ଭୁବନେଶ୍ୱର: ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ନାଳରେ ଭାସିଯାଇ ଗୋଟିଏ ଛୋଟ ପିଲା ମୃତ୍ୟୁବରଣ ହେବା ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାର ଆଜି ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ ବିଏମ୍‍ ସିର ଡ୍ରେନେଜ୍ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ନିଲମ୍ବନ କରାଯିବା ସହିତ ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଉଲ୍ଲେଖନୀୟ ଯେ, ଗତ ୧୮ତାରିଖ ଦିନ ୟୁନିଟ୍‍ -୩ ଅଞ୍ଚଳରେ ଜଣେ ୯ବର୍ଷର ବାଳକ ନାଳରେ ଭାସିଯାଇ ମୃତ୍ୟୁବରଣ କରିଥିଲେ। ନାଳରେ ଭାସୁଥିବା ଗୋଟିଏ ବେଲୁନ୍‍ ଆଣିବାକୁ ଯାଇ ବାଳକଟି ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତ ବାଳକର ପରିବାର ପାଇଁ ୪ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ। ପରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିବା ସହିତ କର୍ତ୍ତୃପକ୍ଷଙ୍କଠାରୁ ଏ ସଂକ୍ରାନ୍ତୀୟ ରିପୋର୍ଟ ତଲବ କରିଥିଲେ। ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ। କର୍ତ୍ତୃପକ୍ଷ ମଧ୍ୟ ତୁରନ୍ତ ଘଟଣାର ସରଜମିନ ତଦନ୍ତ କରି ଆଜି ରିପୋର୍ଟ ଦେଇଥିଲେ। 


ରିପୋର୍ଟ ହସ୍ତଗତ ହେବାପରେ ଆଜି ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯେଉଁ ସ୍ଥାନରେ ପିଲାଟି ନାଳରେ ପଡ଼ି ଭାସି ଯାଇଥିଲା ସେହି ସ୍ଥାନରେ ବାଡ଼ ଲଗାଯାଇ ନଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏଭଳି ସମ୍ବେଦନଶୀଳ ସ୍ଥାନରେ ବାଡ଼ ନଲଗାଇବା ପାଇଁ ୫ ନମ୍ବର ଡ୍ରେନ୍ ଡିଭିଜନ୍ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଶ୍ରୀ ଦାସଙ୍କୁ ଦାୟୀ କରାଯାଇଛି।