)
ସୁଜିତ ବିଷୋୟୀ, ଗଜପତି: ଏକର ଏକର ଜମିରେ ଲାଗିଛି ରବର (Rubber) ଗଛ । ସରକାରଙ୍କ ଏହି ପ୍ରକଳ୍ପ ଲାଭଦାୟକ ଚାଷ (Rubber Farming)ଭାବେ ପରିଣତ ହୋଇଛି। ଯାହାକୁ ବହୁଳ ମାତ୍ରାରେ ଆପଣେଇଛନ୍ତି ଚାଷୀ । ଗୋଟିଏ ଗଛରୁ ଦୀର୍ଘ ବର୍ଷ ଧରି ଧାରାବାହିକ ଭାବେ ରବର ଉତ୍ପାଦନ ହେଉଥିବାରୁ ବହୁ ଲାଭବାନ ହେଉଛନ୍ତି ଚାଷୀ । ଏହି ଚାଷ କରି ଅନ୍ୟ କୃଷକଙ୍କ ପାଇଁ ଆଦର୍ଶ ହୋଇପାରିଛନ୍ତି ଗଜପତି (Gajpati) ଜିଲ୍ଲା ଗୁମ୍ମା ବ୍ଲକର (Gumma Bloc) ମୁନିସିଂ ଓ ସୁକେଇ ଗାଁର ଚାଷୀ ।
ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଭୌଗୋଳିକ ଅବସ୍ଥିତ ଓ ଅନୁକୂଳ ଜଳବାୟୁକୁ ଆଧାର କରି ଗୁମ୍ମା ବ୍ଲକର ଏହି ଦୁଇ ଗାଁରେ ରବର ଚାଷ ଲାଗି ପାରଳାଖେମୁଣ୍ଡି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା-ଆଇଟିଡଏ(ITDA-Intigrated Tribal Development Agency) ଦ୍ୱାରା ପ୍ରୋତ୍ସାହନ ଦିଆଯାଇଛି ।
ପ୍ରଥମ ପର୍ଯ୍ୟାୟରେ ୧୯୯୯ ମସିହାରେ ପ୍ରାୟ ୧୫ ହେକ୍ଟର ଜମିରେ ୬୪୦୦ ରବର ଚାରା ଲଗାଯାଇଥିଲା । ୨୦୧୧ ବେଳକୁ ଏଠାରୁ ରବର ଉତ୍ପାଦନ ଆରମ୍ଭ ହୋଇଛି । ବର୍ତ୍ତମାନ ୧୦୬ ହେକ୍ଟର ନୂତନ ରବର ଚାରାରୋପଣ (Rubber Plantation) କରାଯାଇଛି । ଏଥିପାଇଁ ସମସ୍ତ ପ୍ରକାର ତାଲିମ ପାଇ ରବର ଉତ୍ପାଦନ ସକ୍ଷମ ହୋଇ ପାରିଛନ୍ତି ଚାଷୀ । ଉତ୍ପାଦିତ ରବର ବିକ୍ରି କରି ବେଶ୍ ଲାଭବାନ ହେବା ସହ ସମ୍ପୂର୍ଣ୍ଣ ସ୍ୱାବଲମ୍ବୀ ହେବା ସହ ଶହ ଶହ ପରିବାରର ଆର୍ଥିକ ସ୍ଥିତି ସଦୃଢ ହୋଇପାରିଛି ।
ସ୍ୱଳ୍ପ ପରିଶ୍ରମରେ ଏକ ଦୀର୍ଘ ମିଆଦୀ ଲାଭଦାୟକ ଚାଷ ଦେଖି ବହୁ ସଂଖ୍ୟକ ଚାଷୀ ଏବେ ଆଗ୍ରହ ପ୍ରକାଶ କରିଛନ୍ତି ରବର ଚାଷକୁ । ଅନ୍ତର୍ଜାତୀୟ ସ୍ତରରେ ରବରର ଚାହିଦା ବେଶ୍ ରହିଛି । ଉତ୍ପାଦିତ ରବରକୁ ବିକ୍ରି କରିବାକୁ ଗ୍ରାମରେ ଏକ କମିଟି ଗଠନ କରାଯାଇଛି । ବିଭିନ୍ନ କମ୍ପାନୀ ଗ୍ରାମରେ ପହଞ୍ଚି ରବର କ୍ରୟ କରି ନେଉଥିବାରୁ ଉତ୍ପାଦିତ ରବରକୁ ବିକ୍ରି କରିବାରେ କୈାଣସି ସମସ୍ୟା ନଥିବା କହିଛନ୍ତି ଚାଷୀ । ଅପରପକ୍ଷେ ଏହି ଚାଷ ଲାଗି ସମସ୍ତ ପ୍ରକାର ସହଯୋଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଉଛି ।
ଏଥିରେ ଅନୁପ୍ରାଣିତ ହୋଇଥିବା ଆହୁରି ଅନେକ ଅଞ୍ଚଳର ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି ଆଇଟିଡିଏ ଅଧିକାରୀ । ଏହି ଯୋଜନାର ସଠିକ କାର୍ଯ୍ୟକାରିତା ଏବଂ ବିଭାଗର ସୁପରିଚାଳନା ଫଳରେ ଆଦିବାସୀଙ୍କ ମୁହଁରେ ଫୁଟୁଛି ହସ।