦ ପର୍ଯ୍ୟନ୍ତ ଖୋଲାଯାଇଥିବା ବେଳେ ପ୍ରବଳ ଭିଡ ଲାଗିରହିଥିଲା । କୌଣସି ପ୍ରକାରେ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ସୂଚନା ପାଇ ଉକ୍ତ ଜନସେବା କେନ୍ଦ୍ରରେ ପହଞ୍ଚିଥିଲେ । 

ଏହି ସମୟରେ ସମୃକ୍ତ ଜନସେବା କେନ୍ଦ୍ରର ପରିଚାଳକ ବ୍ୟାଙ୍କିଙ୍ଗ କାମ କରୁଥିବା ଦର୍ଶାଇ ଥିଲେ । କିନ୍ତୁ ସାମାଜିକ ଦୂରତା ଏବଂ ସାନିଟାଇଜର ପାଖରେ ରଖିନଥିବା ହେତୁ ତହସିଲଦାର କୋଭିଡ-19 ନିୟମ ଉଲଘଂନ ଅନୁଯାୟୀ ୨୦୦ ଟଙ୍କା ଫାଇନ ଆଦାୟ କରିଥିଲେ । ଏହି ସମୟରେ ଏକ ଛାପା ଗଣମାଧ୍ୟମର ପ୍ରତିନିଧି ପିଣ୍ଟୁ ପ୍ରଧାନ ଖବର ପରିବେଷଣ ପାଇଁ ଫଟୋ ଉଠେଇଥିଲେ । ଏଥିରେ ଉତ୍ତେଜିତ ହୋଇ  ଜନସେବା କେନ୍ଦ୍ର ପରିଚାଳକ ଯୋଗେନ୍ଦ୍ର କୁମାର ରଥ  ହଠାତ୍ କ୍ୟାମେରା ଦେଖି ନିଜ କ୍ରୋଧକୁ ନିୟନ୍ତ୍ରଣରେ ନ ରଖି , ଅଯଥାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅବାନ୍ତର ପ୍ରଶ୍ନ କରିବା ସହ ଦୁର୍ବ୍ୟବହାର କରିଥିଲେ । ଏହା ସହ ସାମ୍ବାଦିକଙ୍କ ମୋବଇଲ କ୍ୟାମେରା ଟାଣିନେଇଥିଲେ । ଏହା ସହ ସାମ୍ବାଦିକଙ୍କୁ ତୁ ଯାହା କେଉଁ ଥାନାକୁ ଗୁହାରୀ କହିବୁ ,ମୋର କେହି କିଛି କରିପାରିବେ ନାହିଁ ବୋଲି କହିଥିଲେ । ଏହି ଘଟଣା ପରେ ତହସିଲଦାର ମହାଶୟା ଉଭୟଙ୍କୁ ବୁଝାସୁଝା କରିଥିଲେ । ଜନସେବା କେନ୍ଦ୍ର ପରିଚାଳକ ଯୋଗେନ୍ଦ୍ର ରଥଙ୍କ ଠାରୁ କ୍ୟାମେରା ଆଣି ସାମ୍ବାଦିକଙ୍କୁ ଦେଇଥିଲେ । ଘଟଣା ସ୍ଥଳରେ ସମୟରେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମଣ ଚୌଧୁରୀ, ବାଦଲ ବେହେରା, ଅଶ୍ବିନୀ ପାତ୍ର, ସୁମନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । 

Add Zee News as a Preferred Source

ତେବେ ସାମ୍ବାଦିକ ସବୁ ସମୟରେ ନିଜ ସ୍ବାର୍ଥ ଅପେକ୍ଷା ସମାଜକୁ ସଚେତନ କରି ବିଭିନ୍ନ ସମସ୍ୟା ଲୋକଲୋଚନକୁ ଆଣିବା ପାଇଁ ସମାଜରେ ଜଣେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟତୁଲାଇ ଆସୁଛନ୍ତି । ହେଲେ  ଅନେକ ସମୟରେ ଏଭଳି ଆକ୍ରମଣ କରିବା ଘଟଣା ସମାଜ ମଙ୍ଗଳ ପାଇଁ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାଧୀନତା ଉପରେ ଆଞ୍ଚ ଆଣୁଛି । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ଏବଂ ଯଥା ଶୀଘ୍ର ସରକାର ସାମ୍ବାଦିକଙ୍କ ସୁରକ୍ଷା ପାଇଁ  ଆଇନ ପ୍ରଣୟନ କରିବାକୁ ମୋହନା ସାମ୍ବାଦିକ ସଂଘ ପକ୍ଷରୁ ଦାବି ହୋଇଛି ।

About the Author