ମିଳିଥିବା ସୂଚନା ମୁତବାକ, ବଡ଼ପୁତାର ଗ୍ରାମରୁ ବାହାରି ଏକ ବିଦ୍ୟୁତ ପୋଲ ବୋଝଇ ଟ୍ରାକ୍ଟର ଗାଡି ୬ ଜଣ ଶ୍ରମିକଙ୍କୁ ନେଇ ମଣ୍ଡଳସାହି ଗ୍ରାମ ଠାରୁ ଲୋବା ଯାଉଥିବା ସମୟରେ ଉକ୍ତ ଟ୍ରାକ୍ଟର ମଣ୍ଡଳ ସାହି ନିକଟସ୍ଥ ବୋଲଡାଗୁମ୍ମା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା ।
Trending Photos
)
ମୋହନା: ଗଜପତି ଜିଲ୍ଲାର ରାମଗିରି ଥାନା ନିକଟସ୍ଥ ରାୟଗଡ଼ ବ୍ଲକ ଅନ୍ତର୍ଗତ ବୋଲଡା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ୬ ଜଣ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ମୃତକ ଜଣକ ବାଲଡି ଗ୍ରାମର ମଣ୍ଟୁ ପ୍ରଧାନ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତବାକ, ବଡ଼ପୁତାର ଗ୍ରାମରୁ ବାହାରି ଏକ ବିଦ୍ୟୁତ ପୋଲ ବୋଝଇ ଟ୍ରାକ୍ଟର ଗାଡି ୬ ଜଣ ଶ୍ରମିକଙ୍କୁ ନେଇ ମଣ୍ଡଳସାହି ଗ୍ରାମ ଠାରୁ ଲୋବା ଯାଉଥିବା ସମୟରେ ଉକ୍ତ ଟ୍ରାକ୍ଟର ମଣ୍ଡଳ ସାହି ନିକଟସ୍ଥ ବୋଲଡାଗୁମ୍ମା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା । ତେବେ ଘଟଣା ସ୍ଥଳରେ ଟ୍ରାକ୍ଟର ତଳେ ୭ ଜଣ ଚାପି ହୋଇ ରହିଥିଲେ । ପରେ ସ୍ଥାନୀୟ ଲୋକ ଘଟଣା ସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାମଗିରି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।
କିନ୍ତୁ ସେଠାରେ ଚାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାସହ ଆହତ ଥିବା ୬ ଜଣକ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ ରହିଛି । ତେଣୁ ଜଣକୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ଅନ୍ୟ ଦୁଇ ଗୁରୁତରଙ୍କୁ ଜିଲ୍ଲା ଚିକତ୍ସାଳୟ ପାରଳାଖେମୁଣ୍ଡିକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ରାମଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ପଠାଯାଇଥିବା ରାମଗିରି ଥାନା ଅଧିକାରୀ ବିକାଶ କୁମାର ସେଠି ସୂଚନା ଦେଇଛନ୍ତି ।