ଶବ ଦାହ ସମସ୍ୟାର ସମାଧାନ ଲାଗି ଦାବି ଜଣାଇଲା ନଗର କଂଗ୍ରେସ
Advertisement

ଶବ ଦାହ ସମସ୍ୟାର ସମାଧାନ ଲାଗି ଦାବି ଜଣାଇଲା ନଗର କଂଗ୍ରେସ

କୋରନା କାଳରେ ପାରଳାଖେମୁଣ୍ଡି ବାସିନ୍ଦାଙ୍କ ପାଇଁ ଉଭା ହୋଇଛି ଆଉ ଏକ ନୁଆଁ ସମସ୍ୟା । କୋରନା ମହାମାରୀ ପ୍ରଭାବରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଶବ ସତ୍କାର ନେଇ ଦେଖା ଦେଇଛି ବିଭିନ୍ନ ସମସ୍ୟା । 

ଶବ ଦାହ ସମସ୍ୟାର ସମାଧାନ ଲାଗି ଦାବି ଜଣାଇଲା ନଗର କଂଗ୍ରେସ

ଗଜପତି (ସୁଜିତ ବିଷୋୟୀ): କୋରନା କାଳରେ ପାରଳାଖେମୁଣ୍ଡି ବାସିନ୍ଦାଙ୍କ ପାଇଁ ଉଭା ହୋଇଛି ଆଉ ଏକ ନୁଆଁ ସମସ୍ୟା । କୋରନା ମହାମାରୀ ପ୍ରଭାବରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଶବ ସତ୍କାର ନେଇ ଦେଖା ଦେଇଛି ବିଭିନ୍ନ ସମସ୍ୟା । ଦିନରେ ଏକାଧିକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଶ୍ମଶାନରେ ସ୍ଥାନ ଅଭାବ ଯୋଗୁଁ ଦୂର ଏବଂ ନିକଟବର୍ତ୍ତୀ ଶ୍ମଶାନକୁ ଯିବାକୁ ପଡୁଛି । ହେଲେ ଏବେ ଦେଖାଦେଇଛି ଘଷିର ଅଭାଵ । ଜିଲ୍ଲାର ପାରଳାଖେମୁଣ୍ଡି ଅଞ୍ଚଳର ଗୋବର ଘଷିରେ ଶବଦାହକୁ ନେଇ ପରମ୍ପରା ରହିଛି । 

ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ସାଙ୍ଗକୁ ବର୍ଷା ଋତୁ ହୋଇଥିବା ହେତୁ ଘଷିର ଘୋର ଅଭାବ ଦେଖାଦେଇଛି । ଘଷି ନପାଇ ମୃତ୍ୟୁ ବ୍ୟକ୍ତିଙ୍କ ପରିବାର ଶବଦାହରେ ବିଳମ୍ବ ହେଉଥିବା ବେଳେ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ଅଧିକ ଦରରେ ଘଷି ଆଣିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟ ପକ୍ଷେ ବର୍ଷା ଋତୁ ଲାଗି ଘଷି ତିଆରି ହେଉନାହିଁ, ଆଗକୁ ଅଧିକ ସମସ୍ୟା ଉପୁଜିବା ଆଶଙ୍କା ରହିଛି । ତେବା ପାହାଡିଆ ଅଞ୍ଚଳ ହୋଇଥିଲେ ମଧ୍ୟ ଜଙ୍ଗଲ ବିଭାଗର କଟକଣା ପାଇଁ ଜାଳେଣି କାଠର ଅଭାବ ରହୁଛି । 

ଏହି ସମସ୍ୟାର ସମାଧାନ ପାଇଁ ନଗର କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଠାରେ କାଠ ଦ୍ୱାରା ଶବ ଦାହ ପରମ୍ପରା ନଥିବା ସତ୍ତ୍ୱେ କାଠ ଦ୍ୱାରା ଦାହ କରିବା ପାଇଁ କାଠ ବଜାରରେ ମିଳୁନାହିଁ । ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ଶବଦାହ ପାଇଁ ଗରିବ ଲୋକଙ୍କୁ କାଠ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛି କଂଗ୍ରେସ । ଅନ୍ୟ ପକ୍ଷେ ଗତ ତିତିଲି ବାତ୍ୟା ଏବଂ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ସମୟରେ କଟାଯାଇଥିବା ଗଛର କାଠ ସବୁ ପଡିରହି ଖତ ଖାଉଛି ।  ତାହାକୁ ଶବ ଦାହ ଲାଗି ରିହାତି ମୂଲ୍ୟରେ ବିକ୍ରି ପାଇଁ ଅନୁମତି ଦେବା ପାଇଁ ଅନୁରୋଧ କରିଛନ୍ତି ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା ।