ଗଞ୍ଜାମରେ ଆହୁରି କଡ଼ାକଡ଼ି ହେଲା ସଟଡାଉନ୍ ନିୟମ । ଏଣିକି ସୋମବାରଠାରୁ ଶୁକ୍ରବାର ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜରୁରୀକାଳୀନ ସାମଗ୍ରୀ କିଣା ବିକା ହେବ ।
Trending Photos
)
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମରେ ପୁଣିଥରେ ଲକଡାଉନକୁ କଡ଼ାକଡ଼ି କରିବା ଲାଗି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଗତ କିଛିଦିନ ମଧ୍ୟରେ ଜିଲ୍ଲାରେ ମାତ୍ରାଧିକ କୋରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ତେଣୁ ଆଗକୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ମଧ୍ୟ ରହିଛି । ଆଉ ଏହାକୁ ଏଡ଼ାଇବା ପାଇଁ ଆଜିଠାରୁ ଜରୁରୀକାଳୀନ ସାମଗ୍ରୀ କିଣା ବିକା କ୍ଷେତ୍ରରେ ନୂଆ ନିର୍ଦ୍ଦେଶ ଜାରି ହୋଇଛି । ଦିନରେ ଜରୁରୀକାଳୀନ ସାମଗ୍ରୀ ବିକ୍ରି କ୍ଷେତ୍ରରେ ମାତ୍ର ୫ ଘଣ୍ଟା ପାଇଁ ଅନୁମତି ମିଳିଛି । ଦିନକୁ ୧୯ ଘଣ୍ଟା ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରିଛି ଗଞ୍ଜାମ ପ୍ରଶାସନ ।
ଗଞ୍ଜାମରେ ଆହୁରି କଡ଼ାକଡ଼ି ହେଲା ସଟଡାଉନ୍ ନିୟମ । ଏଣିକି ସୋମବାରଠାରୁ ଶୁକ୍ରବାର ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜରୁରୀକାଳୀନ ସାମଗ୍ରୀ କିଣା ବିକା ହେବ । ଅନ୍ୟ ସମୟରେ ପୁରା ଜିଲ୍ଲା ସଟଡାଉନ ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଜାରି ହୋଇଛି ନୂଆ ଗାଇଡଲାଇନ । ଅନ୍ୟପଟେ ସରକାରଙ୍କ ନିଷ୍ପତ୍ତି ମୁତାବକ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନକୁ ବଳବତ୍ତର ରଖାଯାଇଛି ।
ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଦିନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଘରୁ ବାହାରିବା ଉପରେ କଟକଣା ଜାରି ହୋଇଛି । ଗତ କିଛି ଦିନ ଧରି କୋରୋନା ଯୋଦ୍ଧାଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ବ୍ଲକରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଗାମୀ ଦିନରେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କ ରହିଛି । ତେଣୁ କୋରୋନା ଚେନକୁ ଭାଙ୍ଗିବା ପାଇଁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଗଞ୍ଜାମ ପ୍ରଶାସନ । ଏପରିକି ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।