ଯାଜପୁର: ଏକ ସଂଗେ ଦୁଇଟି ସ୍ଥାନରେ ଚାକିରି କରିବା ମହଙ୍ଗା ପଡ଼ିଛି । ଜଣେ ଅଧ୍ୟକ୍ଷ ଦୁଇଟି ସ୍ଥାନରେ କାର୍ଯ୍ୟ କରି ଚାକିରିରୁ ବିଦା ହୋଇଛନ୍ତି । ନିଲମ୍ବିତ ହୋଇଥିବା ଅଧ୍ୟକ୍ଷ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲାର ବରୀ ବ୍ଲକ ସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ରାଉତ । ଶ୍ରୀ ରାଉତଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଇବାକୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଏକ ଚିଠିରେ ଯାଜପୁର ଉପଜିଲ୍ଲାପାଳ ତଥା ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମିଳିଥିବା ସୂଚନା ମୁତାବକ ଶ୍ରୀ ରାଉତ ୧୨.୦୭.୧୯୯୭ରେ ମୁକ୍ତାଦେବୀ ସଂସ୍କୃତ ମହାବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ । ୧୭.୦୭.୧୯୯୭ରେ ଏହି ମହାବିଦ୍ୟାଳୟରେ ଇତିହାସ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ୨୦୦୧ ରୁ ୨୦୦୮ ମସିହାରୁ ପର୍ଯ୍ୟନ୍ତ ସେ ଏହି ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ । ପରେ ଏଠାରୁ ଇସ୍ତଫା ଦେଇଥିଲେ । ତେବେ ଏହି ସମୟରେ ଜାଲିଆତି କରି ୨୭.୦୪.୧୯୯୨ ମହିସାରେ ସେ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟରେ ଇତିହାସ ବିଭାଗର ଅଧ୍ୟାପକ ଭାବେ ଯୋଗ ଦେଇଥିବା ଜଣାପଡ଼ିଥିଲା।
୨୦୦୮ ମସିହାରୁ ସେ ବ୍ଲକଗ୍ରାଣ୍ଡ ନେଇଥିଲେ । ଶ୍ରୀ ରାଉତ ବରିଷ୍ଠତା ଦୃଷ୍ଟିରୁ ୨୦୧୬ ଠାରୁ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି । ତେବେ ଏକ ସମୟରେ ଦୁଇଟି ସ୍ଥାନରେ ନିଯୁକ୍ତିକୁ ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶକ ଉଚ୍ଚଶିକ୍ଷା ବିଭାଗ, ଉପନିର୍ଦ୍ଦେଶକ ଉଚ୍ଚଶିକ୍ଷା ବିଭାଗ, ଆଞ୍ଚଳିକ ନିର୍ଦ୍ଦେଶକ ଉଚ୍ଚଶିକ୍ଷା ଭୁବନେଶ୍ୱର ଓ ଉପନିର୍ଦ୍ଦେଶକଙ୍କୁ ନେଇ ଏକ ୪ ଜଣିଆ କମିଟି ଗଠନ କରାଯାଇ ତଦନ୍ତ କରାଯାଇଥିଲା । ତଦନ୍ତରେ ଦୁଇଠି ସ୍ଥାନରେ ନିଯୁକ୍ତି ଜାଲିଆତି ହୋଇଥିବା ଧରାପଡ଼ିଥିଲା ।