)
ମୋହନା: କୋରୋନା ସଚେତନତା ପାଇଁ ଲୋକଙ୍କୁ ବୁଝାଇ ବୁଝାଇ ନିଜକୁ ଅଣାୟତ କରି କାନ୍ଦି ପକାଇଲେ ଜଣେ ଆଗ ଧାଡିର କୋରୋନା ଯୋଦ୍ଧା । ଏହି କୋରୋନା ଯୋଦ୍ଧା ଜଣକ ହେଉଛନ୍ତି ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ । ଘଟଣାଟି ଆଜି(ଶୁକ୍ରବାର) ଘଟିଛି । ମୋହନା ବଜାରରେ ସଟଡାଉନ ଚାଲିଥିବା ବେଳେ ଲୋକଙ୍କୁ ବୁଝାଇବା ବେଳେ କାନ୍ଦି ପକାଇଥିଲେ ତହସିଲଦାର ।
ଗତ କିଛି ଦିନ ହେଲା ମୋହନା ଅଞ୍ଚଳରେ ଅହେତୁକ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ୫ ଜଣ କୋରୋନା ଯୋଦ୍ଧା ପଜିଟିଭ ବାହାରିବା ପରେ ଆଜି ଠାରୁ ଚାରିଦିନ ଯାଏଁ ମୋହନାକୁ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ତେବେ ବାରମ୍ବାର ସଚେତନତା ସତ୍ତ୍ୱେ ଜନସାଧାରଣ ସରକାରୀ କଟକଣା ମାନୁ ନଥିବା ପରିଲିକ୍ଷିତ ହେଉଛି । ଅନ୍ୟପଟେ କୋରୋନା ଯୋଦ୍ଧାମାନେ ଦିନରାତି ଏକ କରି ଜୀବନକୁ ବାଜି ଲଗାଇ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ହେଲେ ଲୋକଙ୍କ ଜୀବନ ପ୍ରତି ବିପଦ ଥିଲେ ବି ଅମାନିଆ ହେବା ଖାମଖିଆଲି ମନଭାବ ରହିଛି । ଯାହା ଫଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।