ଭାଇରସ୍ ମୁକାବିଲାରେ ଗଜପତି ପ୍ରଶାସନର ଭିନ୍ନ ଏକ ଉଦ୍ୟମ
Trending Photos
)
ସୁଜିତ କୁମାର ବିଷୋୟୀ, ପାରଳାଖେମୁଣ୍ଡି: କେତେବେଳେ ଟିଚ୍ ଗଜପତି ତ ଆଉ କେତେବେଳେ ସୁପର-୩୦ ମିଶନ । ସବୁବେଳେ କିଛି ନିଆରା କରି ଆସିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତାହା ଲୋକଦୃତ ମଧ୍ୟ ହୋଇଛି । ଏବେ କୋରୋନା ମୁକାବିଲା କ୍ଷେତ୍ରରେ ମଧ୍ୟ ଏଭଳି କିଛି କରି ଚର୍ଚ୍ଚାକୁ ଆସିଛନ୍ତି । ଜିଲ୍ଲାରେ 'ସମ୍ପୂର୍ଣ୍ଣ ମାସ୍କ ଗାଁ' କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି । ଆଉ ଏହାରି ମାଧ୍ୟମରେ ମହିଳାମାନେ ରୋଜଗାରକ୍ଷମ ହେବା ସହ ମାସ୍କର ଚାହିଦା ମଧ୍ୟ ମେଣ୍ଟାଇପାରିଛନ୍ତି ।

ଦେଶ ଏବେ କୋରୋନା ମୁକାବିଲା କରୁଛି । ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ସହ ମାସ୍କର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । ତେବେ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ମାସ୍କର ଅଭାବ ଦୂର କରିବାକୁ ଭିନ୍ନ ଏକ ଉଦ୍ୟମ କରିଛନ୍ତି ଗଜପତି ଜିଲ୍ଲାପାଳ । ଜିଲ୍ଲାର ୧୦୦ରୁ ଉର୍ଦ୍ଧ୍ୱ ମହିଳା ସ୍ୱୟଂ ସଦାୟକ ଗୋଷ୍ଠୀଙ୍କୁ ଓଡ଼ିଶା ଜୀବିକା ମିଶନ ଜରିଆରେ ସିଲେଇ ତାଲିମ ଦିଆଯାଇଛି । ଏହା ସହ ମାସ୍କ ତିଆରି କାର୍ଯ୍ୟକ୍ରମରେ ନିୟୋଜିତ କରାହେଇଛି । ବର୍ତ୍ତମାନ ସୁଦ୍ଧା ଦୁଇ ଲକ୍ଷ ୫୭ ହଜାର ୫୦୦ରୁ ଅଧିକ ମାସ୍କ ତିଆରି କଲେଣି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ । ୧ ଲକ୍ଷ ୮୫ ହଜାର ୮୭୨ ମାସ୍କ ଓଡିଶା ଜୀବିକା ମିଶନ ଜରିଆରେ କ୍ରୟ କରି ସରକାରୀ ଦପ୍ତର, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅନ୍ୟାନ୍ୟ ଆବଶ୍ୟକୀୟ ସ୍ଥଳେ ବଣ୍ଟନ କରାଯାଉଛି । ଆଉ ଏହାରି ମାଧ୍ୟମରେ ଜିଲ୍ଲାର ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି ।
ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ମାସ୍କ ବ୍ୟବହାର ନିମନ୍ତେ 'ସମ୍ପୂର୍ଣ୍ଣ ମାସ୍କ ଗାଁ' କାର୍ଯ୍ୟକ୍ରମ ଚାଲିଛି । ଆଉ ଏହାରି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଦ୍ଵାରା ବିକ୍ରି ଓ ବଣ୍ଟନ କରାଯାଉଛି । ଫଳରେ ସେମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୬୫ଟି 'ସମ୍ପୂର୍ଣ୍ଣ ମାସ୍କ ଗାଁ' ହୋଇସାରିଛି । ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଗାଁକୁ 'ସମ୍ପୂର୍ଣ୍ଣ ମାସ୍କ ଗାଁ' କରାଯିବାର ଲକ୍ଷ୍ୟ ରଖିଛି ପ୍ରଶାସନ ।